ୱିମ୍ବଲଡନ୍ ଜିତିଲେ, ଅଲିମ୍ପିକକୁ ନେଇ ଦ୍ୱନ୍ଦ୍ୱ

ଲଣ୍ଡନ: ସର୍ବିୟା ଟେନିସ୍ ଷ୍ଟାର୍ ନୋଭାକ୍ ଜୋକୋଭିଚ୍ ୱିମ୍ବଲଡନ୍ ଟାଇଟଲ୍ ଜିତିଛନ୍ତି। ଏଥିସହ ଚଳିତ ବର୍ଷ ଜୋକୋଭିଚ୍ ଏପର୍ଯ୍ୟନ୍ତ ତିନୋଟି ଯାକ ଗ୍ରାଣ୍ଡସ୍ଲାମ୍ ଜିତିସାରିଥିବା ବେଳେ ତାଙ୍କ ପାଖରେ ଏବେ ଗ୍ରାଣ୍ଡସ୍ଲାମ୍ ପୂରଣ କରିବାର ଭଲ ସୁଯୋଗ ରହିଛି। ହେଲେ ଏହି ଷ୍ଟାର୍ ଖେଳାଳି ଅଲିମ୍ପିକରେ ଅଂଶଗ୍ରହଣ କରିବେ ନା ନାହିଁ, ସେ ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି।

ଦର୍ଶକଙ୍କ ଅନୁପସ୍ଥିତି ଓ ଟୋକିଓରେ କରୋନା ଭାଇରସ୍ ଯୋଗୁ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଜୋକୋଭିଚ୍ ଜାପାନ ଯାତ୍ରା କରିବାକୁ ସେତେଟା ଉତ୍ସାହିତ ନାହାନ୍ତି। ରବିବାର ୱିମ୍ବଲଡନ୍ ଜିତିବା ପରେ ଜୋକୋଭିଚ୍ କହିଛନ୍ତି, ଅଲିମ୍ପିକରେ ଭାଗ ନେବି କି ନାହିଁ, ତାହା ଉପରେ ଚିନ୍ତା କରିବାକୁ ପଡ଼ିବ। ମୁଁ ଆରମ୍ଭରୁ ହିଁ ଅଲିମ୍ପିକରେ ଭାଗ ନେବା ପାଇଁ ଚାହୁଁଥିଲି, କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖି କିଛି ନିଷ୍ପତ୍ତି ନେଇପାରୁନାହିଁ। ଗତ ଦୁଇ-ତିନି ହେଲା ମୁଁ ଯାହା ସବୁ ଶୁଣିଲି, ତାକୁ ଦୃଷ୍ଟିରେ ରଖି ମୋ ପାଇଁ ଏବେ ସ୍ଥିତି ୫୦-୫୦ ରହିଛି।

ଟୋକିଓ ଅଲିମ୍ପିକରେ ଦର୍ଶକଙ୍କ ଅନୁପସ୍ଥିତିକୁ ନେଇ ଜୋକୋଭିଚ୍ ବହୁତ ନିରାଶ ଅଛନ୍ତି। ଏ ନେଇ ଜୋକୋଭିଚ୍ କହିଛନ୍ତି, ଦର୍ଶକଙ୍କ ଅନୁପସ୍ଥିତି ମୋତେ ନିରାଶ କରିଛି। ଏହାଛଡ଼ା ଅଲିମ୍ପିକରେ ଅନେକ କଟକଣା ମଧ୍ୟ ରହିଥିବା ମୁଁ ଶୁଣିବାକୁ ପାଇଛି। ତେଣୁ ଏସବୁକୁ ହ୍ୟାଣ୍ଡଲ୍ କରିବା ମୋ ପକ୍ଷେ ସେତେଟା ସହଜ ହେବନି।

ଟେନିସ୍ ଜଗତର କିଛି ବଡ଼ ଯଥା ରାଫେଲ୍ ନାଡାଲ, ଡୋମିନିକ୍ ଥିଏମ, ଷ୍ଟାନିସ୍ଲାସ୍ ୱାରିଙ୍କା, ନିକ୍ କିର୍ଗିଅସ୍, ସେରେନା ୱିଲିୟମ୍ସ ଓ ସିମୋନା ହାଲେପ୍ ଅଲିମ୍ପିକ୍ କ୍ରୀଡ଼ାରୁ ଓହରି ଯାଇଛନ୍ତି। ଏବେ ଯଦି ଜୋକୋଭିଚ୍ ଓହରିଯିବେ, ତାହେଲେ ଅଲିମ୍ପିକରେ ଟେନିସର ଉତ୍ସାହ ନିଶ୍ଚିତ କମିଯିବ।

ସୂଚନାଯୋଗ୍ୟ, ରବିବାର ଖେଳାଯାଇଥିବା ୱିମ୍ବଲଡନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଜୋକୋଭିଚ୍ ଇଟାଲୀର ମାଟିଓ ବେରେଟ୍ଟିନୀଙ୍କୁ ହରାଇ ଚାମ୍ପିୟନ୍ ହୋଇଛନ୍ତି। ଟାଇଟଲ୍ ମୁକାବିଲାରେ ସେ ୬-୭(୪/୭), ୬-୪, ୬-୪, ୬-୩ ସେଟରେ ବିଜୟୀ ହୋଇ ରେକର୍ଡ ୨୦ତମ ଗ୍ରାଣ୍ଡସ୍ଲାମ୍ ଜିତିଛନ୍ତି। ଏଥିସହ ସେ ରୋଜର୍ ଫେଡେରର୍ ଓ ନାଡାଲଙ୍କ (ଉଭୟେ ୨୦ ଗ୍ରାଣ୍ଡସ୍ଲାମ୍ ଜିତିଛନ୍ତି) ରେକର୍ଡ ସମକକ୍ଷ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।