ଟୋକିଓ ଟିକେଟ୍ କାଟିଲେ ମୁରଲୀ ଶ୍ରୀଶଙ୍କର

ନୂଆଦିଲ୍ଲୀ: ଭାରତୀୟ ଲଙ୍ଗ ଜମ୍ପର୍ ମୁରଲୀ ଶ୍ରୀଶଙ୍କର ଜାତୀୟ ରେକର୍ଡ ସ୍ଥାପନ କରି ଟୋକିଓ ଅଲିମ୍ପିକ୍ ଟିକେଟ୍ କାଟିଛନ୍ତି। ପଞ୍ଜାବର ପଟିଆଲାରେ ଚାଲିଥିବା ଫେଡେରେସନ୍ କପରେ ମୁରଲୀ ୮.୨୬ ମିଟର୍ ଡିଆଁ ମାରି ଏହି ସଫଳତା ଅର୍ଜନ କରିଛନ୍ତି। ୨୧ ବର୍ଷୀୟ ଶ୍ରୀଶଙ୍କର ନିଜାର ପଞ୍ଚମ ପ୍ରୟାସରେ ହିଁ ଅଲିମ୍ପିକ୍ କ୍ୱାଲିଫିକେସନ୍ ମାର୍କ ୮.୨୨ ମିଟରକୁ ଅତିକ୍ରମ କରିନେଇଥିଲେ। ଏହା ପୂର୍ବରୁ ଶ୍ରୀଶଙ୍କରଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୮.୨୦ ମିଟର୍।

ଏହି ଇଭେଣ୍ଟରେ କେରଳର ଅନ୍ୟତମ ଆଥଲେଟ୍ ମହମ୍ମଦ ଅନାସ ୟାହିୟା ୮ ମିଟର୍ ଡିଆଁ ମାରି ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକରେ ସ୍ତନ୍ତୁଷ୍ଟ ହୋଇଛନ୍ତି। କର୍ଣ୍ଣାଟକର ଏସ୍ ଲୋକେଶ ୭.୬୦ ମିଟର୍ ଡିଆଁ ମାରି ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଶ୍ରୀଶଙ୍କର ଅଲିମ୍ପିକ୍ କ୍ୱାଲିଫାଏ କରିଥିବା ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ ଟ୍ୱିଟ୍ କରି ସୂଚନା ଦେଇଛି। ଗତ ଫେବୃଆରୀରେ ଶ୍ରୀଶଙ୍କର ଇଣ୍ଡିଆନ୍ ଗ୍ରାଁପ୍ରି’ରେ ଲଙ୍ଗ ଜମ୍ପ ଇଭେଣ୍ଟରେ ୮.୦୫ ମିଟର୍ ଡିଆଁ ମାରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୮ରେ ଆୟୋଜିତ ଏସିଆନ୍ ଗେମ୍ସରେ ଶ୍ରୀଶଙ୍କର ୭.୮୩ ମିଟର୍ ଡିଆଁ ମାରି ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ ଏବଂ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।