ଭାରତୀୟ ଫୁଟବଲ୍ ଟିମ୍ କ୍ୟାପଟେନ୍ କରୋନାରେ ଆକ୍ରାନ୍ତ
ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର କ୍ୟାପଟେନ୍ ସୁନୀଲ ଛେତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୁରୁବାର ଛେତ୍ରୀ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ଛେତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘ଏହା ଖୁସି ହେଲା ଭଳି ଅପଡେଟ୍ ନୁହେଁ। ମୁଁ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛି। ଭଲ କଥା ହେଉଛି ମୁଁ ଭଲ ଅନୁଭୂତ କରୁଛି ଏବଂ ଖୁବଶୀଘ୍ର ଫୁଟବଲ ମଇଦାନକୁ କମବ୍ୟାକ୍ କରିବି। ଆପଣମାନେ ମଧ୍ୟ କରୋନା ସମ୍ବନ୍ଧିତ ସୁରକ୍ଷାକୁ ନେଇ ସତର୍କତା ରହିବା ଦରକାର।’
ଭାରତୀୟ ଫୁଟବଲ୍ ଟିମ୍ ଚଳିତ ମାସରେ ୟୁଏଇ ଓ ଓମାନ୍ ବିପକ୍ଷରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଖେଳିବ। ଏହି ମୁକାବିଲା ଦୁବାଇରେ ଆୟୋଜିତ ହେବ। ଏହି ଦୁଇଟି ମ୍ୟାଚର ଚୂଡ଼ାନ୍ତ ଏକାଦଶ ପାଇଁ ଛେତ୍ରୀ ଉପଲବ୍ଧ ହେଉଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା। ଭାରତ ମାର୍ଚ୍ଚ ୨୫ ତାରିଖରେ ଓମାନ୍ ଓ ୨୯ ତାରିଖରେ ୟୁଏଇକୁ ଭେଟିବ। ଏହାର ପ୍ରସ୍ତୁତି ପାଇଁ ମାର୍ଚ୍ଚ ୧୫ ତାରିଖରୁ ଦୁବାଇରେ କ୍ୟାମ୍ବର ଆୟୋଜନ କରାଯିବ। ଭାରତ ତା’ର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ନଭେମ୍ବର, ୨୦୧୯ରେ ଖେଳିଥିଲା। ଫିଫା ୱାର୍ଲ୍ଡ କପ୍ କ୍ୱାଲିଫାୟରର ସେହି ମ୍ୟାଚ୍ ଭାରତ ୦-୧ରେ ଓମାନ୍ ନିକଟରୁ ପରାସ୍ତ ହୋଇଥିଲା।
In a not-so-happy update, I've tested positive for COVID-19. In better news, I feel fine as I continue my recovery from the virus and should be back on a football pitch soon. No better time to keep reminding everyone to continue taking all the safety precautions always.
— Sunil Chhetri (@chetrisunil11) March 11, 2021
ଛେତ୍ରୀ ଗୋଆରେ ଚାଲିଥିବା ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ)ରେ ଭାଗ ନେଇଥିଲେ। ଛେତ୍ରୀଙ୍କ ନେତୃତ୍ୱାଧୀନ ବେଙ୍ଗାଲୁରୁ ଏଫସି ଲିଗ୍ ଷ୍ଟେଜରୁ ବାହାର ହୋଇଯାଇଛି। ବେଙ୍ଗାଲୁରୁ ଟୁର୍ଣ୍ଣାମେଣ୍ଟରେ ୫ଟି ବିଜୟ, ୭ ଡ୍ର’ ଓ ୮ ପରାଜୟ ସହ ସପ୍ତମ ସ୍ଥାନରେ ରହିଥିଲା। ଛେତ୍ରୀ ୨୦ଟି ମ୍ୟାଚରୁ ୮ଟି ଗୋଲ୍ ସ୍କୋର କରିଥିଲେ। ଆସନ୍ତା ୧୩ ତାରିଖରେ ଆଇଏସଏଲର ଫାଇନାଲ୍ ମୁକାବିଲା ଏଟିକେ ମୋହନ ବାଗାନ୍ ଓ ମୁମ୍ବାଇ ସିଟି ଏଫସି ମଧ୍ୟରେ ଗୋଆରେ ଖେଳାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।