ଅଲିମ୍ପିକ୍ସ ମେଡାଲିଷ୍ଟ ସୁଶୀଲ କୁମାରଙ୍କ ନାଁରେ ଚାଲିବ ହତ୍ୟା ମାମଲା

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତ ପାଇଁ ଦୁଇ ଥର ପଦକ ଜିତିଥିବା ରେସଲର ସୁଶୀଲ କୁମାରଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ତାଙ୍କ ନାଁରେ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ହତ୍ୟା, ହତ୍ୟା ଉଦ୍ୟମ, ଦଙ୍ଗା, ବେଆଇନ ଏକତ୍ରୀକରଣ ଓ ଅପରାଧିକ ଷଡ଼ଯନ୍ତ୍ର ସହ ବିଭିନ୍ନ ଧାରାରେ ଚାର୍ଜଫ୍ରେମ କରିଛନ୍ତି। ଜୁନିୟର ରେସଲର ସାଗର ଧନକରଙ୍କ ହତ୍ୟା ମାମଲାରେ ସୁଶୀଲ କୁମାର ଓ ଅନ୍ୟ ୧୭ଜଣଙ୍କ ବିରୋଧରେ ଏପରି ଚାର୍ଜଫ୍ରେମ କରାଯାଇଛି।

ଏହାର ଅର୍ଥ ସୁଶୀଲ କୁମାରଙ୍କ ନାଁରେ ହତ୍ୟା ମାମଲାର ଶୁଣାଣି ଚାଲିବ। ଏହାବାଦ କୋର୍ଟ ସାଗରଙ୍କ ହତ୍ୟା ଘଟଣାରେ ସାମିଲ ଥିବା ଆଉ ଦୁଇ ଫେରାର ଅଭିଯୁକ୍ତଙ୍କ ନାଁରେ ମଧ୍ୟ ଚାର୍ଜଫ୍ରେମ କରିଛନ୍ତି।

ସାଗରଙ୍କ ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ୍‌ ଦାଖଲ କରିଥିବା ଚାର୍ଜଶିଟରେ କହିଛି ଯେ ଛତ୍ରସାଲ ଷ୍ଟାଡିୟମରେ ବିବାଦର ଷଡ଼ଯନ୍ତ୍ର ପଛରେ ସୁଶୀଲ କୁମାର ରହିଥିଲେ। ସେ ସେଠାରେ ସାଗରଙ୍କୁ ଅନ୍ୟମାନଙ୍କ ସହ ମିଶି ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଜୁନିୟର ରେସଲରଙ୍କ ମଧ୍ୟ ସୁଶୀଲ କୁମାର ନିଜର ହକୁମାତି ଓ ଦବଦବା ସୃଷ୍ଟି କରିବାକୁ ଚାହୁଁଥିଲେ ବୋଲି ପୁଲିସ୍‌ କହିଛି।

୨୦୨୧ ମେ’ ୪ ତାରିଖ ବିଳମ୍ବିତ ରାତିରେ ଗୋଟିଏ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ସୁଶୀଲ କୁମାର ଓ ତାଙ୍କ ସହଯୋଗୀମାନେ ସାଗର, ତାଙ୍କ ବନ୍ଧୁ ସୋନୁ ଓ ଆଉ ୩ ଜଣଙ୍କୁ ଷ୍ଟାଡିୟମ ଭିତରେ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ଯୋଗୁ ସାଗର ଗୁରୁତର ହୋଇଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ୍‌ ଘଟଣାର ତଦନ୍ତ କରିବାକୁ ଜାଣିବାକୁ ପାଇଥିଲା ଯେ ସାଗର ଓ ସୋନୁଙ୍କୁ ସୁଶୀଲ କୁମାର ତାଙ୍କ ଫ୍ଲାଟ ଖାଲି କରିବାକୁ କହୁଥିଲେ ମଧ୍ୟ ସେମାନେ ଏହାକୁ ଖାତିର କରୁ ନଥିଲେ। ଏହାକୁ ନେଇ ବିବାଦ ଲାଗି ରହିଥିଲା। ସେହିପରି ଷ୍ଟାଡିମୟରେ କିଛି ଗୁଜବ ପ୍ରଚାର ହୋଇଥିଲା। ସୁଶୀଲ କୁମାର ଉଭୟ ସୋନୁ ଓ ସାଗରଙ୍କୁ ଡରୁ ଥିବାରୁ ସେମାନଙ୍କୁ ଘରୁ ବାହାର କରି ପାରୁ ନାହାନ୍ତି। ଏହା ସୁଶୀଲଙ୍କ କାନରେ ପଡ଼ିବା ପରେ ସେ ରକ୍ତମୁଖା ହୋଇ ଉଠିଥିଲେ। ଏହାକୁ କେନ୍ଦ୍ର କରି ମେ’ ୪ ତାରିଖ ରାତିରେ ଏତେ ବଡ଼ ଘଟଣା ଘଟିଥିଲା।

ସାଗର ଓ ସୋନୁଙ୍କୁ ଆକ୍ରମଣ କରିବା ପରେ ସୁଶୀଲ କୁମାର ବେଶ କିଛି ଦିନ ଧରି ଫେରାର ଥିଲେ। କିନ୍ତୁ ପୁଲିସ୍‌ ଶେଷରେ ତାଙ୍କୁ ସହ ଅଭିଯୁକ୍ତ ଅଜୟ କୁମାରଙ୍କ ସହ ମେ’ ୨୩ରେ ମୁଣ୍ଡକା ଅଞ୍ଚଳକୁ ଗିରଫ କରିବାକୁ ସକ୍ଷମ ହୋଇଥିଲା। ଏବେ ସେ ଜେଲରେ ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।