ଅଣ୍ଡର-୧୭ ମହିଳା ବିଶ୍ୱକପ: କଳିଙ୍ଗରେ ନିରାଶ କଲା ଭାରତ, ୮-୦ରେ ଜିତିଲା ଆମେରିକା

ଭୁବନେଶ୍ୱର: ଫିଫା ଅଣ୍ଡର ୧୭ ମହିଳା ବିଶ୍ୱକପରେ ଡେବ୍ୟୁ କରିଥିବା ଭାରତ ପ୍ରଥମ ମ୍ୟାଚ୍‌ରେ ହାରି ଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଥମଥର ପାଇଁ ଫିଫା ବିଶ୍ୱକପ ଖେଳୁଥିବା ଭାରତୀୟ ମହିଳା ଦଳକୁ ଆମେରିକା ଏକତରଫା ଭାବେ ପରାସ୍ତ କରିଛି। ଆମେରିକା ମହିଳା ଦଳ ଆଗରେ ଭାରତୀୟ ଖେଳାଳିମାନେ ଆଦୌ ତିଷ୍ଠି ପାରିନାହାନ୍ତି।

ଆରମ୍ଭରୁ ଶେଷ ଯାଏ ଆମେରିକା ଟିମ୍‌ର ଦବଦବା ରହିଥିଲା। ଶେଷରେ ଆମେରିକା ଆୟୋଜକ ଭାରତକୁ ରେକର୍ଡ ୮-୦ରେ ପରାସ୍ତ କରିଛି। କୌଣସି ଅଣ୍ଡର ୧୭ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଏପରି ଲଜ୍ଜାଜନକ ଭାବେ ପରାସ୍ତ ହୋଇ ନଥିଲା। ପୂର୍ବରୁ ଭାରତୀୟ ମହିଳା ଦଳ ଦକ୍ଷିଣ କୋରିଆ ବିପକ୍ଷରେ ସର୍ବାଧିକ ୭-୦ ଗୋଲରେ ପରାସ୍ତ ହୋଇଥିଲା। କିନ୍ତୁ ଆଜି ଆମେରିକା ଫିଫା ବିଶ୍ୱକପର ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆର ରେକର୍ଡକୁ ଭାଙ୍ଗି ଭାରତକୁ ଚିତ୍‌ କରିଛି।

Image
କଳିଙ୍ଗ ଷ୍ଟାଡିୟମରେ ରଙ୍ଗାରଙ୍ଗ ପରିବେଶ ଓ ଦର୍ଶକଙ୍କ କରତାଳି ମଧ୍ୟରେ ଭାରତୀୟ ମହିଳା ଟିମ୍‌ ପଡ଼ିଆକୁ ଓହ୍ଲାଇଥିଲା। ବିଶ୍ୱକପରେ ଭାରତୀୟ ମହିଳା ଦଳ ଡେବ୍ୟୁ କରୁଥିବାରୁ ଫ୍ୟାନ୍ସ ଅନେକ କିଛି ଆଶା କରିଥିଲେ। ମ୍ୟାଚ୍‌ର ୩ତମ ମିନିଟ୍‌ରେ ଭାରତ ଗୋଲ କରିବାର ସୁଯୋଗ ମଧ୍ୟ ପାଇଥିଲା। ହେଲେ ଆମେରିକାର ରକ୍ଷଣଭାଗ ଭେଦ କରିବା ଅନଭିଜ୍ଞ ଭାରତୀୟ ଯୁବତୀଙ୍କ ପାଇଁ ସହଜ ହୋଇ ନଥିଲା।

ଏହାପର ଠାରୁ କଳିଙ୍ଗ ତଥା ବିଶ୍ୱର ଦର୍ଶକ ଆମେରିକା ବାଳିକାଙ୍କ ଜଲୱା ଦେଖିଥିଲେ। ମ୍ୟାଚ୍‌ର ୯ମ ମିନିଟରେ ମେଲିନା ଆମେରିକା ପାଇଁ ଚଳିତ ଫିଫା ଅଣ୍ଡର ୧୭ ବିଶ୍ୱକପରେ ପ୍ରଥମ ଗୋଲ ସ୍କୋର କରିଥିଲେ। ୧୫ତମ ମିନିଟରେ ଆମେରିକାକୁ ମିଳିଥିବା କର୍ଣ୍ଣରକୁ ଚାର୍ଲଲୋଟ୍ଟେ କୋହଲେର ଚମତ୍କାର ଢଙ୍ଗରେ ଗୋଲରେ ପରିଣତ କରିଥିଲେ।

୨୩ତମ ମିନିଟରେ ଆମେରିକା ତୃତୀୟ ଗୋଲ ସ୍କୋର କରିଥିଲା। ଓନୟେକା ଗାମେର ଗୋଲ ଦେଇ ଦେଇ ସ୍ଥିତି ୩-୦ କରିଥିଲେ। ୩୧ତମ ମିନିଟରେ ମେଲିନା ନିଜର ଦ୍ୱିତୀୟ ତଥା ଦଳର ୪ର୍ଥ ଗୋଲ ଦେଇଥିଲେ। ୩୯ତମ ମିନିଟରେ ଥୋମସନ ଦଳ ପାଇଁ ୫ମ ଗୋଲ ଦେଇଥିଲେ। ହାଫ ଟାଇମ ସୁଦ୍ଧା ଆମେରିକା ୫-୦ରେ ଆଗରେ ରହିଥିଲା।

ସେକେଣ୍ଡ ହାଫରେ ଭାରତ ଚୂଡ଼ାନ୍ତ ଏକାଦଶରେ ତିର୍କୀ, ଲିଶାମ ଓ ନକେତାଙ୍କୁ ସାମିଲ କରିଥିଲା। ହେଲେ ଏହାର ଫାଇଦା ମିଳି ନଥିଲା। ଆମେରିକା ପ୍ରଥମ ହାଫ ଭଳି ଦ୍ୱିତୀୟ ହାଫରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲା। ୫୧ ତମ ମିନିଟରେ ଇଲ୍ଲା ଇମରି ୬ଷ୍ଠ ଗୋଲ ଦେଇଥିଲେ। ୫୯ତମ ମିନିଟରେ ଗୋଲ ବକ୍ସ ମଧ୍ୟରେ କାଜୋଲ ଫାଉଲ କରିବାରୁ ଆମେରିକାକୁ ପେନାଲ୍ଟି ମିଳିଥିଲା। ଏହାକୁ ସୌରେଜ ଚମତ୍କାର ଢଙ୍ଗରେ ଗୋଲରେ ପରିଣିତ କରିଥିଲେ। ଭାରତୀୟ ମହିଳା ଟିମ୍‌ର ଗୋଲ କିପର ଅଞ୍ଜଳୀ ଏହାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ୬୨ତମ ମିନିଟରେ ଆମେରିକା ଗୋଲ ଦେଇ ରେକର୍ଡ କରିଥିଲା। ଆମେରିକାର ଏହା ଥିଲା ୮ମ ଗୋଲ। ଅଣ୍ଡର ୧୭ ମହିଳା ଫୁଟବଲରେ ଭାରତ ପ୍ରଥମଥର ପାଇଁ ୮ଟି ଗୋଲ ଖାଇବାର ଲଜ୍ଜାଜନକ ରେକର୍ଡ ଅଧିକାରୀ ହୋଇଥିଲା।


ସ୍ଥିତି ୮-୦ ରହିବା ପରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍‌ ଦେଖିବାକୁ ଯାଇଥିବା ଲୋକମାନେ ମଧ୍ୟ ନିରାଶ ହୋଇଥିଲେ। ଭାରତ ଶେଷ ଭାଗରେ କିଛି କାଉଣ୍ଟର ଆଟାକ କରିଥିଲେ ବି ଆମେରିକାର ରକ୍ଷଣଭାଗ ଭେଦ କରି ପାରି ନଥିଲା। ଶେଷରେ କଳିଙ୍ଗରେ ଆମେରିକା ୮-୦ରେ ମ୍ୟାଚ୍‌ ଜିତି ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।

ଏହାପୂର୍ବରୁ ଫିଫା ଅଣ୍ଡର ୧୭ ମହିଳା ବିଶ୍ୱକପର ପ୍ରଥମ ମ୍ୟାଚରେ ବ୍ରାଜିଲ ୧-୦ରେ ମେକ୍ସିକୋକୁ ହରାଇଥିଲା। ଏହି ମ୍ୟାଚ୍‌ ମଧ୍ୟ ଭୁବନେଶ୍ୱରରେ ଖେଳା ଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।