ଟିମ୍ ଇଣ୍ଡିଆ ସମର୍ଥନରେ ଜନ-ଗଣ-ମନ ଗାଇଲେ ପାକ୍ ପ୍ରଶଂସକ

ବର୍ମିଂହାମ୍: ଆଇସିସି ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମ୍ୟାଚରେ ପାକିସ୍ତାନୀ ପ୍ରଶଂସକ ଟିମ୍ ଇଣ୍ଡିଆ ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି। କାରଣ ଭାରତ ବିଜୟୀ ହେଲେ, ପାକିସ୍ତାନ ସେମିଫାଇନାଲ ଆଶା ଉଜ୍ଜୀବିତ ହେବ। ଏହି ମୁକାବିଲାରେ ଟସ୍ ବେଳେ ଏଜବାଷ୍ଟନ ଷ୍ଟାଡିୟମରେ ଉପସ୍ଥିତ ପାକିସ୍ତାନୀ ପ୍ରଶଂସକ ଟିମ୍ ଇଣ୍ଡିଆର ଉତ୍ସାହ ବଢ଼ାଇଥିଲେ।

ସେହିପରି ସୋଶାଲ ମିଡିଆରେ ପାକିସ୍ତାନ ପ୍ରଶଂସକ ମଧ୍ୟ ଟିମ୍ ଇଣ୍ଡିଆକୁ ସମର୍ଥନ କରିଥିଲେ । ମୁକାବିଲା ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର୍ ହୁସେନ୍ ଟ୍ୱିଟ୍ କରି ପାକିସ୍ତାନୀ ପ୍ରଶଂସକଙ୍କୁ ପଚାରିଥିଲେ ଯେ ସେମାନେ କେଉଁ ଟିମକୁ ସମର୍ଥନ କରିବେ।

ଜବାବରେ ଜଣେ ପାକିସ୍ତାନୀ ପ୍ରଶଂସକ ନାସିର୍ ଅଲୀ ଟ୍ୱିଟ୍ କରି ଭାରତର ଜାତୀୟ ସଙ୍ଗୀତ “ଜନ-ଗଣ-ମନ ଅଧିନାୟକ ଜୟ ହେ, ଭାରତ ଭାଗ୍ୟ ବିଧାତା” ଗାନ କରି ନିଜର ପ୍ରତିକ୍ରିୟା ଦେଇଥିଲେ। ଆଉ ଜଣେ ପ୍ରଶଂସକ ଲେଖିଥିଲେ, ଆମେ ଭାରତୀୟ ବାୟୁସେନାର ୱିଙ୍ଗ୍-କମାଣ୍ଡର୍ ଅଭିନନ୍ଦନଙ୍କୁ ଚା’ ପିଆଇଛୁ। ବିରାଟ୍ କୋହଲି ଆମ ହୃଦୟରେ ରାଜ୍ କରନ୍ତି।

ପାକିସ୍ତାନ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ୪ ବିଜୟ ଏବଂ ୩ ପରାଜୟବରଣ କରିଛି। ଗୋଟିଏ ମ୍ୟାଚ୍ ବାତିଲ ହୋଇଛି। ପାକ୍ ଟିମ୍ ୯ ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ପାକିସ୍ତାନ ତା’ର ପରବର୍ତ୍ତୀ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳିବ। ପାକିସ୍ତାନକୁ ଏହି ମ୍ୟାଚ୍ ନିହାତି ଜିତିବା ଦରକାର।