ବିଶ୍ୱକପ୍ ରେକର୍ଡ: ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ଶୂନ

ନୂଆଦିଲ୍ଲୀ: କ୍ରିକେଟର ମହାକୁମ୍ଭ କୁହାଯାଉଥିବା ବିଶ୍ୱକପ୍ ଯେତେ ପାଖେଇ ଆସୁଛି, ଲୋକଙ୍କ ମନରେ ସେତେ ଉତ୍ସାହ ଦେଖିବାକୁ ମିଳୁଛି। ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ମେ’ ୩୦ ତାରିଖରୁ ଆରମ୍ଭ ହେବ, ଯେଉଁଥିରେ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। କିନ୍ତୁ ପୂରା ଦୁନିଆର ନଜର ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁଥିବା ମୁକାବିଲା ଉପରେ ରହିଛି। ଏହି ମହାମୁକାବିଲାକୁ ନେଇ ଲୋକଙ୍କ ମନରେ ଏତେ ଉତ୍ସାହ ରହିଛି ଯେ, ବିକ୍ରି ହେବାର କେଇ ଘଣ୍ଟା […]

ind-pak-record

ind-pak-record

Hemant Lenka
  • Published: Monday, 27 May 2019
  • Updated: 27 May 2019, 04:45 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟର ମହାକୁମ୍ଭ କୁହାଯାଉଥିବା ବିଶ୍ୱକପ୍ ଯେତେ ପାଖେଇ ଆସୁଛି, ଲୋକଙ୍କ ମନରେ ସେତେ ଉତ୍ସାହ ଦେଖିବାକୁ ମିଳୁଛି। ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ମେ' ୩୦ ତାରିଖରୁ ଆରମ୍ଭ ହେବ, ଯେଉଁଥିରେ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। କିନ୍ତୁ ପୂରା ଦୁନିଆର ନଜର ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁଥିବା ମୁକାବିଲା ଉପରେ ରହିଛି।

ଏହି ମହାମୁକାବିଲାକୁ ନେଇ ଲୋକଙ୍କ ମନରେ ଏତେ ଉତ୍ସାହ ରହିଛି ଯେ, ବିକ୍ରି ହେବାର କେଇ ଘଣ୍ଟା ଭିତରେ ଟିକେଟ୍ ଶେଷ ହୋଇଯାଇଛି। ଭାରତ ଓ ପାକିସ୍ତାନ ମୁକାବିଲା ଜୁନ୍ ୧୬ ତାରିଖରେ ମାଞ୍ଚେଷ୍ଟରରେ ଖେଳାଯିବ। କାଗଜରେ ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତୀୟ ଟିମକୁ ସର୍ଫରାଜ ଅହମ୍ମଦଙ୍କ ପାକିସ୍ତାନ ତୁଳନାରେ ମଜଭୁତ୍ କୁହାଯାଉଛି। ଏହାଛଡ଼ା ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚର ରେକର୍ଡ ମଧ୍ୟ ଟିମ୍ ଇଣ୍ଡିଆ ସପକ୍ଷରେ ଅଛି।

ଦୁଇ ଟିମ୍ ଏପର୍ଯ୍ୟନ୍ତ ୬ଥର ପରସ୍ପରକୁ ଭେଟିସାରିଛନ୍ତି ଏବଂ ପ୍ରତିଥର ଭାରତ ବିଜୟୀ ହୋଇଛି। ଅନ୍ୟ ଅର୍ଥରେ କହିବାକୁ ଗଲେ, ବିଶ୍ୱକପରେ ପାକିସ୍ତାନ ଏପର୍ଯ୍ୟନ୍ତ ଭାରତକୁ ହରାଇ ପାରି ନାହିଁ। ବିଶ୍ୱକପରେ ବିରାଟଙ୍କ ଟିମ୍ ପୁଣିଥରେ ପାକିସ୍ତାନକୁ ହରାଇ ରେକର୍ଡ କାଏମ୍ ରଖିବାକୁ ଚାହିଁବ। ଅନ୍ୟପକ୍ଷରେ ପାକିସ୍ତାନ ଲଗାତାର ପରାଜୟଧାରାକୁ ଭାଙ୍ଗିବା ପାଇଁ ତା'ର ପୂରା ଶକ୍ତି ଲଗାଇ ଦେବ। ତେଣୁ କିଏ ଜିତିବ, କିଏ ହାରିବ ତାହା ଜୁନ୍ ୧୬ ତାରିଖରେ ସ୍ପଷ୍ଟ ହୋଇଯିବ। ତେବେ ବିଶ୍ୱକପରେ ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମୁକାବିଲାରେ ଟିମ୍ ଇଣ୍ଡିଆର ବିଜୟ ସ୍କ୍ରିପ୍ଟ ଉପରେ ନଜର ପକାଇବା।

୧୯୯୨- ସଚିନଙ୍କ ଅଲରାଉଣ୍ଡର ପ୍ରଦର୍ଶନ
ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ମୁକାବିଲା ୧୯୯୨ରେ ହୋଇଥିଲା। ସେହି ସମୟରେ ପାକିସ୍ତାନ ଟିମରେ ଇମ୍ରାନ୍ ଖାନ, ୱାସିମ୍ ଆକ୍ରାମ, ଜାଭେଦ୍ ମିଆଁଦାଦଙ୍କ ଭଳି ଅଭିଜ୍ଞ ଖେଳାଳି ଥିଲେ। ମାର୍ଚ୍ଚ ୪, ୧୯୯୨ରେ ସିଡନୀରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ୭ ୱିକେଟ୍ ହରାଇ ୨୧୬ ରନ୍ କରିଥିଲା। ମ୍ୟାଚରେ ସଚିନ ୬୨ ବଲରେ ୩ ଚୌକା ସହ ଅପରାଜିତ ୫୪ ରନ୍ କରିଥିବା ବେଳେ କପିଲ୍ ଦେବ ୨୬ ବଲରେ ଦ୍ରୁତ ୩୫ ରନ୍ କରିଥିଲେ। ଜବାବରେ ପାକିସ୍ତାନ ଟିମ୍ ଏକ ସମୟରେ ୨ ୱିକେଟରେ ୧୦୦ ରନ୍ କରି ବିଜୟଆଡ଼କୁ ଅଗ୍ରସର ହେଉଥିଲା। ପାକିସ୍ତାନ ସ୍କୋର ୧୦୫ ରନ୍ ଥିବା ବେଳେ ସଚିନ ଆମୀର ସୋହେଲ (୬୨ ରନ୍)ଙ୍କୁ ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ ଭାରତ ସମ୍ପୂର୍ଣ୍ଣ ଭାବେ ବାଜି ପଲଟାଇ ଦେଇଥିଲା ଏବଂ ପାକିସ୍ତାନ ଟିମକୁ ୪୮.୧ ଓଭରରେ ୧୭୩ ଅଲଆଉଟ୍ କରି ମ୍ୟାଚକୁ ୪୩ ରନରେ ଜିତି ନେଇଥିଲା। ସଚିନ ତେନ୍ଦୁଲକର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ହୁଏତ ପାକିସ୍ତାନ ଟିମକୁ ଭାରତଠାରୁ ହାରିବାକୁ ପଡ଼ିଥିଲା, କିନ୍ତୁ ଇମ୍ରାନ୍ ଖାନଙ୍କ ନେତୃତ୍ୱରେ ଏହି ଟିମ୍ ବିଶ୍ୱ ଚାମ୍ପିଅନ୍ ହୋଇଥିଲା।

୧୯୯୬- ସିଦ୍ଧୁ ଓ ଜାଡେଜାଙ୍କ ଧମାକା
୧୯୯୬ ବିଶ୍ୱକପ୍ କ୍ୱାର୍ଟରଫାଇନାଲ୍ ମୁକାବିଲା ମାର୍ଚ୍ଚ ୯ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହୋଇଥିଲେ। ପାକିସ୍ତାନ ଟିମର ନିୟମିତ ଅଧିନାୟକ ୱାସିମ୍ ଆକ୍ରାମ ଆହତ କାରଣରୁ ମ୍ୟାଚ୍ ଖେଳିପାରିନଥିଲେ। ତାଙ୍କ ଅନୁପସ୍ଥିତିରେ ଆମୀର ସୋହେଲ୍ ଟିମ୍ ନେତୃତ୍ୱ ନେଇଥିଲେ। ମ୍ୟାଚରେ ନବଜୋତ୍ ସିଂହ ସିଦ୍ଧୁ ୯୩ ଓ ଅଜୟ ଜାଡେଜାଙ୍କ ଦ୍ରୁତ ୪୫ (୨୫ ବଲ, ୪ ଚୌକା, ୨ ଛକା) ବଳରେ ଭାରତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୮୭ ରନ୍ କରିଥିଲା। ମ୍ୟାଚରେ ଜାଡେଜା ପାକିସ୍ତାନର ୱକାର ୟୁନିସଙ୍କୁ ପ୍ରବଳ ଧୂଲେଇ କରିଥିଲେ। ଜବାବରେ ସଇଦ ଅନୱର ଓ ସୋହେଲଙ୍କ ଓପନିଂ ଯୋଡ଼ି ପ୍ରଥମ ୱିକେଟ୍ ପାଇଁ ଦ୍ରୁତ ୮୪ ରନର ଭାଗୀଦାରୀ କରି ଭାରତର ଚିନ୍ତା ବଢ଼ାଇ ଦେଇଥିଲେ। କିନ୍ତୁ ପ୍ରଥମ ୱିକେଟ୍ ଭାବେ ଅନୱରଙ୍କ ଆଉଟ୍ ହେବା ପରେ ପାକିସ୍ତାନ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଏହିପରି ଭାବେ ପାକିସ୍ତାନ ୯ ୱିକେଟରେ ୨୪୮ ରନ୍ କରିବାକୁ ସକ୍ଷମ ହୋଇଥିଲା ଏବଂ ଭାରତ ମ୍ୟାଚକୁ ୩୯ ରନରେ ଜିତି ସେମିଫାଇନାଲରେ ସ୍ଥାନ ହାସଲ କରିଥିଲା।

୧୯୯୯- ପ୍ରସାଦଙ୍କ ଘାତକ ବୋଲିଂ
୮ ଜୁନ୍, ୧୯୯୯ରେ ମାଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚରେ ଭାରତ ୪୭ ରନରେ ବିଜୟୀ ହୋଇଥିଲା। କାରଗିଲ୍ ଯୁଦ୍ଧ ସମୟରେ ଏହି ମ୍ୟାଚ୍ ଖେଳାଯାଇଥିଲା ଏବଂ ଉଭୟ ଦଳ ଏହି ମ୍ୟାଚ୍ ଜିତି ସମ୍ମାନ ରକ୍ଷା ପାଇଁ ମଇଦାନକୁ ଓହ୍ଲାଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ୱିକେଟ୍ ହରାଇ ୨୨୭ ରନ୍ କରିଥିଲା। ରାହୁଲ ଡ୍ରାଭିଡ୍ ସର୍ବାଧିକ ୬୧, ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ୫୯ ଓ ସଚିନ ତେନ୍ଦୁଲକର ୪୫ ରନ୍ କରିଥିଲେ। ଜବାବରେ ଭେଙ୍କଟେଶ ପ୍ରସାଦଙ୍କ ଘାତକ ବୋଲିଂ (୨୭/୫) ଆଗରେ ପାକିସ୍ତାନ ଟିମ୍ ୪୫.୩ ଓଭରରେ ୧୮୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଜଭାଗଲ୍ ଶ୍ରୀନାଥ ୩ ଓ ଅନୀଲ କୁମ୍ବଲେ ୨ ୱିକେଟ୍ ନେଇଥିଲେ । ପ୍ରସାଦ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

୨୦୦୩-ସଚିନଙ୍କଠାରୁ ହାରିଯାଇଥିଲା ପାକିସ୍ତାନ ଟିମ୍
୨୦୦୩ରେ ହୋଇଥିବା ଏହି ମୁକାବିଲାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୯୮ ରନ୍, ୭୫ ବଲ୍, ୧୨ ଚୌକା, ୧ ଛକା) ସୋଏବ ଅଖତର ସମେତ ପାକିସ୍ତାନ ବୋଲରଙ୍କୁ ଖୁବ୍ ଧୂଲେଇ କରିଥିଲେ ଏବଂ ଭାରତର ୬ ୱିକେଟ୍ ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ। ପାକିସ୍ତାର ପ୍ରଥମେ ବ୍ୟାଟିଂ କରି ସଇଦ ଅନୱର (୧୦୧)ଙ୍କ ଶତକ ବଳରେ ୫୦ ଓଭରରେ ୭ ୱିକେଟ୍ ହରାଇ ୨୭୩ ରନ୍ କରିଥିଲା। ଜବାବରେ ଭାରତ ୪୫.୪ ଓଭରରେ ୪ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା। ଭାରତ ପକ୍ଷରୁ ସଚିନଙ୍କ ବ୍ୟତୀତ ବୀରେନ୍ଦ୍ର ସେହ୍ୱାଗ (୨୫), ରାହୁଲ ଡ୍ରାଭିଡ୍ (୪୪*) ଓ ଯୁବରାଜ ସିଂହ (୫୦*) ପାକିସ୍ତାନ ବୋଲିଂ ଆକ୍ରମଣକୁ ନିର୍ଧୁମ ଧୂଲେଇ କରିଥିଲେ। ସଚିନ ନିଜର ଆକ୍ରମଣାତ୍ମକ ଇନିଂସ୍ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

୨୦୧୧- ସଚିନ ପୁଣି ମ୍ୟାନ୍ ଅଫ୍ ଦି ମ୍ୟାଚ୍
୩୦ ମାର୍ଚ୍ଚ, ୨୦୧୧ରେ ମୋହାଲିରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍ ସେମିଫାଇନାଲ୍ ଖେଳାଯାଇଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଏହି ମ୍ୟାଚକୁ ୨୯ ରନରେ ଜିତି ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ମଧ୍ୟ ଭାରତ ଶ୍ରୀଲଙ୍କାକୁ ହରାଇ ଚାମ୍ପିଅନ୍ ହୋଇଥିଲା। ସେମିରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ୍ ହରାଇ ୨୬୦ ରନ୍ କରିଥିଲା। ସଚିନ ୧୧୫ ବଲରେ ୮୫ (୧୧ ଚୌକା) ରନ୍ କରିଥିଲେ। ବୀରେନ୍ଦ୍ର ସେହ୍ୱାଗ (୩୮) ଓ ସୁରେଶ ରାଇନା (୩୬) ମଧ୍ୟ ଆବଶ୍ୟକ ଯୋଗଦାନ କରିଥିଲେ। ଜବାବରେ ପାକିସ୍ତାନ ଟିମ୍ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୩୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ସଚିନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

୨୦୧୫- ବିରାଟ୍ କୋହଲିଙ୍କ ଶତକ
ଫେବୃଆରୀ ୧୫, ୨୦୧୫ରେ ଆଡିଲେଡରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି ୧୨୬ ବଲରେ ୧୦୭ (୮ ଚୌକା) ରନ୍ କରିଥିଲେ ଏବଂ ଭାରତ ୭୬ ରନରେ ବିଜୟ ହାସଲ କରିଥିଲା। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୦ ରନ୍ କରିଥିଲେ। ଶିଖର ଧୱନ୍ ୭୩ ଓ ସୁରେଶ ରାଇନା ୭୪ ରନର ମୂଲ୍ୟବାନ୍ ଇନିଂସ୍ ଖେଳିଥିଲେ। ଜବାବରେ ପାକିସ୍ତାନ ୪୭ ଓଭରରେ ୨୨୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଶତକୀୟ ଇନିଂସ୍ ପାଇଁ କୋହଲି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos