ବାଙ୍ଗାଲୋରକୁ ୧୭୧ ରନ୍‌ରେ ରୋକିଲା ପଞ୍ଜାବ

ଶାରଜା: ବିରାଟଙ୍କ କୋହଲିଙ୍କ ୪୮ ଓ ଶେଷ ଭାଗରେ ଇସ୍ରୁ ଉଦାନା ଏବଂ କ୍ରିସ ମୋରିସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୭୧ ରନ୍‌ କରିଛି। ଫଳରେ ପଞ୍ଜାବକୁ ଏହି ମଷ୍ଟ ୱିନ ଗେମ୍‌ରେ ୧୭୨ ରନ୍‌ର ଟାର୍ଗେଟ ମିଳିଛି।

ବିରାଟ ୪୮ ରନ୍‌ କରିଥିବା ବେଳେ ମୋରିସ ୮ ବଲରେ ୨୫ ଓ ଉଦାନା ୫ ବଲରେ ଅପରାଜିତ ୧୦ ରନ୍‌ର ଇନିଂସ ଖେଳିଛନ୍ତି। ପଞ୍ଜାବ ପକ୍ଷରୁ ମୁର୍ଗାନ ଅଶ୍ୱିନ ଓ ମହମ୍ମଦ ଶାମି ୨ଟି ଲେଖାଏ ୱିକେଟ ନେଇଛନ୍ତି।

ଟସ୍‌ ଜିତି ବିରାଟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ୱିକେଟ ପାଇଁ ବାଙ୍ଗାଲୋର ୪.୧ ଓଭର୍‌ରେ ୩୮ ରନ୍‌ ହାସଲ କରିଥିଲା। ତେବେ ଏହି ସମୟରେ ୧୮ ରନ୍ କରିଥିବା ପାଡିକ୍କଲଙ୍କୁ ଅର୍ଶଦୀପ ଆଉଟ କରିଦେଇଥିଲେ। ଫିଞ୍ଚ ମଧ୍ୟ ୨୦ ରନ୍ କରି ଅଶ୍ୱିନଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ।

ବିରାଟ ଓ ୱାଶିଂଟନ ସୁନ୍ଦର(୧୩) ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୮୬ରେ ପହଞ୍ଚାଇଥିଲେ। କିନ୍ତୁ ସୁନ୍ଦରଙ୍କୁ ଅଶ୍ୱିନ ଆଉଟ କରିଦେଇଥିଲେ। ଶିବମ ଦୁବେ(୨୩) ଓ ଡିଭିଲିୟର୍ସ(୨) ନିରାଶ କରିଥିଲେ। ବିରାଟ ଅର୍ଦ୍ଧଶତକ ଆଡ଼କୁ ଯାଉଥିବା ବେଳେ ଶାମି ତାଙ୍କୁ ଆଉଟ କରିଦେଇଥିଲେ। ଶେଷ ଭାଗରେ ମୋରିସ ୨୫ ଓ ଉଦାନା ଦ୍ରୁତ ୧୦ ରନ୍‌ କରିବାରୁ ବାଙ୍ଗାଲୋର ୧୭୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।