ବସେଲ: ବିଶ୍ୱ ଚାମ୍ପିୟନ ତଥା ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ ସ୍ୱିସ ଓପନ ସୁପର ୩୦୦ ଟୁର୍ଣ୍ଣାମେଣ୍ଟରେ ନିଜର ଜଲୱା ଦେଖାଇଛନ୍ତି। ସେ ସେମିଫାଇନାଲ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ମିଆ ବ୍ଲିଚଫେଲଡଟଙ୍କୁ ସିଧାସଳଖ ୨-୦ ସେଟ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି।
ସିନ୍ଧୁ ବିଶ୍ୱର ୪ର୍ଥ ସିଡ୍ ମିଆଙ୍କୁ ୨୨-୨୦ ଓ ୨୧-୧୦ ସେଟ୍ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍ଟି ୪୩ ମିନିଟ୍ ଧରି ଚାଲିଥିଲା। ଜାନୁଆରୀ ମାସରେ ଥାଇଲ୍ୟାଣ୍ଡ ଓପନର ପ୍ରଥମ ରାଉଣ୍ଡରେ ମିଆ ଏକତରଫା ଭାବେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ଆଜି ସେମି ଫାଇନାଲରେ ସିନ୍ଧୁ ଏହାର ମଧୁର ପ୍ରତିଶୋଧ ନେଇଛନ୍ତି।
ଏହାପୂର୍ବରୁ ସିନ୍ଧୁ କ୍ୱାର୍ଟର ଫାଇନାଲରେ ଥାଇଲ୍ୟାଣ୍ଡର ବୁସାନାନଙ୍କୁ ୨୧-୧୬ ଓ ୨୩-୨୧ରେ ପରାସ୍ତ କରିଥିଲେ। ଆଜିର ମ୍ୟାଚରେ ମିଆଙ୍କ ସହ ସିନ୍ଧୁଙ୍କର ପ୍ରଥମ ସେଟରେ ଜୋରଦାର ଟକ୍କର ହୋଇଥିଲା। ହେଲେ ଦ୍ୱିତୀୟ ସେଟରେ ସିନ୍ଧୁ ଚମତ୍କାର ପ୍ରଦର୍ଶନ କରି ମିଆଙ୍କୁ ସଂପୂର୍ଣ୍ଣ ବ୍ୟାକଫୁଟ ଠେଲି ଦେଇଥିଲେ। ଏଥିସହ ବିଜୟ ଲାଭ କରି ଫାଇନାଲ ଟିକେଟ ହାସଲ କରିଥିଲେ।
ଆସନ୍ତାକାଲି ଫାଇନାଲରେ ସିନ୍ଧୁଙ୍କ ମୁକାବିଲା ଅଲିମ୍ପିକ୍ସ ଚାମ୍ପିୟନ କାରୋଲିନା ମାରିନ କିମ୍ବା ଥାଇଲ୍ୟାଣ୍ଡର ପୋର୍ଣ୍ଣପାୱେ ଛୋଚୁୱଙ୍ଗଙ୍କ ମଧ୍ୟରୁ ଜଣଙ୍କ ସହ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସିନ୍ଧୁ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍ ପରେ କୌଣସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।