ମା’ଙ୍କ ଜନ୍ମ ଦିନରେ ସିନ୍ଧୁ ବିଶ୍ୱ ବିଜେତା

ବସେଲ: ଇତିହାସ ସୃଷ୍ଟି କରିଛନ୍ତି ଭାରତର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁ। ସେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ଦୁଇଥର ଫାଇନାଲ୍‌ରେ ପରାସ୍ତ ହୋଇଥିବା ସିନ୍ଧୁ ଆଜି କିନ୍ତୁ ତାଙ୍କ ମା’ଙ୍କ ଜନ୍ମ ଦିନରେ ସ୍ୱର୍ଣ୍ଣ ଜିତିବାର ଅଧୂରା ସ୍ୱପ୍ନକୁ ପୂରଣ କରିପାରିଛନ୍ତି। ଏହି ସ୍ୱର୍ଣ୍ଣ ପଦକକୁ ସେ ତାଙ୍କ ମା’ଙ୍କୁ ଉର୍ତ୍ସଗ ମଧ୍ୟ କରିଛନ୍ତି।

ଫାଇନାଲରେ ସିନ୍ଧୁଙ୍କ ମୁକାବିଲା ୨୦୧୭ ବିଶ୍ୱ ବିଜେତା ଜାପାନର ନିଜୋମି ଓକୁହାରାଙ୍କ ସହ ହୋଇଥିଲା। ପୂର୍ବରୁ ତାଙ୍କ ଠାରୁ ଫାଇନାଲ୍‌ରେ ସିନ୍ଧୁ ପରାସ୍ତ ହୋଇଥିବାରୁ ଏଥର ଏହାର ପ୍ରତିଶୋଧ ନେବାକୁ ସୁଯୋଗ ପାଇଥିଲେ।

ଏହି ସୁଯୋଗକୁ ସିନ୍ଧୁ ଆଦୌ ହାତ ଛଡ଼ା ମଧ୍ୟ କରି ନଥିଲେ। ମ୍ୟାଚ୍‌ର ପ୍ରଥମ ପଏଣ୍ଟ ଓକୁହାରା ପାଇଥିଲେ ହେଁ ଏହାପରେ ସିନ୍ଧୁ ତାଙ୍କୁ ସଂପୂର୍ଣ୍ଣ ଧରାଶାୟୀ କରିଦେଇଥିଲେ। ଲଗାତର ୮ଟି ପଏଣ୍ଟ ନେଇ ସିନ୍ଧୁ ସ୍ଥିତିକୁ ୮-୧ କରିଦେଇଥିଲେ।

ପ୍ରଥମ ସେଟ୍‌କୁ ସିନ୍ଧୁ ୨୧-୭ରେ କବଜା କରି ୧-୦ରେ ଆଗୁଆ ହୋଇଯାଇଥିଲେ। ଦ୍ୱିତୀୟ ସେଟ୍‌ରେ ଓକୁହାରା କମବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ ହେଁ ସିନ୍ଧୁଙ୍କ ଆଗରେ ତାଙ୍କର କୌଣସି ରଣନୀତି କାମ ଦେଇ ନଥିଲା।

ଏହି ସେଟ୍‌କୁ ମଧ୍ୟ ସିନ୍ଧୁ ଏକପାଖିଆ ଭାବେ ୨୧-୭ରେ ଜିତିବା ସହ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ। ପ୍ରଥମ ସେଟ୍‌ଟିକୁ ୧୬ ମିନିଟ୍‌ରେ ଜିତିଥିବା ସିନ୍ଧୁ ଦ୍ୱିତୀୟ ସେଟ୍‌କୁ କବଜା କରିବାକୁ ୨୦ ମିନିଟ୍‌ ସମୟ ନେଇଥିଲେ। ପୂର୍ବରୁ ବିଶ୍ୱ ଚାମ୍ପିୟନଶିପ୍‌ରେ ସିନ୍ଧୁ ୨ଟି ବ୍ରୋଞ୍ଜ ଏବଂ ୨ଟି ରୌପ୍ୟ ପଦକ ଜିତିଥିଲେ।

ସିନ୍ଧୁ ବିଜୟ ପରେ କହିଛନ୍ତି, ଆଜି ମୋ ମା’ର ଜନ୍ମ ଦିନ। ଏହି ଜନ୍ମ ଦିନରେ ମୁଁ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିପାରିଛି। ଏହି ବିଜୟ ପଦକକୁ ମୁଁ ମୋ ମା’କୁ ଉର୍ତ୍ସଗ କରିବାକୁ ଚାହେଁ। ଏଥିସହ ସ୍ୱର୍ଣ୍ଣ ଜିତିବାର ଶ୍ରେୟ ମୁଁ  କୋଚ ପୁଲେଲା ଗୋପିଚାନ୍ଦ ଓ ସର୍ପୋଟ ଷ୍ଟାଫ ମାନଙ୍କୁ ଦେବାକୁ ଚାହିଁବି। ମୁଁ ପୂର୍ବରୁ ଦୁଇ ଥର ଫାଇନାଲରେ ପ୍ରବେଶ କରିଥିଲେ ହେଁ କେବେ ହେଲେ ସ୍ୱର୍ଣ୍ଣ ଜିତି ପାରି ନଥିଲି। ହେଲେ ଆଜି ଏହା ସମ୍ଭବ ହୋଇପାରିଛି।”

୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ଇଣ୍ଡୋନେସିଆ ଓପନରେ ଓକୁହାରାଙ୍କୁ ପରାସ୍ତ କରିଥିଲେ। ଉଭୟ ଖେଳାଳି ୧୫ଥର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଆଜି ଯାଏ ମୁହାଁମୁହିଁ ହୋଇଛନ୍ତି। ଏଥି ମଧ୍ୟରୁ ସିନ୍ଧୁ ୮ଥର ଜିତିଥିବା ବେଳେ ଓକୁହାରା ୭ଥର ବାଜିମାତ କରିଛନ୍ତି।

୨୦୧୭ ଓ ୨୦୧୮ରେ ସିନ୍ଧୁ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଥିଲେ। ୨୦୧୭ରେ ଓକୁହାରା ଏବଂ ୨୦୧୮ରେ ସ୍ପେନ ତାରକା କାରୋଲିନା ମାରିନ୍‌ଙ୍କ ଠାରୁ ପରାସ୍ତ ହୋଇ ରୌପ୍ୟ ପଦରେ ସନ୍ତୁଷ୍ଟ ହୋଇଥିଲେ।

୨୦୧୩ ଓ ୨୦୧୪ରେ ବିଶ୍ୱ ବ୍ୟାଡମିଣ୍ଟନରେ ଭାଗ ନେଇଥିବା ସିନ୍ଧୁ କ୍ରମାଗତ ବ୍ରୋଞ୍ଜ ପଦକ ଜିତି ଥିଲେ।