ବିଳାସପୁର: ଛତିଶଗଡ଼ ରଣଜୀ ଟିମ୍ ଚୟନରେ ପକ୍ଷପାତିତା ଅଭିଯୋଗରେ ଦାଖଲ କରାଯାଇଥିବା ଜନସ୍ୱାର୍ଥ ମାମଲା ଆଧାରରେ ଛତିଶଗଡ଼ ହାଇକୋର୍ଟ ବିସିସିଆଇକୁ ନୋଟିସ୍ କରିଛନ୍ତି। ଏହା ସହିତ ଛତିଶଗଡ଼ ରାଜ୍ୟ କ୍ରିକେଟ୍ ସଂଘ (ସିଏସ୍ସିଏସ୍)କୁ ବି କୋର୍ଟ ନୋଟିସ୍ ପଠାଇଛନ୍ତି।
ପୂର୍ବତନ କ୍ରିକେଟର ଆର୍. ବିଜୟ ନାଇଡୁ (ରାଇପୁରର ବାସିନ୍ଦା) ଏହି ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଚଳିତ ସିଜିନ୍ରେ ରଣଜୀ ଡେବ୍ୟୁ କରିବାକୁ ଥିବା ଛତିଶଗଡ଼ ଟିମ୍ ଚୟନରେ ପକ୍ଷପାତିତା କରାଯାଇଛି। ଚୟନ ନିମିତ୍ତ ରହିଥିବା ନିୟମ ଓ ଅନ୍ୟ କାର୍ଯ୍ୟକ୍ରମ ସଂପର୍କରେ ଛତିଶଗଡ଼ ରାଜ୍ୟ କ୍ରିକେଟ୍ ସଂଘ (ସିଏସ୍ସିଏସ୍)ର ୱେବସାଇଟ୍ରେ କିଛି ଉଲ୍ଲେଖ ନାହିଁ। କୌଣସି ପରିସ୍ଥିତିରେ ସ୍ୱଚ୍ଛତା ସହିତ ବୁଝାମଣା କରାଯାଇପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ବିସିସିଆଇ ବନାମ ବିହାର କ୍ରିକେଟ୍ ଆସୋସିଏସନ୍ ମାମଲାରେ ସ୍ପଷ୍ଟ କରିଥିବା ବେଳେ ଛତିଶଗଡ଼ ଏହାକୁ ଅଣଦେଖା କରିଛି।
ସେ ଆହୁରି ଅଭିଯୋଗ କରଛନ୍ତି ଯେ ଛତିଶଗଡ଼ ରଣଜୀ ଟିମ୍ରେ ସ୍ଥାନ ପାଇଥିବା ରିଶଭ ତିୱାରୀ, ଅଭିନାଶ ଧାରିୱାଲ ଓ ଆଶୁତୋଷ ସିଂହ କୌଣସି ପ୍ରକାର ଚୟନ ପ୍ରକ୍ରିୟାରେ ଭାଗ ନେଇ ନ ଥିଲେ। ପ୍ରିୟାପ୍ରୀତି ପୋଷଣ କରି ଟିମ୍ ଚୟନ କରାଯାଇଛି।
ଅକ୍ଟୋବର ୧୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।