ବ୍ୟାକଫୁଟରେ ଓଡ଼ିଶା, ସେମିରେ ଗୋଟେ ପାଦ ଥୋଇଲା ବେଙ୍ଗଲ

ଟାଙ୍ଗୀ: ଦୀର୍ଘ ବର୍ଷ ପରେ ରଣଜୀ ଟ୍ରଫି ସେମି ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଥିବା ଟିମ୍‌ ଓଡ଼ିଶାର ସବୁ ସ୍ୱପ୍ନ ଏବେ ଚୂରମାର ହେବାକୁ ବସିଛି। ଏବେ କେବଳ କୌଣସି ଚମତ୍କାର ହିଁ ଓଡ଼ିଶାକୁ ସେମି ଫାଇନାଲ ଟିକେଟ ଦେଇପାରିବ। ଅନ୍ୟପକ୍ଷରେ ବେଙ୍ଗଲ ପ୍ରଥମ ଇନିଂସ୍‌ରେ ଲିଡ୍‌ ହାସଲ କରି ସେମି ଫାଇନାଲ ଖେଳିବାକୁ ଗୋଟିଏ ପାଦ ଆଗୁ ବଢ଼ାଇଛି।

ବେଙ୍ଗଲର ପ୍ରଥମ ଇନିଂସ୍‌ ୩୩୨ରନର ଜବାବରେ ଓଡ଼ିଶା ୨୫୦ ରନ୍‌ କରି ଅଲଆଉଟ ହୋଇଯାଇଛି। ଫଳରେ ଭ୍ରମଣକାରୀ ଦଳ ଗୁରୁତ୍ୱପୂର୍ଣ୍ଣ ୮୨ ରନ୍‌ର ଲିଡ୍‌ ପାଇଛି। ତୃତୀୟ ଦିନରେ ବେଙ୍ଗଲ ଜବରଦସ୍ତ ବ୍ୟାଟିଂ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ବେଙ୍ଗଲ ୨ ୱିକେଟ ହରାଇ ୭୯ ରନ୍‌ କରିନେଇଛି। ଏଥିସହ ଲିଡ୍‌କୁ ମଧ୍ୟ ୧୬୧ରେ ପହଞ୍ଚାଇ ଦେଇଛି।

ମ୍ୟାଚ୍‌ ଶେଷ ହେବାକୁ ଆଉ ଦୁଇ ଦିନ ରହିଛି। ତେଣୁ ଓଡ଼ିଶା ଯଥାଶୀଘ୍ର ବେଙ୍ଗଲକୁ ଆଉଟ କରି ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବ। ମ୍ୟାଚ୍‌ ଡ୍ର ରହିଲେ ବେଙ୍ଗଲ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ସେମି ଫାଇନାଲ ଟିକେଟ ହାସଲ କରିବ।

ଗତକାଲି ବେଙ୍ଗଲ ୩୩୨ ରନ୍‌ରେ ଅଲଆଉଟ ହେବା ପରେ ଓଡ଼ିଶା ଇନିଂସ୍‌ ଆରମ୍ଭ କରିଥିଲା। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ୪ ୱିକେଟ ହରାଇ ୧୫୧ ରନ୍‌ କରିଥିଲା। ଆଜି ଦେବବ୍ରତ ପ୍ରଧାନ ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ପ୍ରଥମ ଏକ ଘଣ୍ଟା ବେଶ ସତର୍କତାର ସହ ଖେଳିଥିଲେ। ଉଭୟ ୪୦ ରନର ଭାଗିଦାରୀ କରି ଦଳୀୟ ସ୍କୋରକୁ ୧୯୧ରେ ପହଞ୍ଚାଇ ଦେଇଥିଲେ।

ନୂଆ ବଲ ବେଙ୍ଗଲ ନେବା କ୍ଷଣି ୧୫ ରନ୍ କରିଥିବା ଦେବବ୍ରତଙ୍କୁ ନୀଲକଣ୍ଠ ଦାସ ଆଉଟ କରି ଦିବସର ପ୍ରଥମ ସଫଳତା ହାସଲ କରିଥିଲେ। ଦେବବ୍ରତଙ୍କ ପରେ ଆସିଥିବା ଅଭିଜ୍ଞ ବିପ୍ଳବ ସାମନ୍ତରାୟଙ୍କ ଉପରେ ଦଳ ପୂରା ଦଳ ନିର୍ଭର କରିଥିଲା। ହେଲେ ସେ ମାତ୍ର ୩ ରନ୍‌ କରି ମୁକେଶ କୁମାରଙ୍କ ବଲରେ ଆଉଟ ହୋଇଥିଲେ।

ରାଜେଶ ଧୂପର ମଧ୍ୟ ୧୦ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ(୧୩) ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। ଗୋଟିଏ ପଟେ ଛିଡ଼ା ହୋଇଥିବା ଶୁଭ୍ରାଂଶୁ ଶେଷରେ ୪୬ ରନ୍‌ କରି ଇଶାନ ପୋରେଲଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ବସନ୍ତ ମହାନ୍ତି(୫)ଙ୍କୁ ପୋରେଲ ବୋଲ୍ଡ କରି ଓଡ଼ିଶା ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଓଡ଼ିଶା ଆଜି ଶେଷ ୬ ୱିକେଟରେ ମାତ୍ର ୯୯ ରନ୍‌ କରିବାକୁ ହିଁ ସକ୍ଷମ ହୋଇଛି। ବେଙ୍ଗଲର ୩ ଦ୍ରୁତ ବୋଲର ପୋରେଲ, ମୁକେଶ କୁମାର ଓ ନୀଳକଣ୍ଠ ଦାସ ୩ଟି ଲେଖାଏ ୱିକେଟ ନେଇଛନ୍ତି। ଶହବାଜ ଅହମଦଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

ପ୍ରଥମ ଇନିଂସ୍‌ରେ ୮୨ ରନ୍‌ର ଲିଡ୍‌ ପାଇଥିବା ବେଙ୍ଗଲ ଦ୍ୱିତୀୟ ଇନିଂସ୍‌ରେ ଜବରଦସ୍ତ ବ୍ୟାଟିଂ କରିଥିଲା। ଓଡ଼ିଶା ପକ୍ଷରୁ ନୂଆ ବଲରେ କ୍ରମାଗତ ଭଲ ବୋଲିଂ କରି ଆସୁଥିବା ଅଭିଜ୍ଞ ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଆଜି ଆଦୌ ଲୟରେ ନଥିଲେ। ଏହାର ଫାଇଦା ଉଠାଇ ଅଭିମନ୍ୟୁ ଈଶ୍ୱରନ ଓ କୌଶିକ ଘୋଷ ପ୍ରଥମ ୱିକେଟ ପାଇଁ ୬୦ ରନ୍‌ର ଭାଗିଦାରୀ କରିଥିଲେ।

ଏହି ସମୟରେ ୩୦ ରନ୍‌ କରିଥିବା ଅଭିମନ୍ୟୁଙ୍କୁ ଗୋବିନ୍ଦ ପୋଦ୍ଦାର ଆଉଟ ପରି ଭାଗିଦାରୀକୁ ଭାଙ୍ଗିଥିଲେ। ପାର୍ଟଟାଇମ ବୋଲର ଅନୁରାଗ ଷଡ଼ଙ୍ଗୀ ୪୧ ରନ୍ କରିଥିବା କୌଶିକଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ତେବେ ଏହାପରେ ବେଙ୍ଗଲ ଆଉ କୌଣସି ୱିକେଟ ହରାଇ ନଥିଲା। ଷ୍ଟମ୍ପ ଅପସାରଣ ବେଳକୁ ଅଭିଷେକ ରମଣ(୪) ଓ ମନୋଜ ତିୱାରୀ(୩) ରନ୍‌ କରି ଅପରାଜିତ ରହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।