ରଣଜୀ ଫାଇନାଲ: ଗୁଜରାଟ ସମ୍ମୁଖରେ ୩୧୨ ରନ୍‌ର ବିଜୟ ଲକ୍ଷ୍ୟ

ଇନ୍ଦୋର: ଇନ୍ଦୋରରେ ଚାଲିଥିବା ରଣଜୀ ଫାଇନାଲରେ ଗୁଜରାଟ ସମ୍ମୁଖରେ ମୁମ୍ବାଇ ୩୧୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଗୁଜରାଟ ବିନା କୌଣସି ୱିକେଟ୍‌ ହରାଇ ୪୭ ରନ୍‌ କରି ନେଇଛି। ଆସନ୍ତାକାଲି ମ୍ୟାଚ୍‌ରେ ଶେଷ ଦିନ ହୋଇଥିବା ବେଳେ ଗୁଜରାଟକୁ ଜିତିବାକୁ ଆଉ ୨୬୫ ରନ୍‌ର ଆବଶ୍ୟକତା ରହିଛି। ଏସ୍‌ବି ଗୋହିଲ ୮ ଏବଂ ପିକେ ପଞ୍ଚାଲ ୩୪  ରନ୍‌ କରି ଅପରାଜିତ ଅଛନ୍ତି।

ଗତକାଲିର ୨୦୮/୩ର ଅସମାପ୍ତ ପାଳିରୁ ଖେଳ ଆରମ୍ଭ କରିଥିବା ମୁମ୍ବାଇ ଆଜି ୪୧୧ ରନ୍ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଅଭିଷେକ ଲାୟର ସର୍ବାଧିକ ୯୧ ରନ୍‌ କରିଥିବା ବେଳେ ଏସ୍‌. ଲାୟର ୮୨ ଏବଂ ଅଧିନାୟକ ଏପି ତାରେ ୬୯ ରନ୍‌ କରିଥିଲେ।

ଗୁଜରାଟ ପକ୍ଷରୁ ଟିସି ଜଗା ୬ଟି ୱିକେଟ୍‌ ନେଇଥିବା ବେଳେ ଆରପି ସିଂହ ୨ଟି ଏବଂ ଆରବି କଲେରିଆ ଓ ଏଚ୍‌ପି ପଟେଲ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ପ୍ରଥମ ପାଳିରେ ୨୨୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ସେହିପରି ଗୁଜରାଟର ପ୍ରଥମ ପାଳି ୩୨୮ରେ ସୀମିତ ହୋଇଯାଇଥିଲା।