ଫସେଇ ଦେଲେ ଅଶ୍ୱିନ: ଅଷ୍ଟ୍ରେଲିଆ ୧୯୧ରେ ସଫା, ୬୨ ରନ୍‌ ଆଗରେ ଭାରତ

ଆଡିଲେଡ୍‌: ନିଜ ସ୍ପିନ ଯାଦୁରେ ଅଷ୍ଟ୍ରେଲିଆକୁ ଫସାଇ ଦେଇଛନ୍ତି ରବିଚନ୍ଦ୍ର ଅଶ୍ୱିନ। ତାଙ୍କ ଜାଲ‌ରେ ଫସି କଙ୍ଗାରୁ ଟିମ୍‌ ପ୍ରଥମ ଇନିଂସରେ ମାତ୍ର ୧୯୧ ରନ୍‌ କରି ଅଲଆଉଟ ହୋଇଯାଇଛି। ଭାରତ ପ୍ରଥମ ଇନିଂସ୍‌ରେ ୨୪୪ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ୧୯୧ ରନ୍‌ରେ ଅଲଆଉଟ ହୋଇଯିବାରୁ ଭାରତ ଆଜି ହିଁ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା।

ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ଟିମ୍‌ ଇଣ୍ଡିଆ ତା’ର ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ ହରାଇ ୯ ରନ୍‌ କରିଛି। ପ୍ରଥମ ଇନିଂସ୍‌ ୫୩ ରନ୍‌ ଅଗ୍ରଣୀ ପାଇଥିବା ବିରାଟ ବାହିନୀ ଏବେ ୬୩ ରନ୍‌ ଆଗୁଆ ହୋଇଯାଇଛି। ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସ୍‌ରେ ବି ପୃଥ୍ୱୀ ଶ’(୪) ପୁଣିଥରେ ନିରାଶ କରିଛନ୍ତି।

ଶ’ ଆଉଟ ହେବା ପରେ ନାଇଟ ୱାଚ୍‌ମ୍ୟାନ ଭାବେ ୩ନଂରେ ଯଶପ୍ରୀତ ବୁମ୍ରା ବ୍ୟାଟିଂ କରିବାକୁ ଆସିଥିଲେ। ସେ ମୟଙ୍କ ଅଗ୍ରୱାଲ(୫)ଙ୍କ ସହ ମିଶି ଭାରତକୁ ଦ୍ୱିତୀୟ ଦିନରେ ଆଉ କୌଣସି କ୍ଷତି ସହିବାକୁ ଦେଇ ନାହାନ୍ତି।

ଆଡିଲେଡ୍‌ରେ ଚାଲିଥିବା ଐତିହାସିକ ଦିବାରାତ୍ର ଟେଷ୍ଟରେ ଭାରତ ପ୍ରଥମ ଦିନରେ ୬ ୱିକେଟ ହରାଇ ୨୩୩ ରନ୍‌ କରିଥିଲା। ଆଜି ଦଳ ଏହି ଠାରୁ ଖେଳ ଆରମ୍ଭ କରିଥିଲା। ହେଲେ ଆଜି ଦିବସର ଦ୍ୱିତୀୟ ବଲରେ ଅଶ୍ୱିନ(୧୫) ଆଉଟ ହୋଇଥିଲେ। ରିଦ୍ଧିମାନ ସାହା ମଧ୍ୟ ବେଶୀ କିଛି କରିପାରି ନଥିଲେ। ଶେଷରେ ଟିମ୍‌ ଇଣ୍ଡିଆ ଗତକାଲିର ସ୍କୋରରେ ୧୧ ରନ୍‌ ଯୋଡ଼ି ଅଲଆଉଟ ହୋଇଯାଇଥିଲା। ଭାରତ ପ୍ରଥମ ଇନିଂସରେ ୨୪୪ ରନ୍‌ କରିବାରୁ ଅଷ୍ଟ୍ରେଲିଆ ପ୍ରଥମ ସେସନରେ ହିଁ ବ୍ୟାଟିଂ ଆରମ୍ଭ କରିଥିଲା।

ତେବେ ଦଳୀୟ ସ୍କୋର ୧୬ରେ ଥିବା ବେଳେ ଯଶପ୍ରୀତ ବୁମ୍ରା ୮ ରନ୍‌ କରିଥିବା ମାଥ୍ୟୁ ୱେଡଙ୍କୁ ଆଉଟ କରିଥିଲେ। ଜୋ ବ୍ରୁନ୍ସ(୮) ମଧ୍ୟ ବୁମ୍ରାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଅଷ୍ଟ୍ରେଲିଆ ୨୯ରେ ଦୁଇଟି ୱିକେଟ ହରାଇବାରୁ ସ୍ମିଥ ଓ ଲାବୁଶେନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ଅଶ୍ୱିନ ସବୁ କିଛି ଓଲଟପାଲଟ କରି ଦେଇଥିଲେ।

ସେ ପ୍ରଥମେ ସ୍ମିଥ(୧)ଙ୍କୁ ଆଉଟ କରିଥିଲେ। ଏହାପରେ ଟ୍ରାଭିସ ହେଡ ଓ କ୍ୟାମେରନ ଗ୍ରୀନଙ୍କୁ ଆଉଟ କରି ଅଷ୍ଟ୍ରେଲିଆର ମଧ୍ୟକ୍ରମକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ। ତେବେ ଲାବୁଶେନ ଓ ଅଧିନାୟକ ଟିମ୍‌ ପେନ୍‌ ଲଢ଼ୁଆ ବ୍ୟାଟିଂ କରି ଅଷ୍ଟ୍ରେଲିଆର ସ୍କୋରକୁ ୧୧୧ରେ ପହଞ୍ଚାଇଥିଲେ।

ଏହି ସମୟରେ ୪୭ ରନ୍‌ କରିଥିବା ଲାବୁଶେନଙ୍କୁ ଉମେଶ ଯାଦବ ଆଉଟ କରି ଏହି ଭାଗିଦାରୀକୁ ଭାଙ୍ଗିଥିଲେ। ସେହି ଓଭର୍‌ରେ ଯାଦବ ଖାତା ଖୋଲିବା ପୂର୍ବରୁ ପ୍ୟାଟ କମିନ୍ସଙ୍କୁ ମଧ୍ୟ ଆଉଟ କରିଥିଲେ। କିଛି ସମୟ ପାଇଁ ମିଚେଲ ଷ୍ଟାର୍କ ଓ ପେନ୍‌ ଲଢ଼େଇ କରିଥିଲେ। ଉଭୟ ଦଳୀୟ ସ୍କୋରକୁ ୧୧୧ରୁ ନେଇ ୧୭୯ରେ ପହଞ୍ଚାଇଥିଲେ। କିନ୍ତୁ ୧୫ ରନ୍‌ କରିଥିବା ଷ୍ଟାର୍କ ରନ୍‌ ଆଉଟ ହେବା ପରେ ଭାରତ ପୁଣିଥରେ ମ୍ୟାଚ୍‌କୁ କମବ୍ୟାକ୍‌ କରିଥିଲା।

ଅଶ୍ୱିନ ଓ ବୁମ୍ରା ଅଷ୍ଟ୍ରେଲିଆ ଉପରେ ଚାପ ପକାଇ ରନ୍‌ ସଂଗ୍ରହ ଗତିରେ ବ୍ରେକ ଲଗାଇଥିଲେ। ତଥାପି ପେନ୍‌ ସଂଘର୍ଷ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ସମୟରେ ଅଶ୍ୱିନ ୧୦ ରନ୍‌ କରିଥିବା ନେଥନ ଲାୟନଙ୍କୁ ଆଉଟ କରି ଇନିଂସରେ ନିଜର ୪ର୍ଥ ୱିକେଟ ଦଖଲ କରିଥିଲେ।

ଏହା ଅଷ୍ଟ୍ରେଲିଆ ମାଟିରେ ଅଶ୍ୱିନଙ୍କ ଶ୍ରେଷ୍ଟ ପ୍ରଦର୍ଶନ। ଏହି ଇନିଂସରେ ଅଶ୍ୱିନ ୧୮ ଓଭର୍‌ରେ ୫୫ ରନ୍‌ ଦେଇ ୪ଟି ୱିକେଟ ଦଖଲ କରିଛନ୍ତି। ପେନ୍‌ ଶେଷ ଯାଏ ୭୩ ରନ୍‌ କରି ଅପରାଜି ରହିଥିଲେ ହେଁ ଉମେଶ ଯାଦବ ୮ ରନ୍‌ କରିଥିବା ଜୋଶ ହେଜେଲଉଡଙ୍କୁ ଆଉଟ କରି ଅଷ୍ଟ୍ରେଲିଆ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଭାରତ ପକ୍ଷରୁ ରବି ଅଶ୍ୱିନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଉମେଶ ଯାଦବ ୩ଟି ଓ ଯଶପ୍ରୀତ ବୁମ୍ରା ୨ଟି ୱିକେଟ ଦଖଲ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।