ହ୍ୟାଟ୍ରିକ୍‌ ଗୋଲ୍‌ କରି ମସସ୍ତଙ୍କ ମୁହଁ ବନ୍ଦ କରିଦେଲେ ଏହି ଷ୍ଟାର୍‌ ଖେଳାଳି, ରଚିଲେ ନୂଆ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ କ୍ଲବ ମ୍ୟାଚ ନୁହେଁ ବିଶ୍ୱକପରେ ମଧ୍ୟ ଯାଦୁ ଦେଖାଇଛନ୍ତି ପର୍ତ୍ତୁଗାଲ ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲଡୋ। ଗତକାଲି ସ୍ପେନ ବିପକ୍ଷରେ ଏକାକି ତିନିଟି ଗୋଲ ଦେଇ ପ୍ରତିପକ୍ଷକୁ କଡା ଚ୍ୟାଲେଂଜ ଦେଇଛନ୍ତି। ଆଗକୁ ଏହି ଧାରା ବଜାୟ ରଖିଲେ ପର୍ତ୍ତୁଗାଲ ନକଆଉଟ ରାଉଣ୍ଡ ଯିବା ଏକ ପ୍ରକାର ନିଶ୍ଚିତ। 

ଫର୍ମକୁ ଫେରିଲେ ରୋନାଲଡୋ। ପ୍ରଥମ ମ୍ୟାଚରେ ହ୍ୟାଟ୍ରିକ୍‌ ଗୋଲ ସ୍କୋର କରି ପର୍ତ୍ତୁଗାଲ ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲଡୋ ଫର୍ମକୁ ଫେରିବାର ସୂଚନା ଦେଇଛନ୍ତି।  କ୍ଲବ ଫୁଟବଲରେ ଅନେକ ସଫଳତା ପାଇଥିବା ରୋନାଲଡୋଙ୍କ ବିଶ୍ୱକପ୍ ରେକର୍ଡ କିନ୍ତୁ ପୂର୍ବରୁ ବେଶ ଦୁର୍ବଳ ରହିଥିଲା। କ୍ୟାରିଅରରେ ମୋଟ୍ ୮୧ଟି ଗୋଲ୍ ଦେଇଥିବା ଏହି ରିଅଲ୍ ମାଦ୍ରିଦ୍ ଖେଳାଳିଙ୍କ ବିଶ୍ୱକପ ଗୋଲ୍ ସଂଖ୍ୟା ଏହା ପୂର୍ବରୁ ମାତ୍ର ୩ରେ ସୀମିତ ଥିଲା। ତାହା ପୁଣି ଇରାନ୍, ଉତ୍ତର କୋରିଆ ଓ ଘାନା ଭଳି ଅପେକ୍ଷାକୃତ ଦୁର୍ବଳ ଦେଶ ବିପକ୍ଷରେ। କିନ୍ତୁ ସ୍ପେନ ବିପକ୍ଷରେ ହାଟ୍ରିକ ଗୋଲ ସ୍କୋର କରି ସେ ସମାଲୋଚକମାନଙ୍କ ମୁହଁ ବନ୍ଦ କରି ଦେଇଛନ୍ତି।

ଗତ କାଲି ଖେଳାଯାଇଥିବା ମ୍ୟାଚ୍‌ରେ ରୋନାଲଡୋ ଏକାକି ପର୍ତ୍ତୁଗାଲ ଟିମର ମଂଗ ସମ୍ଭାଳିଥିଲେ। ସ୍ପେନର ରକ୍ଷଣଭାଗକୁ ଭେଦ କରି ସେ ବାରମ୍ବାର ଆକ୍ରମଣ କରିଥିଲେ। ଆଉ ତିନିଟି ଆକର୍ଷଣୀୟ ଗୋଲ ସ୍କୋର କରି ଦଳର ମନୋବଳକୁ ବୃଦ୍ଧି କରିଛନ୍ତି। ଆଉ ପରବର୍ତ୍ତୀ ମ୍ୟାଚରେ ମଧ୍ୟ ଏହି ଫର୍ମକୁ ବଜାୟ ରଖିବାକୁ ଚାହିଁବେ ପର୍ତ୍ତୁଗାଲ ଷ୍ଟ୍ରାଇକର। ଯଦି ରୋନାଲଡୋ ଏଭଳି ଫର୍ମ ଜାରି ରଖନ୍ତି ତେବେ ବିଶ୍ୱକପରେ ଅନ୍ୟ ଦଳ ପାଇଁ ଚ୍ୟାଲେଂଜ ସୃଷ୍ଟି କରିବେ।

ରୋନାଲଡୋଙ୍କ ପରି ଆଉ ଜଣେ ଷ୍ଟ୍ରାର ଷ୍ଟ୍ରାଇକର ହେଉଛନ୍ତି ଆର୍ଜେଣ୍ଟିନା ଦଳର ଲିଓନେଲ ମେସି। ଫୁଟବଲ ଫ୍ୟାନଙ୍କ ପାଇଁ ତାଙ୍କ ନାଁ ହି ଯଥେଷ୍ଟ। ଆଜି ଆଇସଲାଣ୍ଡ ବିପକ୍ଷରେ ତାଙ୍କର ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ। ବିଶ୍ୱକପରେ ଦୁଇଥର ଟାଇଟଲ ଜିତିଥିବା ଆର୍ଜେଣ୍ଟିନା ଟିମ୍ କିନ୍ତୁ ବିଶ୍ୱକପ୍ ପୂର୍ବରୁ ବେଶ ଚର୍ଚ୍ଚାରେ ରହିଥିଲା। ଭଲ ପ୍ରଦର୍ଶନ ପାଇଁ ନୁହେଁ, ଖରାପ ଫର୍ମ ପାଇଁ ଆର୍ଜେଣ୍ଟିନା ଦଳକୁ ଅନେକ ସମାଲୋଚନାର ଶିକାର ହୋହେବାକୁ ପଡ଼ିଥିଲା। କିନ୍ତୁ ତାହାକୁ ଖାତିର ନକରି ମେସି ବିଶ୍ୱକପରେ ଦଳକୁ ତୃତୀୟ ଟାଇଟଲ ଭିଟିଦେବାକୁ ଲକ୍ଷ୍ୟ ରଖିଛନ୍ତି।

ପ୍ରଥମଥର ପାଇଁ ବିଶ୍ୱକପ ଖେଳୁଥିବା ଆଇସଲାଣ୍ଡ ବିରୋଧରେ ସହଜ ବିଜୟ ପାଇଁ ଆର୍ଜେଣ୍ଟିନା ଖୋଳିଳିମାନେ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଗତ ୟୁରୋକପରେ ଆଇସଲାଣ୍ଡ କ୍ୱାଟର ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ଏପରିକି ଶକ୍ତିଶାଳୀ ନେଦରଲାଣ୍ଡ, କ୍ରୋଏସିଆ ଓ ଇଂଲଣ୍ଡ ଟିମକୁ ମଧ୍ୟ ମାତ୍ ଦେଇଛି। ତେଣୁ ବିଶ୍ୱକପରେ ଭାଗ ନେଉଥିବା ସବୁଠାରୁ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ଏହା ଯେ କୌଣସି ଦଳକୁ ଚ୍ୟାଲେଂଜ କରିପାରିବ ବୋଲି ପ୍ରମାଣ କରିଛି।

ମେସି ୫ ଥର ବିଶ୍ୱର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ମଧ୍ୟ ଦଳକୁ ଏପର୍ଯ୍ୟନ୍ତ ଫିଫା ବିଶ୍ୱକପ ଟାଇଟଲ ଦେବାରେ ବିଫଳ ହୋଇଛନ୍ତି। ୨୦୧୬ କୋପା ଆମେରିକାରେ ଆର୍ଜେଣ୍ଟିନାର ବିଫଳତା ପରେ ମେସି ମର୍ମାହତ ହୋଇ କିଛି ଦିନ ଅବସର ନେଇଥିଲେ। ଏପରିକି ୨୦୧୮ରେ ଯଦି ଟିମ ଆର୍ଜେଣ୍ଟିନା ଭଲ ପ୍ରଦର୍ଶନ ନକରେ  ତେବେ ଫୁଟବଲକୁ ଅଲବିଦା କରିବେ ବୋଲି ସୂଚନା ଦେଇଛନ୍ତି। ତେଣୁ ଆଜିର ମ୍ୟାଚରେ ଆଇସଲାଣ୍ଡ ବିପକ୍ଷରେ ଆର୍ଜେଣ୍ଟିନା ଦଳର କଣ ରଣନୀତି ରହୁଛି ତା ଉପରେ ସମସ୍ତଙ୍କର ନଜର ରହିବ।

 

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More