ଲୟକୁ ଫେରିଲେ ବିରାଟ, ୮ ୱିକେଟରେ ଜିତିଲା ବେଙ୍ଗାଲୁରୁ

ଦୁବାଇ: ଚଳିତ ଆଇପିଏଲରେ ରନ୍‌ ପାଇଁ ସଂଘର୍ଷ କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଶେଷରେ ଚମକିଛନ୍ତି। ପ୍ରଥମ ୩ଟି ଯାକ ମ୍ୟାଚ୍‌ରେ ଫ୍ଲପ ହୋଇଥିବା ବିରାଟ ଆଜି ରାଜସ୍ଥାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି କମବ୍ୟାକର ସଙ୍କେତ ଦେଇଛନ୍ତି।

ବିରାଟଙ୍କ ବ୍ୟତୀତ ଯୁବ ତାରକା ଦେବଦୂତ ପାଡିକ୍କଲ ମଧ୍ୟ ଆକର୍ଷଣୀୟ ଇନିଂସ୍‌ ଖେଳିଛନ୍ତି। ସେ ୬୩ ରନ୍‌ର ଇନିଂସ୍‌ ଖେଳିଥିବା ବେଳେ ବିରାଟ ଅପରାଜିତ ୭୨ ରନ୍‌ କରି ବେଙ୍ଗାଲୁରୁକୁ ୮ ୱିକେଟରେ ବିଜୟୀ କରାଇଛନ୍ତି।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୬ ୱିକେଟ ହରାଇ ୧୫୪ ରନ୍‌ କରିଥିଲା। ଏହାର ଜବାବରେ ବିରାଟଙ୍କ ବେଙ୍ଗାଲୁରୁ ୫ଟି ବଲ ପୂର୍ବରୁ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଚଳିତ ଆଇପିଏଲରେ ବେଙ୍ଗାଲୁରୁର ଏହା ତୃତୀୟ ବିଜୟ। ସେହିପରି ରାଜସ୍ଥାନର ଦ୍ୱିତୀୟ ପରାଜୟ।

୧୫୫ ରନ୍‌ର ଟାର୍ଗେଟ ପାଇଥିବା ବେଙ୍ଗାଲୁରୁ ଆରମ୍ଭରୁ ଆରୋନ ଫିଞ୍ଚକୁ ହରାଇଥିଲା। ଫିଞ୍ଚ ୮ ରନ୍‌ କରିଥିବା ବେଳେ ଶ୍ରେୟସ ଗୋପାଲଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହାପରେ କ୍ରିଜ୍‌କୁ ଆସିଥିଲେ ବିରାଟ। ଆରମ୍ଭରୁ ବିରାଟ କ୍ରିଜ୍‌ରେ ତିଷ୍ଟି ରହିବାକୁ ସଂଘର୍ଷ କରିଥିଲେ। ତାଙ୍କ ବ୍ୟାଟରୁ ସେତେଟା ରନ୍‌ ବାହାରି ନଥିଲା। କିନ୍ତୁ ଅନ୍ୟପଟେ ପାଡିକ୍କଲ ତାଙ୍କ ଚିରାଚରିତ ଢଙ୍ଗରେ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ବିରାଟ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦ୍ୱିତୀୟ ୱିକେଟ ପାଇଁ ୯୯ ରନ୍‌ର ଭାଗିଦାରୀ କରିଥିଲେ। ଦଳକୁ ଜିତିବା ପାଇଁ ୩୧ ରନ୍‌ ଦରକାର ଥିବା ବେଳେ ପାଡିକ୍କଲ ୬୩ ରନ୍‌ କରି ଜୋଫ୍ରା ଆର୍ଚରଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ସେ ଏହି ୬୩ ରନ୍‌ର ଇନିଂସରେ ୪ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

ତେବେ ବିରାଟ ଓ ଅଭିଜ୍ଞ ଏବି ଡିଭିଲୟର୍ସଙ୍କ ସହ ମିଶି ଦଳକୁ ଆଉ କୌଣସି କ୍ଷତି ପହଞ୍ଚାଇବାକୁ ଦେଇ ନଥିଲେ। ଉଭୟ ଶେଷ ଯାଏ ଅପରାଜିତ ରହି ଦଳକୁ ୫ ବଲ ପୂର୍ବରୁ ବିଜୟୀ କରାଇଥିଲେ। ବିରାଟ ଅପରାଜିତ ୭୨ ରନ୍‌ କରିଥିବା ବେଳେ ଡିଭିଲିୟର୍ସ ଅପରାଜିତ ୧୨ ରନ୍‌ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।