ବିଶ୍ୱ ଦୌଡ଼କୁଦରେ ହୃଦୟ ଜିତିଲେ ଏହି ଖେଳାଳି, ଦେଖନ୍ତୁ ଭିଡିଓ

ଦୋହା: ଶୁକ୍ରବାର ଠାରୁ କାତାରର ଦୋହା ଠାରେ ଆରମ୍ଭ ହୋଇଥିବା ବିଶ୍ୱ ଦୌଡ଼କୁଦ ପ୍ରତିଯୋଗୀତାରେ ଜଣେ ଖେଳାଳି ସମସ୍ତଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଛନ୍ତି। ବିଶ୍ୱ ଦୌଡ଼କୁଦରେ କିଏ ବାଜିମାତ କଲା, ସେକଥା ଜାଣିବା ପାଇଁ କୌଣସି ଷ୍ଟପୱାଚ୍‌ କିମ୍ବା ମେଜରିଂ ଟେପ୍ର ଆବଶ୍ୟକତା ନାହିଁ। କାରଣ ଖେଳୁଆଡ଼ ମନୋଭାବର ସ୍ୱର୍ଣ୍ଣ ପଦକ ବ୍ରାଇମା ସୁନକାର ଡାବୋଙ୍କୁ ହିଁ ଜିତିଛନ୍ତି।

ସେ ୫ ହଜାର ଟ୍ରାକ୍‌ ଇଭେଣ୍ଟରେ ଭାଗ ନେଇଥିଲେ। ହେଲେ ସାଥୀ ପ୍ରତିଯୋଗୀଙ୍କୁ ସହଯୋଗ କରିବା ପାଇଁ ସେ ଅଧା ବାଟରେ ଅଟକି ଯାଇଥିଲେ। ନିଜ ସାଙ୍ଗରେ ସାଥୀ ପ୍ରତିଯୋଗୀ ଜୋନାଥନ ବୁସବେୟକୁ ନେଇ ଫିନିଶିଂ ଲାଇନ୍ ଅତିକ୍ରମ କରିଥିଲେ।

ଏହି ସମୟରେ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ବିଜୟ କଥା ବ୍ରାଇମା ଆଦୌ ଚିନ୍ତା କରି ନଥିଲେ। ଜୋନାଥନ ଓ ବ୍ରାଇମା ପ୍ରାୟ ଏକ ସମୟରେ ୫୦୦୦ ମିଟିର ଦୌଡ଼ର ଶେଷ ରାଉଣ୍ଡ ଦୌଡ଼ିବା ଆରମ୍ଭ କରିଥିଲେ। ହେଲେ ଅଧା ବାଟରେ ଜୋନାଥନ ଟ୍ରାକ୍ ଉପରେ ପଡ଼ି ଯାଇଥିଲେ। ଅଫିସିଆଲମାନେ ତାଙ୍କୁ ୱିଲଚେୟାର ଦେଇଥିଲେ।

ହେଲେ ବ୍ରାଇମା ସାଥୀ ପ୍ରତିଯୋଗୀଙ୍କ ହାତ ଧରି ଫିନିଶିଂ ଲାଇନ୍ ଆଡ଼କୁ ଦୌଡ଼ିବା ଆରମ୍ଭ କରିଥିଲେ। ଉଭୟ ପଦକ ଜିତିବା ରେସରେ ନଥିଲେ। ତଥାପି ନିଜ ଦେଶ ଅରୁବାର ନାଁ ତଳେ ପକାଇବାକୁ ଦେଇ ନଥିଲେ।

ଆହତ ଜୋନାଥନ ମଧ୍ୟ ବ୍ରାଇମାଙ୍କ କାନ୍ଧରେ ହାତ ଥୋଇ ଆଗକୁ ବଢ଼ିଥିଲେ। ଜୋନାଥନ ଓ ବ୍ରାଇମା ପଦକ ଦୌଡ଼ରୁ ବାଦ୍‌ ପଡ଼ିଥିଲେ ହେଁ ସେମାନେ ଫିନିଶିଂ ଲାଇନ୍‌ ଅତିକ୍ରମ କରିବା ପରେ ଷ୍ଟାଡିୟମରେ ଥିବା ଦର୍ଶକମାନେ ବିଜେତାଙ୍କ ଭଳି କରତାଳି ଦେଇ ସେମାନଙ୍କୁ ସ୍ୱାଗତ କରିଥିଲେ।

ଏହି ଘଟଣାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।