କ୍ରିକେଟକୁ ଏକ ଖେଳ ବୋଲି ମାନିବାକୁ ଏହି ଦେଶ ଅରାଜି

ନୂଆଦିଲ୍ଲୀ: ନିକଟରେ ପ୍ରାୟ ଦେଢ଼ ମାସ ଧରି ପୂରା ଦୁନିଆରେ କ୍ରିକେଟ ବିଶ୍ୱକପ୍ ଫିଭର୍ ଦେଖିବାକୁ ମିଳିଥିଲା। ଇଂଲଣ୍ଡ କ୍ରିକେଟ୍ ଦଳ ବିଶ୍ୱ ଚାମ୍ପିଅନ୍ ହୋଇଥିଲା। ହେଲେ ବିଶ୍ୱକପ ଶେଷ ହେବାର ସପ୍ତାହକ ଭିତରେ ଦୁନିଆର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ରାଷ୍ଟ୍ର ରୁଷ କ୍ରିକେଟ୍‌ ଖେଳ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛି।

ରୁଷ୍ କ୍ରିକେଟକୁ ଏକ ଖେଳ ଭାବେ ବିବେଚନା କରିବାକୁ ମନା କରିଦେଇଛି। ରୁଷର କ୍ରୀଡ଼ା ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଯେ ସେମାନେ କ୍ରିକେଟକୁ ଏକ ଖେଳ ବୋଲି ମାନନ୍ତି ନାହିଁ। ଅର୍ଥାତ୍ କ୍ରିକେଟକୁ ଏବେ ରୁଷରେ ଆର୍ଥିକ ସହାୟତା ବା କୌଣସି ପ୍ରୋତ୍ସାହନ ମିଳିବ ନାହିଁ। ରୁଷ ସରକାର କ୍ରିକେଟ୍ ବ୍ୟତୀତ ‘ଥାଇ ବକ୍ସିଂ’କୁ ମଧ୍ୟ ଖେଳ ଭାବେ ସ୍ଵୀକାର କରିବାକୁ ମନା କରିଦେଇଛି।

ଫୁଟବଲ ପରେ କ୍ରିକେଟକୁ ଦୁନିଆର ସବୁଠାରୁ ଲୋକପ୍ରିୟ ଖେଳ ବୋଲି ଧରାଯାଏ। ନିକଟରେ ଶେଷ ହୋଇଥିବା ଆଇସିସି କ୍ରିକେଟ୍ ବିଶ୍ୱକପ୍ ଲୋକପ୍ରିୟତାର ସବୁ ରେକର୍ଡ ଭାଙ୍ଗି ଦେଇଥିଲା। ଏହା ସତ୍ତ୍ୱେ ରୁଷର ଏଭଳି ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ରୁଷରେ ୧୮୭୦ ମସିହାରୁ କ୍ରିକେଟ୍ ଖେଳାଯାଉଛି ଏବଂ ୨୦୧୭ରେ ଆଇସିସି ଏହାକୁ ଆସୋସିଏଟ୍ ସଦସ୍ୟତାର ମାନ୍ୟତା ଦେଇଥିଲା।

ରୁଷରେ ଫୁଟବଲ, ସ୍ପୋର୍ଟ୍ସ ଯୋଗ, ମଡେଲ୍ ପ୍ଲେନ୍ ଫ୍ଲାଇଙ୍ଗ୍, ଡାର୍ଟ୍ସ ଓ କର୍ଫବଲକୁ ଖେଳର ମାନ୍ୟତା ପ୍ରଦାନ କରାଯାଇଛି। ଏସବୁ ଏଭଳି ଖେଳ, ଯାହା ସମ୍ବନ୍ଧରେ ବିଶ୍ୱର ଅଧିକାଂଶ ଦେଶ ଜାଣିନାହାନ୍ତି।