କରୋନାରେ ଆକ୍ରାନ୍ତ ହେଲେ ସାଇନା ଓ ପ୍ରଣୟ

ହାଇଦ୍ରାବାଦ: ଥାଇଲ୍ୟାଣ୍ଡ ଓପନ ବ୍ୟାଡମିଣ୍ଟନ ଖେଳିବାକୁ ଯାଇଥିବା ଭାରତୀୟ ଖେଳାଳି ସାଇନା ନେହ୍ୱାଲ ଓ ଏଚସି ପ୍ରଣୟ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସାଇନା ଓ ପ୍ରଣୟ ବ୍ୟାଙ୍କକରେ ପହଞ୍ଚିଲା ପରେ ସେମାନଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏବେ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସେମାନଙ୍କୁ ବ୍ୟାଙ୍କକ ହସ୍ପିଟାଲରେ ୧୦ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି।

ଏଠାରେ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରୁ ସାଇନା ପୂର୍ବରୁ ହିଁ ଖେଳିବେ ନାହିଁ ବୋଲି କହିଥିଲେ। ସେହିପରି ତାଙ୍କ ସ୍ୱାମୀ ପାରୁପାଲ୍ଲୀ କଶ୍ୟପ ମଧ୍ୟ ଶେଷ ମୁହୂର୍ତ୍ତରେ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ମଙ୍ଗଳବାର କଶ୍ୟପଙ୍କ ମୁକାବିଲା କାନାଡାର ଜାସନ ଆନ୍ଥୋନୀଙ୍କ ସହ ହେବାର ଥିଲା।

ସାଇନାଙ୍କ କ୍ଲୋଜ କଣ୍ଟାଣ୍ଟ ହେଉଛନ୍ତି କଶ୍ୟପ। ତେଣୁ ସେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ପ୍ରଥମେ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲେ ହେଁ ତାଙ୍କ ନମୁନା ପୁଣିଥରେ ପରୀକ୍ଷା ହେବ। ଏହି କାରଣରୁ ତାଙ୍କୁ ହସ୍ପିଟାଲ ନିଆଯାଇଛି। ସାଇନା ଓ ପ୍ରଣୟଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଇଥିଲେ ହେଁ ସେମାନଙ୍କୁ ଏହାର ରିପୋର୍ଟ ଏଯାଏ ଦିଆଯାଇନାହିଁ।

ସାଇନା ଟ୍ୱିଟ କରି କହିଛନ୍ତି, ଗତକାଲି ଠାରୁ ଆଜି ମଧ୍ୟରେ ମୁଁ କରୋନା ଟେଷ୍ଟ ରିପୋର୍ଟ ପାଇନାହିଁ। ଏହାକୁ ନେଇ ବହୁତ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ମ୍ୟାଚ୍‌ ପୂର୍ବରୁ ମୁଁ ୱାର୍ମଅପ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମୋତେ ବ୍ୟାଙ୍କକ ହସ୍ପିଟାଲ ଯିବାକୁ କୁହାଯାଇଛି। ନିୟମ ଅନୁସାରେ ୫ ଘଣ୍ଟା ଭିତରେ ରିପୋର୍ଟ ମିଳିବା କଥା। ହେଲେ ଏଯାଏ ମୋତେ କୌଣସି ରିପୋର୍ଟ ମିଳିନାହିଁ ସେ କହିଛନ୍ତି।

ପ୍ରଣୟଙ୍କର ପ୍ରଥମ ଦୁଇ ଥର ହୋଇଥିବା କରୋନା ଟେଷ୍ଟ ନେଗେଟିଭ ଆସିଥିଲା। ହେଲେ ତୃତୀୟ ଥର ଏହା ପଜିଟିଭ ଆସିଛି। ଏମାନଙ୍କୁ ଛାଡ଼ି ଦେଲେ ବାକି ଭାରତୀୟ ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଅନୁମତି ମିଳିଛି।

ଅନ୍ୟପକ୍ଷରେ ଦ୍ୱିତୀୟ ଥର ପାଇଁ ସାଇନା ଓ ପ୍ରଣୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ ମାସରେ ଗୁରୁ ସାଇ ଦତ୍ତଙ୍କ ବାହାଘର ବେଳେ କଶ୍ୟପଙ୍କ ସହ ଏହି ଦୁଇ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏମାନେ ସମସ୍ତେ କ୍ୱାରେଣ୍ଟାଇନରେ ରହିବା ସହ ବ୍ୟାଙ୍କକ ଆସିବା ପୂର୍ବରୁ ଓ ବ୍ୟାଙ୍କକରେ ପହଞ୍ଚିବା ପରେ କରୋନା ଟେଷ୍ଟ କରାଇଥିଲେ। ସମସ୍ତଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ମଧ୍ୟ ଆସିଥିଲା।ଏବେ କିନ୍ତୁ ସାଇନା ଓ ପ୍ରଣୟ କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।