ସାନିଆ-ହିଙ୍ଗିସ ଜିତିଲେ ଅଷ୍ଟ୍ରେଲିଆନ୍ ଓପନ୍

ସିଡନୀ: ଅଷ୍ଟ୍ରେଲିଆନ୍ ଓପନରେ ଶୁକ୍ରବାର ଇତିହାସ ରଚିଛନ୍ତି ଭାରତର ସାନିଆ ମୀର୍ଜା ଓ ସୁଇଜରଲାଣ୍ଡର ମାର୍ଟିନା ହିଙ୍ଗିସ୍ ଯୋଡ଼ି। ମହିଳା ଡବଲ୍ସରେ ଏହି ଯୋଡ଼ି ଚାମ୍ପିଅନ୍ ହୋଇଛନ୍ତି। ଏହା ହେଉଛି ସେମାନଙ୍କର ହ୍ୟାଟ୍ରିକ୍ ଗ୍ରାଣ୍ଡ ସ୍ଲାମ୍ ବିଜୟ। କେବଳ ସେତିକି ନୁହେଁ, ଚଳିତ ଅଷ୍ଟ୍ରେଲିଆନ୍ ଓପନର ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଜିତିବା ସହିତ ସେମାନେ ଲଗାତାର ୩୬ଟି ମ୍ୟାଚରେ ବିଜୟୀ ହେବାର ଗୌରବ ଅର୍ଜନ କରିଛନ୍ତି। ସେହିପରି ଏହି ଯୋଡ଼ି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନରେ ଚାମ୍ପିଅନ୍ ହୋଇଛନ୍ତି। ଏହି ଗ୍ରାଣ୍ଡ ସ୍ଲାମକୁ ମିଶାଇ ସାନିଆ ଏଯାବତ ୬ଟି ଗ୍ରାଣ୍ଡସ୍ଲାମ୍ ଜିତି ସାରିଲେଣି।

ଆଜି ଅଷ୍ଟ୍ରେଲିଆନ୍ ଓପନର ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚରେ ସାନିଆ-ହିଙ୍ଗିସ୍ ଯୋଡ଼ି ଆଣ୍ଡ୍ରିୟ ଲାଭାସ୍କୋଭା ଓ ଲୁସି ହ୍ରାଡେକା ଯୋଡ଼ିଙ୍କୁ ୭-୬, ୬-୩ରେ ପରାସ୍ତ କରିଥିଲେ। ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ହେଉଛି ଏହି ଦୁଇ ଯୋଡ଼ିଙ୍କ ପ୍ରଥମ ବୃହତ୍ତ ବିଜୟ।

ସାନିଆ-ହିଙ୍ଗିସ୍ ଯୋଡ଼ି ଗତବର୍ଷ ‘ଡବ୍ଲୁଟିଏ ଡବଲ୍ସ ଟିମ୍ ଅଫ୍ ଦ ଇୟର’ ହୋଇଥିଲେ।

୧୯୯୦ରେ ଜାନା ନୋଭତନା ଓ ହେଲେନା ସୁକୋଭା ଯୋଡ଼ି ଲଗାତାର ୪୪ଟି ମ୍ୟାଚ୍ ଜିତି ଥିଲେ। ଏହା ଏବେ ସୁଦ୍ଧା ରେକର୍ଡ ହୋଇ  ରହିଛି। ଏହି ରେକର୍ଡକୁ ଭାଙ୍ଗିବାକୁ ସାନିଆ-ହିଙ୍ଗିସଙ୍କୁ ଆଉ ୯ଟି ମ୍ୟାଚ୍ ଲଗାତାର ଜିତିବା ଦରକାର।