ଲଣ୍ଡନ: ଆଶେସ ସିରିଜ୍ରେ ବ୍ୟାଟିଂ କରିବା ବେଳେ ଇଂଲିଶ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଏକ ବାଉନ୍ସର ଅଷ୍ଟ୍ରେଲୀୟ ବ୍ୟାଟସ୍ମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କ ବେକରେ ମାଡ଼ ହୋଇଥିଲା। ଏଥିପାଇଁ ତାଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା ଏବଂ ସେ ତୃତୀୟ ଟେଷ୍ଟ ମଧ୍ୟ ଖେଳି ନଥିଲେ।
ବଲ୍ ମାଡ଼ ହେବା ପରେ ପଡ଼ିଆରେ ଅଚେତ ହୋଇଯାଇଥିବା ସ୍ମିଥ ସେହି ସମୟରେ କ’ଣ ଚିନ୍ତା କରିଥିଲେ, ତା’ ଉପରୁ ପରାଦା ହଟିଛି।
ସ୍ମିଥ କହିଛନ୍ତି, “ବଲ୍ ମାଡ଼ ହେବା ପରେ ମୁଁ କେବଳ ମୋ ବନ୍ଧୁ ଫିଲିପ ହ୍ୟୁଗ୍ସ ଙ୍କ କଥା ଚିନ୍ତା କରିଥିଲି। କାରଣ ଏମିତି ଏକ ମ୍ୟାଚ୍ରେ ବଲ୍ ତାଙ୍କ ମୁଣ୍ଡରେ ମାଡ଼ ହୋଇଥିଲା। ଏହାପରେ ସେ ଆମମାନଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲିଯାଇଥିଲେ। ମୋ ବେକରେ ବଲ ମାଡ଼ ହେବା କ୍ଷଣି ମୋର ତାଙ୍କ କଥା ମନେପଡ଼ିଥିଲା। ଏହାପରେ ମୁଁ ଭାବିଲି ମୁଁ ଠିକ ଅଛି। କିଛି ସମୟ ପାଇଁ ଭାଙ୍ଗି ପଡ଼ିଥିଲି। ହେଲେ ମୁଁ ମାନସିକ ସ୍ତରରେ ନିଜକୁ ବ୍ୟାଟିଂ ପାଇଁ ପୁଣି ପ୍ରସ୍ତୁତି କରିଥିଲି। ବିଶ୍ରାମ ନେବା ପରେ ମୁଁ ପୁଣି ବ୍ୟାଟିଂ କରିବାକୁ ଆସିଥିଲି।”
ସ୍ମିଥ ଆଶେସ ସିରିଜ୍ରେ ଦମଦାର ବ୍ୟାଟିଂ କରିଛନ୍ତି। ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସ୍ରେ ସେ ୧୪୪ ଓ ୧୪୨ ରନ୍ କରିଥିଲେ। ଦ୍ୱିତୀୟ ଟେଷ୍ଟରେ ସେ ୯୨ ରନ୍ର ଇନିଂସ୍ ଖେଳିଥିଲେ। ଆହତ ହେବାରୁ ସେ ଦ୍ୱିତୀୟ ଇନିଂସ୍ରେ ବ୍ୟାଟିଂ କରି ନଥିଲେ। ଆଇସିସିର ନୂଆ ନିୟମ ଅନୁଯାୟୀ, ସ୍ମିଥଙ୍କ ବଦଳରେ ମାରନସ ଲାବୁଶାନେ ବ୍ୟାଟିଂ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।