ସ୍ମୃତି ମନ୍ଧାନା ହେଲେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସଓମ୍ୟାନ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନା ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ସେ ମହିଳା ଦିନିକିଆ ରାଙ୍କିଙ୍ଗରେ ୧ ନମ୍ବର ବ୍ୟାଟ୍ସମ୍ୟାନ ହେବାର ରେକର୍ଡ କରିଛନ୍ତି। ଆଜି ଆଇସିସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ଧାନା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ନିଜ ଦିନିକିଆ କ୍ୟାରିୟରର ୪ର୍ଥ ଶତକ ହାସଲ କରିଥିଲେ।

ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଅପରାଜିତ ୯୦ ରନ୍‌ର ଇନିଂସ୍‌ ଖେଳିଥିଲେ। ଏହି ଦୁଇ ଇନିଂସ୍‌ ପରେ ସ୍ମୃତି ମନ୍ଧାନା ରାଙ୍କିଙ୍ଗର ୧ ନଂ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ପାଖରେ ୭୫୧ ପଏଣ୍ଟ ରହିଛି।

ପୂର୍ବରୁ ସ୍ମୃତି ୩ ନଂ ସ୍ଥାନରେ ରହିଥିଲେ। ମନ୍ଧାନାଙ୍କ ପରେ ୨ ନଂ ସ୍ଥାନରେ ଅଷ୍ଟ୍ରେଲିଆର ଏଲିସ ପେରୀ(୬୮୧) ରହିଥିବା ବେଳେ ୩ ନଂରେ ମେଗ ଲ୍ୟାନିଂ(୬୭୫) ରହିଛନ୍ତି। ୪ ନଂ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଏମୀ ସ୍ୟାଟରଟ୍ୱେଟ୍‌(୬୬୯) ରହିଥିବା ବେଳେ ପୂର୍ବରୁ ୪ର୍ଥ ସ୍ଥାନରେ ଥିବା ଟିମ୍‌ ଇଣ୍ଡିଆର ଦିନିକିଆ ଅଧିନାୟକ ମିତାଲି ରାଜ ୫ନଂ ସ୍ଥାନରେ ରହିଛନ୍ତି। ତାଙ୍କ ପାଖରେ ୬୬୯ ପଏଣ୍ଟ ରହିଛି।

ମନ୍ଧାନା ଗତ ୧୫ଟି ଦିନିକିଆରେ ୨ଟି ଶତକ ଓ ୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।