ଏହି ଖେଳାଳିଙ୍କୁ ଟି-୨୦ ସ୍କ୍ୱାଡ୍‌ରେ ସାମିଲ କରିବାକୁ କହିଲେ ଗାଙ୍ଗୁଲି

କୋଲକାତା: ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯିବ। ଏହାକୁ ଦୃଷ୍ଟିରେ ରଖି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଖେଳାଳି ଚୟନ କରିବା ଉଚିତ୍। ଏଥିସହ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦର ଚହଲଙ୍କୁ ବିରାଟ୍‌ ତୁରନ୍ତ କ୍ରିକେଟର ଏହି ଛୋଟିଆ ଫର୍ମାଟରେ ପୁଣିଥରେ ସାମିଲ କରନ୍ତୁ ବୋଲି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି।

ପୂର୍ବରୁ ଉଭୟ ଦିନିକିଆ ଓ ଟି-୨୦ ସ୍କ୍ୱାଡ୍‌ରେ କୁଲଦୀପ ଓ ଚହଲ ଯୋଡ଼ିଙ୍କୁ ଦେଖିବାକୁ ମିଳୁଥିଲା। ହେଲେ ଟି-୨୦ରେ ବ୍ୟାଟିଂ କ୍ଷମତାକୁ ବୃଦ୍ଧି କରିବା ପାଇଁ ଚହଲ ଓ କୁଲଦୀପଙ୍କୁ ଉଭୟ ୱେଷ୍ଟଇଣ୍ଡିଜ୍‌ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରୁ ବିସିସିଆଇ ଚୟନ କମିଟି ବାଦ ଦେଇଥିଲା।

ଏବେ ଗାଙ୍ଗୁଲି ଉଭୟଙ୍କ ଗୁରୁତ୍ୱ ଅନୁଭବ କରିଛନ୍ତି। କୁଲଦୀପ ଓ ଚହଲଙ୍କୁ ଟି-୨୦ ସ୍କ୍ୱାଡରେ ସାମିଲ କରିବା ପାଇଁ ବିରାଟ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହିଛନ୍ତି।

ଗାଙ୍ଗୁଲି କହିଛନ୍ତି, “ବର୍ତ୍ତମାନ ଟି-୨୦ରେ ଭଲ ଖେଳାଳି ରହିଛନ୍ତି। ହେଲେ ବିରାଟ୍‌ ଏହି ସୀମିତ ଓଭର ଫର୍ମାଟରେ ଦୁଇ ରିଷ୍ଟ ସ୍ପିନରଙ୍କୁ ସାମିଲ କରନ୍ତୁ। ମୁଁ ଭାବୁଛି ଅନ୍ୟମାନଙ୍କୁ ସୁଯୋଗ ଦେବା ପାଇଁ ଚହଲଙ୍କୁ ସାମିୟିକ ଭାବେ ବିଶ୍ରାମ ଦିଆଯାଇଛି। ନଚେତ ସେ ହିଁ ଟି-୨୦ ସ୍କ୍ୱାଡ୍‌ରେ ସାମିଲ ହୋଇଥାଆନ୍ତେ। ଭାରତୀୟ ଟିମ୍‌ ଚୂଡ଼ାନ୍ତ ଏକାଦଶରେ ଦୁଇ ଜଣ ବାମହାତୀ ସ୍ପିନରଙ୍କୁ ସାମିଲ କରିବା ଉଚିତ ନୁହେଁ।

ଚଳିତ ବର୍ଷ ଟିମ ଇଣ୍ଡିଆର ଟି-୨୦ ପ୍ରଦର୍ଶନ ଆଶା ଅନୁଯାୟୀ ହୋଇନାହିଁ। ତଥାପି ସିରିଜ୍‌ ପରେ ସିରିଜ୍‌ରେ ଖେଳାଳି ପରିବର୍ତ୍ତନ କରାଯାଉଛି। ଏଥିପାଇଁ ଫଳାଫଳରେ ସ୍ଥିରତା ଆସୁନାହିଁ। ରିଷ୍ଟ ସ୍ପିନର ହିଁ ମ୍ୟାଚ୍‌ ୱିନର।

ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯିବ। ଏହାପୂର୍ବରୁ ଅନେକ ମତାମତ ଆସିବ। କିନ୍ତୁ ବିରାଟ କୋହଲି ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତାଙ୍କୁ ଶାନ୍ତ ଓ ସ୍ଥିର ମସ୍ତିଷ୍କରେ ଖେଳାଳି ଚୟନ କରିବାକୁ ପଡ଼ିବ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।