ଶ୍ରୀଲଙ୍କା ନିରାଶ, ଦକ୍ଷିଣ ଆଫ୍ରିକାର ସାନ୍ତ୍ୱନାମୂଳକ ବିଜୟ

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ବିଶ୍ୱକପରେ ଶୁକ୍ରବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୯ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ସମ୍ମାନ ରକ୍ଷା କରିଛି। ଅନ୍ୟପକ୍ଷରେ ପରାଜୟ ସହ ଶ୍ରୀଲଙ୍କାର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସାମ୍ନା କରିନପାରି ଶ୍ରୀଲଙ୍କା ୪୯.୩ ଓଭରରେ ୨୦୩ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୩୭.୨ ଓଭରରେ ୧ ୱିକେଟ୍ […]

saf

saf

Hemant Lenka
  • Published: Friday, 28 June 2019
  • Updated: 28 June 2019, 10:11 PM IST

Sports

Latest News

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ବିଶ୍ୱକପରେ ଶୁକ୍ରବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୯ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ସମ୍ମାନ ରକ୍ଷା କରିଛି। ଅନ୍ୟପକ୍ଷରେ ପରାଜୟ ସହ ଶ୍ରୀଲଙ୍କାର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି।

ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସାମ୍ନା କରିନପାରି ଶ୍ରୀଲଙ୍କା ୪୯.୩ ଓଭରରେ ୨୦୩ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୩୭.୨ ଓଭରରେ ୧ ୱିକେଟ୍ ହରାଇ ୨୦୬ ରନ୍ କରି ମ୍ୟାଚକୁ ସହଜରେ ଜିତି ନେଇଛି। ଗତ ମ୍ୟାଚରେ ଇଂଲଣ୍ଡକୁ ହରାଇଥିବା ଶ୍ରୀଲଙ୍କା ଏହି ମ୍ୟାଚରେ ସବୁ ବିଭାଗରେ ନିରାଶ କରିଛି। ବିଶେଷକରି ଟିମର ବ୍ୟାଟିଂ ଶୋଚନୀୟ ରହିଥିଲା।

ଏହି ସହଜ ଲକ୍ଷ୍ୟର ପିଛା କରିବା ଦକ୍ଷିଣ ଆଫ୍ରିକା ପାଇଁ ଆଦୌ କଷ୍ଟକର ହୋଇନଥିଲା। ଟିମ୍ ପକ୍ଷରୁ ଓପ୍ନର ହାଶିମ୍ ଆମଲା ଓ ଅଧିନାୟକ ଫାଫ୍ ଡ୍ୟୁପ୍ଲେସିସ୍ ଦମଦାର ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୭୫ ରନର ଶତକୀୟ ଭାଗୀଦାରୀ କରି ଟିମକୁ ଜିତାଇଛନ୍ତି। ଡ୍ୟୁପ୍ଲେସିସ୍ ୧୦୩ ବଲରେ ୧୦ ଚୌକା ଓ ୧ ଛକା ସହ ୯୬ ଓ ଆମଲା ୧୦୫ ବଲରେ ୫ ଚୌକା ସହ ୮୦ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକାର ଏକମାତ୍ର ୱିକେଟ୍ ଭାବେ କ୍ୱିଣ୍ଟନ୍ ଡି'କକ୍ (୧୫) ପ୍ୟାଭିଲିୟନ୍ ଫେରିଥିଲେ । ତାଙ୍କୁ ଲସିଥ୍ ମାଲିଙ୍ଗା କ୍ଲିନ୍ ବୋଲ୍ଡ କରିଥିଲେ।

ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଷ୍ଟାର୍ ପେସ୍ ବୋଲର କାଗିସୋ ରବାଡା ମ୍ୟାଚର ପ୍ରଥମ ବଲରେ ଶ୍ରୀଲଙ୍କା ଓପ୍ନର ତଥା ଅଧିନାୟକ ଦିମୁତ୍ କରୁଣାରତ୍ନେ (୦)ଙ୍କୁ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ବଡ଼ ସଫଳତା ଦେଇଥିଲେ।

ଏହା ପରେ ଅଭିସ୍କା ଫର୍ଣ୍ଣାଣ୍ଡୋ ଓ କୁଶଲ ପରେରା ସ୍ଥିତି ସମ୍ଭାଳିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୬୭ ରନ୍ ଯୋଡ଼ିଥିଲେ। ତେବେ ସେଟ୍ ହୋଇ ଆସୁଥିବା ଏହି ଯୋଡ଼ିକୁ ପ୍ରିଟୋରିୟସ୍ ଭାଙ୍ଗିବାରେ ସଫଳ ହୋଇଥିଲେ । ଫର୍ଣ୍ଣାଣ୍ଡୋ ୩୦ (୨୯ ବଲ୍, ୪ ଚୌକା) ରନ୍ କରି ଡ୍ୟୁପ୍ଲେସିସଙ୍କ ଦ୍ୱାରା କ୍ୟାଚ୍ ହୋଇଥିବା ବେଳେ ପରେରା (୩୦) କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ଶ୍ରୀଲଙ୍କାର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ମଧ୍ୟକ୍ରମରେ ଶ୍ରୀଲଙ୍କାର କୌଣସି ବ୍ୟାଟ୍ସମ୍ୟାନ୍ ଦକ୍ଷିଣ ଆଫ୍ରିକାର ମଜଭୁତ୍ ବୋଲିଂ ଆକ୍ରମଣକୁ ସାମ୍ନା କରିପାରିନଥିଲେ। କୁଶଲ ମେଣ୍ଡିସ୍ (୨୩)ଙ୍କୁ ପ୍ରିଟୋରିୟସ ଆଉଟ୍ କରିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବିଜୟୀ ଇନିଂସ୍ ଖେଳିଥିବା ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ୍ ମାତ୍ର ୧୧ ରନ୍ କରି କ୍ରିସ ମୋରିସଙ୍କ ଶିକାର ହୋଇଥିଲେ। ଶେଷଭାଗରେ ଧନଞ୍ଜୟ ଡି'ସିଲଭା (୨୪), ଜୀବନ ମେଣ୍ଡିସ୍ (୧୮), ଥିସାରା ପରେରା (୨୧) ଓ ଇସୁରୁ ଉଦାନା (୧୭) ବଡ଼ ସ୍କୋର କରିବାକୁ ସମର୍ଥ ହୋଇନଥିଲେ।

ଅନ୍ତିମ ୱିକେଟ୍ ଭାବେ ଲସିଥ୍ ମାଲିଙ୍ଗା ୪ ରନ୍ କରି ଆଉଟ୍ ହୋଇଥିଲେ। ସୁରଙ୍ଗା ଲାକମଲ୍ ୫ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ପ୍ରିଟୋରିୟସ୍ ଓ ମୋରିସ୍ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ରବାଡା ୨ଟି, ଆଣ୍ଡିଲେ ଫେଲୁକୱାୟୋ ଓ ଜେପି ଡୁମିନି ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos