ଶ୍ରୀଲଙ୍କାକୁ ୨୦୩ ରନ୍‌ରେ ଅଲ୍‌ଆଉଟ୍ କଲା ଦକ୍ଷିଣ ଆଫ୍ରିକା

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ଶୁକ୍ରବାର ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବୋଲରମାନଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଶ୍ରୀଲଙ୍କା ୪୯.୩ ଓଭରରେ ୨୦୩ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଏହି ମୁକାବିଲା ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୨୦୪ ରନ୍ କରିବାକୁ ପଡ଼ିବ। ଶ୍ରୀଲଙ୍କା କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ମାରିବାକୁ ସକ୍ଷମ ହୋଇନାହାନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପେସର ଡ୍ୱେନ୍ ପ୍ରିଟୋରିୟସ୍ ଚମତ୍କାର ବୋଲିଂ କରି […]

dwaine

Hemant Lenka
  • Published: Friday, 28 June 2019
  • , Updated: 28 June 2019, 06:49 PM IST

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ଶୁକ୍ରବାର ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବୋଲରମାନଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଶ୍ରୀଲଙ୍କା ୪୯.୩ ଓଭରରେ ୨୦୩ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଏହି ମୁକାବିଲା ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୨୦୪ ରନ୍ କରିବାକୁ ପଡ଼ିବ। ଶ୍ରୀଲଙ୍କା କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ମାରିବାକୁ ସକ୍ଷମ ହୋଇନାହାନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପେସର ଡ୍ୱେନ୍ ପ୍ରିଟୋରିୟସ୍ ଚମତ୍କାର ବୋଲିଂ କରି ୩ଟି ୱିକେଟ୍ ହାସଲ କରିଛନ୍ତି।

ରିଭରସାଇଡ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଷ୍ଟାର୍ ପେସ୍ ବୋଲର କାଗିସୋ ରବାଡା ମ୍ୟାଚର ପ୍ରଥମ ବଲରେ ଶ୍ରୀଲଙ୍କା ଓପ୍ନର ତଥା ଅଧିନାୟକ ଦିମୁତ୍ କରୁଣାରତ୍ନେ (୦)ଙ୍କୁ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ବଡ଼ ସଫଳତା ଦେଇଥିଲେ।

ଏହା ପରେ ଅଭିସ୍କା ଫର୍ଣ୍ଣାଣ୍ଡୋ ଓ କୁଶଲ ପରେରା ସ୍ଥିତି ସମ୍ଭାଳିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୬୭ ରନ୍ ଯୋଡ଼ିଥିଲେ। ତେବେ ସେଟ୍ ହୋଇ ଆସୁଥିବା ଏହି ଯୋଡ଼ିକୁ ପ୍ରିଟୋରିୟସ୍ ଭାଙ୍ଗିବାରେ ସଫଳ ହୋଇଥିଲେ। ଫର୍ଣ୍ଣାଣ୍ଡୋ ୩୦ (୨୯ ବଲ୍, ୪ ଚୌକା) ରନ୍ କରି ଡ୍ୟୁପ୍ଲେସିସଙ୍କ ଦ୍ୱାରା କ୍ୟାଚ୍ ହୋଇଥିବା ବେଳେ ପରେରା (୩୦) କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ଶ୍ରୀଲଙ୍କାର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ମଧ୍ୟକ୍ରମରେ ଶ୍ରୀଲଙ୍କାର କୌଣସି ବ୍ୟାଟ୍ସମ୍ୟାନ୍ ଦକ୍ଷିଣ ଆଫ୍ରିକାର ମଜଭୁତ୍ ବୋଲିଂ ଆକ୍ରମଣକୁ ସାମ୍ନା କରିପାରିନଥିଲେ। କୁଶଲ ମେଣ୍ଡିସ୍ (୨୩)ଙ୍କୁ ପ୍ରିଟୋରିୟସ ଆଉଟ୍ କରିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବିଜୟୀ ଇନିଂସ୍ ଖେଳିଥିବା ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ୍ ମାତ୍ର ୧୧ ରନ୍ କରି କ୍ରିସ ମୋରିସଙ୍କ ଶିକାର ହୋଇଥିଲେ।

ଶେଷଭାଗରେ ଧନଞ୍ଜୟ ଡି'ସିଲଭା (୨୪), ଜୀବନ ମେଣ୍ଡିସ୍ (୧୮), ଥିସାରା ପରେରା (୨୧) ଓ ଇସୁରୁ ଉଦାନା (୧୭) ବଡ଼ ସ୍କୋର କରିବାକୁ ସମର୍ଥ ହୋଇନଥିଲେ। ଅନ୍ତିମ ୱିକେଟ୍ ଭାବେ ଲସିଥ୍ ମାଲିଙ୍ଗା ୪ ରନ୍ କରି ଆଉଟ୍ ହୋଇଥିଲେ। ସୁରଙ୍ଗା ଲାକମଲ୍ ୫ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ପ୍ରିଟୋରିୟସ୍ ଓ ମୋରିସ୍ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ରବାଡା ୨ଟି, ଆଣ୍ଡିଲେ ଫେଲୁକୱାୟୋ ଓ ଜେପି ଡୁମିନି ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story