ରୋହିତଙ୍କ ଶୋ’, ଫ୍ରଣ୍ଟଫୁଟରେ ଭାରତ

ବିଶାଖାପଟନମ୍‌: ଟେଷ୍ଟ କ୍ରିକେଟରେ ପ୍ରଥମଥର ଓପନିଂ କରୁଥିବା ରୋହିତ ଶର୍ମାଙ୍କ ରେକର୍ଡ ଶତକ ବଳରେ ଟିମ୍‌ ଇଣ୍ଡିଆ ବିଶଖାପଟନମ ଟେଷ୍ଟରେ ନିଜର ଦବଦବା ଦେଖାଇଛି। ପ୍ରଥମ ଇନିଂସ୍‌ ଭଳି ଦ୍ୱିତୀୟ ଇନିଂସ୍‌ରେ ରୋହିତ ଶର୍ମା ଶତକ ହାସଲ କରିବାକୁ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲି ଦେଇଛି। ପ୍ରଥମ ଇନିଂସ୍‌ରେ ୭୧ ରନ୍‌ର ଅଗ୍ରଣୀ ହାସଲ କରିଥିବା ଟିମ୍‌ ଇଣ୍ଡିଆ ଏବେ ଦକ୍ଷିଣ ଆଫ୍ରିକାକୁ ମ୍ୟାଚ୍‌ ଜିତିବା ପାଇଁ ୩୯୫ ରନ୍‌ର ଟାର୍ଗେଟ ଦେଇଛି। […]

a8

a8

Hemant Lenka
  • Published: Saturday, 05 October 2019
  • Updated: 05 October 2019, 06:28 PM IST

Sports

Latest News

ବିଶାଖାପଟନମ୍‌: ଟେଷ୍ଟ କ୍ରିକେଟରେ ପ୍ରଥମଥର ଓପନିଂ କରୁଥିବା ରୋହିତ ଶର୍ମାଙ୍କ ରେକର୍ଡ ଶତକ ବଳରେ ଟିମ୍‌ ଇଣ୍ଡିଆ ବିଶଖାପଟନମ ଟେଷ୍ଟରେ ନିଜର ଦବଦବା ଦେଖାଇଛି। ପ୍ରଥମ ଇନିଂସ୍‌ ଭଳି ଦ୍ୱିତୀୟ ଇନିଂସ୍‌ରେ ରୋହିତ ଶର୍ମା ଶତକ ହାସଲ କରିବାକୁ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲି ଦେଇଛି।

ପ୍ରଥମ ଇନିଂସ୍‌ରେ ୭୧ ରନ୍‌ର ଅଗ୍ରଣୀ ହାସଲ କରିଥିବା ଟିମ୍‌ ଇଣ୍ଡିଆ ଏବେ ଦକ୍ଷିଣ ଆଫ୍ରିକାକୁ ମ୍ୟାଚ୍‌ ଜିତିବା ପାଇଁ ୩୯୫ ରନ୍‌ର ଟାର୍ଗେଟ ଦେଇଛି। ଭାରତ ତା’ର ଦ୍ୱିତୀୟ ଇନିଂସକୁ ୩୨୩/୪ରେ ଘୋଷଣା କରିଛି।

୩୯୫ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍‌ ହରାଇ ୧୧ ରନ୍‌ କରିଛି। ପ୍ରଥମ ଇନିଂସ୍‌ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଶତକ ହାସଲ କରିଥିବା ଡିନ୍‌ ଏଲଗାର ମାତ୍ର ୨ ରନ୍‌ କରି ରବୀନ୍ଦ୍ର ଜାଡେଜାଙ୍କ ବଲରେ ପ୍ୟାଭିଲିନୟ ଫେରିଛନ୍ତି।

ଆଡେନ୍‌ ମର୍କରାମ(୩) ଓ ଥ୍ୟୁନିସ୍ ଡି’ବ୍ର୍ୟୁରନ୍‌(୫) ରନ୍‌ କରି କ୍ରିଜ୍‌ରେ ରହିଛନ୍ତି। ଶେଷ ଦିନରେ ମ୍ୟାଚ୍‌ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୩୮୪ ରନ୍‌ର ଆବଶ୍ୟକତା ଥିବା ବେଳେ ସିରିଜ୍‌କୁ ୧-୦ରେ ଆଗୁଆ କରିବା ପାଇଁ ବିରାଟ୍‌ ଆଣ୍ଡ କୋ ୯ଟି ୱିକେଟ ଦୂରରେ ରହିଛନ୍ତି।

ଭାରତ ପ୍ରଥମ ଇନିଂସ୍‌ରେ ୫୦୨/୭ କରିବା ପରେ ପାଳି ଘୋଷଣା କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଆଜି ୪୩୧ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଆଜି ମଧ୍ୟାହ୍ଣ ପୂର୍ବରୁ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆ ପ୍ରଥମରୁ ବେଶ ସତର୍କତାର ସହ ଖେଳିଥିଲା।

ତେବେ ଦଳୀୟ ସ୍କୋର ୨୧ ଥିବା ବେଳେ ବ୍ୟକ୍ତିଗତ ୭ ରନ୍‌ କରି ପ୍ରଥମ ଇନିଂସ୍‌ରେ ଦୁଇ ଶତକ ହାସଲ କରିଥିବା ମୟଙ୍କ ଅଗ୍ରୱାଲ ସ୍ପିନର କେଶବ ମହାରାଜଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ।

ଏହି ସମୟରେ ଅନ୍ୟତମ ଓପନର ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ। ତାଙ୍କୁ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଭରପୂର ସହଯୋଗ କରିଥିଲେ। ଉଭୟ ଦ୍ୱିତୀୟ ୱିକେଟ୍‌ ପାଇଁ ୧୬୯ ରନ୍‌ର ଭାଗିଦାରୀ କରି ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଇତି ମଧ୍ୟରେ ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ ମଧ୍ୟ କରିଥିଲେ।

ସବୁବେଳେ ଧିମା ବ୍ୟାଟିଂ କରୁଥିବା ପୂଜାରା ଅର୍ଦ୍ଧଶତକ ହାସଲ କରିବା ପରେ ହାତ ଖୋଲା ଶଟ ଖେଳିଥିଲେ। ତେବେ ସେ ୮୧ ରନ୍‌ କରିଥିବା ବେଳେ ତାଙ୍କୁ ଭର୍ନନ ଫିଲାଣ୍ଡର ଏଲବିଡବ୍ଲ୍ୟୁ  କରିଦାଇଥିଲେ।

ପୂଜାରାଙ୍କ ପରେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ ପାଇଁ ୪ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରିବାକୁ ଆସିଥିଲେ। ସେ ରୋହିତଙ୍କ ସହ ମିଶି ପ୍ରଥମେ ଦଳର ଲିଡକୁ ୩୦୦ ପାର କରାଇଥିଲେ। ରୋହିତ ମଧ୍ୟ ବଡ଼ ଶଟ୍‌ ଖେଳି ୧୩୩ଟି ବଲରେ ନିଜର ଶତକ ହାସଲ କରିଥିଲେ। ପ୍ରଥମ ଇନିଂସ୍‌ରେ ୧୭୬ ରନ୍‌ କରିଥିବା ରୋହିତ ଦ୍ୱିତୀୟ ଇନିଂସ୍‌ରେ ଶତକ ହାସଲ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ।

ଶତକ ହାସଲ ପରେ ସେ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରି ଲଗାତର ୩ଟି ବଲରେ ୩ଟି ଛକା ମାରି ଦଳର ସ୍କୋରକୁ ଦ୍ରୁତଗତିରେ ଆଗକୁ ନେଇଥିଲେ। ହେଲେ କେଶବ ମହାରାଜଙ୍କ ଏକ ବଲକୁ ବୁଝି ନ ପାରି ଶେଷରେ ରୋହିତ ଷ୍ଟମ୍ପିଂ ହୋଇଯାଇଥିଲେ।

ରୋହିତଙ୍କ ସ୍ଥାନରେ ଆସିଥିବା ବିରାଟ ମଧ୍ୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ଜାଡେଜା ୪୦ ରନ୍‌ କରିଥିବା ବେଳେ ତାଙ୍କୁ କାଗିସୋ ରବାଡା ବୋଲ୍ଡ କରିଦେଇଥିଲେ। ଦଳୀୟ ସ୍କୋର ୩୨୩/୪ ଥିବା ବେଳେ ଟିମ୍‌ ଇଣ୍ଡିଆ ତା’ର ଦ୍ୱିତୀୟ ଇନିଂସ୍‌ ଘୋଷଣା କରିଥିଲା। ଏହି ସମୟରେ ଅଜିଙ୍କ୍ୟ ରାହଣେ ୧୭ ବଲରୁ ୨୭ ରନ୍‌ ଓ ବିରାଟ ୨୫ ବଲ୍‌ରେ ୩୧ ରନ୍‌ କରି ବ୍ୟାଟିଂ କରୁଥିଲେ।

ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ଗତକାଲିର ସ୍କୋର ୩୮୫/୮ରୁ ଆଜି ଖେଳ ଆରମ୍ଭ କରିଥିଲା। ଖେଳ ଆରମ୍ଭର କିଛି ସମୟ ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନ୍‌ ୯ ରନ୍‌ କରିଥିବା କେଶବ ମହାରାଜଙ୍କୁ ଆଉଟ କରି ଦେଇଥିଲେ। ହେଲେ ସେନୁରାନ ମୁଥାସାମୀ ଓ କାଗିସୋ ରବାଡା ଭାରତୀୟ ବୋଲରଙ୍କ ସହ ଲଢ଼େଇ କରିଥିଲେ। ଉଭୟ ଦକ୍ଷିଣ ଆଫ୍ରିକା ସ୍କୋରକୁ ୪୩୦ ପର୍ଯ୍ୟନ୍ତ ନେଇଥିଲେ। ଦଳୀୟ ସ୍କୋର ୪୩୧ ଥିବା ବେଳେ ଅଶ୍ୱିନ୍‌ ୧୫ ରନ୍‌ କରିଥିବା ରବାଡାଙ୍କୁ ଏଲବିଡବ୍ଲ୍ୟୁ କରି ଦକ୍ଷିଣ ଆଫ୍ରିକା ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ମୁଥାସାମୀ ଶେଷ ଯାଏ ୩୩ ରନ୍‌ କରି ନଟ ଆଉଟ ରହିଥିଲେ। ଭାରତ ପକ୍ଷରୁ ଅଶ୍ୱିନ ପ୍ରଥମ ଇନିଂସ୍‌ରେ ୭ଟି ୱିକେଟ୍‌ ଦଖଲ କରିଥିବା ବେଳେ ଜାଡେଜା ୨ଟି ଓ ଈଶାନ୍ତ ଶର୍ମା ଗୋଟିଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos