୭୧ ବର୍ଷ ତଳର ରେକର୍ଡ ସହ ସମକକ୍ଷ ହେଲେ ସ୍ମିଥ
ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍ରେ ଚମତ୍କାର ଫର୍ମରେ ଥିବା ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ ଷ୍ଟିଭ ସ୍ମିଥ ନୂଆ ରେଡର୍କର ଅଧିକାରୀ ହୋଇଛନ୍ତି। ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିବା ସ୍ମିଥ ବିଶ୍ୱର ଦ୍ୱତୀୟ ବ୍ୟାଟସ୍ମ୍ୟାନ୍ ଭାବେ କ୍ରମାଗତ ୬ଷ୍ଠ ଥର ପାଇଁ ଟେଷ୍ଟ ମ୍ୟାଚ୍ରେ ୮୦ କିମ୍ବା ତା’ଠାରୁ ଅଧିକ ରନ୍ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏପରି କରି ସେ ୭୧ ବର୍ଷ ତଳର ରେକର୍ଡ ସହ ସମକକ୍ଷ ମଧ୍ୟ ହୋଇଛନ୍ତି।
ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଶେସ୍ ଟେଷ୍ଟ ସିରିଜର ୫ମ ମ୍ୟାଚ୍ର ପ୍ରଥମ ଇନିଂସ୍ରେ ସ୍ମିଥ ୮୦ ରନ୍ କରିବା ପରେ ଏହି ରେକର୍ଡ ସମକକ୍ଷ ହୋଇଛନ୍ତି। ପୂର୍ବରୁ ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟସ୍ମ୍ୟାନ୍ ସାର୍ ଏଭରଟନ୍ ୱିକ୍ସ କ୍ରମାଗତ ୬ଟି ଇନିଂସ୍ରେ ୮୦ କିମ୍ବା ତା’ଠାରୁ ଅଧିକ ରନ୍ କରିବାର ରେକର୍ଡ କରିଥିଲେ।
ସ୍ମିଥ ପ୍ରଥମ ଇନିଂସ୍ରେ ୮୦ ରନ୍ କରିବା ପରେ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ବିପକ୍ଷରେ ଅଧିକ ସଂଖ୍ୟକ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ କ୍ରମାଗତ ୧୦ଟି ମ୍ୟାଚ୍ରେ ୫୦ରୁ ଅଧିକ ରନ୍ କରିଛନ୍ତି। ସେହିପରି ସ୍ମିଥ ଶେଷ ୬ଟି ଇନିଂସ୍ରେ ଯଥାକ୍ରମେ ୧୪୪, ୧୪୨, ୯୨, ୨୧୧, ୮୨ ଓ ୮୦ ରନ୍ କରିଛନ୍ତି।
ତୃତୀୟ ଟେଷ୍ଟ ଖେଳି ନଥିବା ସ୍ମିଥ ମାତ୍ର ୬ଟି ଇନିଂସ୍ରେ ୭୬୧ ରନ୍ ହାସଲ କରିଛନ୍ତି। ଯଦି ୫ମ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ସ୍ମିଥ ଦ୍ୱିଶତକ ହାସଲ କରି ନିଅନ୍ତି, ତା’ହେଲେ ଗୋଟିଏ ନିର୍ଦ୍ଦିଷ୍ଟ ସିରିଜ୍ରେ ସର୍ବାଧିକ ରନ୍ ହାସଲକାରୀ ବିଶ୍ୱର ପ୍ରଥମ ବ୍ୟାଟସ୍ମ୍ୟାନ୍ ହୋଇଯିବେ।
୧୯୩୦ ମସିହା ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍ରେ ସାର ବ୍ରାଡମ୍ୟାନ୍ ଏକାକୀ ୯୭୪ ରନ୍ କରି ସର୍ବାଧିକ ରନ୍ ହାସଲକାରୀ କ୍ରିକେଟର ହେବାର ରେକର୍ଡ ନିଜ ନାଁରେ ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।