ୟୁଏସ୍‌ ଓପନକୁ ଯୋଗ୍ୟତା ଅର୍ଜନ କଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ୨୫ ବର୍ଷ ମଧ୍ୟରେ ପ୍ରଥମ ଯୁବ ଭାରତୀୟ ଭାବେ ସୁମିତ ନାଗାଲ କୌଣସି ଏକ ଟେନିସ୍‌ ଇଭେଣ୍ଟର ଗ୍ରାଣ୍ଡସ୍ଲାମ ମେନ୍‌ ଡ୍ରକୁ ଯୋଗ୍ୟତା ଅର୍ଜନ କରିବାର ରେକର୍ଡ କରିଛନ୍ତି। ୨୦୧୫ ୱିମ୍ବିଲେଡନ୍‌ ଜୁନିୟର ଡବଲ୍ସ ଚାମ୍ପିୟନ ସୁମିତ ଏବେ ପ୍ରସିଦ୍ଧ ୟୁଏସ୍ ଓପନ ଖେଳିବାର ଯୋଗ୍ୟତା ହାସଲ କରିଛନ୍ତି।

ତେବେ ପ୍ରଥମ ରାଉଣ୍ଡରେ ତାଙ୍କର ମୁକାବିଲା ଟେନିସ୍‌ ଜଗତର ସବୁଠାରୁ ପ୍ରଖ୍ୟାତ ଖେଳାଳି ରୋଜର ଫେଡରର୍‌ଙ୍କ ସହ ହେବ। ସୁମିତ ଯୋଗ୍ୟତା ପ୍ରର୍ଯ୍ୟାୟର ଶେଷ ମ୍ୟାଚରେ ପାନ୍‌ ଆମେରିକା ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ବ୍ରାଜିଲର ଜୋଆଓ ମେନେଜେସ୍‌ଙ୍କୁ ହରାଇଛନ୍ତି।

ସୁମିତ ବେଶ ସହଜରେ ଜୋଆଓଙ୍କୁ ୫-୭, ୬-୪ ଓ ୬-୩ ସେଟ୍‌ରେ ପରାସ୍ତ କରିଥିଲେ। ବିଶ୍ୱରେ ସୁମିତଙ୍କ ରାଙ୍କ ୧୯୦ ରହିଛି। ତେଣୁ ୨୦ତମ ଗ୍ରାଣ୍ଡସ୍ଲାମ ବିଜେତା ଫେଡରରଙ୍କ ସହ ସେ କେମିତି ଖେଳୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

୨୦୧୯ ୟୁଏସ୍‌ ଓପନ ପାଇଁ ଦ୍ୱିତୀୟ ଭାରତୀୟ ଭାବେ ସୁମିତ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହାପୂର୍ବରୁ ରାଙ୍କିଙ୍ଗର ୮୯ତମ ସ୍ଥାନରେ ଥିବା ପ୍ରଜନେଶ ଗୁନ୍ନେଶ୍ୱରମ ୟୁଏସ୍‌ ଓପନକୁ ଯୋଗ୍ୟତା ଅର୍ଜନ କରିଥିଲେ।