ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପରାଜୟର ପ୍ରତିଶୋଧ ଟି-ଟ୍ୱେଣ୍ଟିରେ ନେଲା ଭାରତ

aus-vs-indମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଉପରେ ଦିନିକିଆ ସିରିଜ୍ ପରାଜୟର ପ୍ରତିଶୋଧ ନେଇଛି ଭାରତ। ଅଷ୍ଟ୍ରେଲିଆ ବିପକ୍ଷ ୩ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ଭାରତ ୨-୦ରେ ଆଗୁଆ ରହିବା ସହିତ ଏହାକୁ ଜିତି ନେଇଛି। ଆଡିଲେଡରେ ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ଭାରତ ୩୭ ରନରେ ଜିତିଥିବା ବେଳେ ଆଜି ମେଲବୋର୍ଣ୍ଣରେ ଖେଳା ଯାଇଥିବା ଦ୍ୱିତୀୟ ମ୍ୟାଚରେ ଦଳ ୨୭ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ଟି ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କରିଥିଲା। ତେବେ ଘରୋଇ ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୭ ରନ୍ କରିପାରିଥିଲା। ୩୩ଟି ବଲରୁ ୫୯ ରନ୍ କରି ଅପରାଜିତ ରହିଥିବା ବିରାଟ କୋହଲିଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଛି।

ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ଭାରତୀୟ ଟିମକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଦଳ ଭଲ ଆରମ୍ଭ କରିଥିଲା। ଓପନର ରୋହିତ ଶର୍ମା ଓ ଶିଖର ଧାୱନ ଦଳକୁ ଏକ ମଜଭୁତ ଆରମ୍ଭ ଦେଇଥିଲେ। ଦଳୀୟ ସ୍କୋର ୯୭ ରନ୍ ହୋଇଥିବା ବେଳେ ପ୍ରଥମ ୱିକେଟ୍ ଭାବେ ଧାୱନ୍ ଆଉଟ୍ ହୋଇଥିଲେ। ସେ ୩୨ଟି ବଲରୁ ୪୨ ରନ୍ କରି ଆଉଟ୍ ହୋଇଥିଲେ। ରୋହିତ ଶର୍ମା ୪୭ଟି ବଲରୁ ୬୦ ରନ୍ କରି ଆଉଟ୍ ହୋଇଥିଲେ। ସେତେବେଳକୁ ଦଳ ୧୫. ୬ ଓଭରରେ ୧୪୩ ରନ୍ କରିଥିଲେ। ଧୋନି ୯ଟି ବଲରୁ ୧୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ବିରାଟ କୋହଲି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୩୩ଟି ବଲରୁ ୫୯ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ୍ ମାକ୍ସୱେଲ୍ ଓ ଆଣ୍ଡ୍ରୁ ଟି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

୧୮୫ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆରମ୍ଭ ବଢ଼ିଆ କରିଥିଲା। ଦଳ ପ୍ରଥମ ୱିକେଟ୍ ହରାଇଥିଲା ୯.୫ ଓଭରରେ ୯୪ ରନରେ। ୨୩ ରନ୍ କରି ଆଉଟ୍ ହୋଇଥିଲା ସନ୍ ମାର୍ଶ। ସେ ଆଉଟ୍ ହେବା ପରେ ଦଳ ଅଳ୍ପ ରନ୍ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଲା। ଦ୍ୱିତୀୟ ୱିକେଟ୍ ପଡ଼ିଥିଲା ୯୯ ରନରେ। ଲିନ୍ ୨ ରନ୍ କରି ଆଉଟ୍ ହୋଇଥିଲ। ୧୦୧ରେ ତୃତୀୟ ୱିକେଟ୍, ୧୨୧ରେ ଚତୁର୍ଥ, ୧୨୪ରେ ୫ମ, ୧୩୭ରେ ଷଷ୍ଠ, ୧୫୨ରେ ସପ୍ତମ ଓ ୧୫୭ରେ ଅଷ୍ଟମ ୱିକେଟ୍ ପଡ଼ିଥିଲା। ଦଳ ପକ୍ଷରୁ ଆରୋନ୍ ଫିଞ୍ଚ୍ ସର୍ବାଧିକ ୭୪ ରନ୍ କରି ରନ୍ ଆଉଟ୍ ହୋଇଥିଲେ।

ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡ଼େଜା ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯୁବରାଜ ସିଂହ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ସିରିଜର ତୃତୀୟ ମ୍ୟାଚ୍ ସିଡନୀରେ ଜାନୁଆରୀ ୩୧ ତାରିଖରେ ଭାରତୀୟ ସମୟ ୨ଟା ୧୦ରେ ଖେଳାଯିବ।