ଆଜି ଟି-ଟ୍ୱେଣ୍ଟି: ବର୍ଷା ବାଧକ ହେବା ସମ୍ଭାବନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି କଲମ୍ବୋ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ଶ୍ରୀଲଙ୍କା ଓ ଟିମ୍‌ ଇଣ୍ଡିଆ। ଶ୍ରୀଲଙ୍କା ଗସ୍ତରେ ଥିବା ଟିମ୍‌ ଇଣ୍ଡିଆ ଏପର୍ଯ୍ୟନ୍ତ ଟେଷ୍ଟ ଓ ଦିନିକିଆରେ କ୍ଲିନ୍‌ ସୁଇପ୍‌ କରିସାରିଛି। ଫଳରେ ଆଜି ମ୍ୟାଚ୍‌ ଜିତି ୩ଟି ଫର୍ମାଟ୍‌ରେ ଟିମ୍‌ କ୍ଲିନ୍‌ ସୁଇପ୍‌ କରିବା ସହ ସିରିଜ୍‌ ହାତେଇବାକୁ ଚେଷ୍ଟା କରିବ। ସେହିପରି ଟେଷ୍ଟ ଓ ଦିନିକିଆରେ କୌଣସି ଗୋଟିଏ ବି ମ୍ୟାଚ୍‌ ଜିତି ନ ପାରି ସିରିଜ ପରାଜିତ ହେବା ପରେ ଶ୍ରୀଲଙ୍କାର ଶେଷ ଆଶା ଏବେ ଟି- ଟୋଣ୍ଟି ଉପରେ ରହିଛି। ଏହି ଏକମାତ୍ର ଟି- ଟ୍ୱେଣ୍ଟିରେ ବିଜୟ ସହ ଟି- ଟ୍ୱେଣ୍ଟି ସିରିଜକୁ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ ଘରୋଇ ଟିମ୍‌। ଅନ୍ୟପଟେ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଫୁଲ୍‌ ଫର୍ମରେ ଅଛି। ବ୍ୟାଟିଂରେ ଟିମ୍‌ର ଅଧିନାୟକ କୋହଲିଙ୍କ ଠାରୁ ଆରମ୍ଭ କରି ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା,ଧୋନୀ, କେଦାର ଯାଦବ ଆକର୍ଷଣୀୟ ଫର୍ମରେ ରହିଥିବା ବେଳେ ବୋଲିଂରେ ଭୁବନେଶ୍ୱର କୁମାର, ବୁମ୍‌ରା, ଚହଲ ଓ କୁଲଦୀପ ଯାଦବଙ୍କୁ ସାମ୍ନା କରିବା ବିପକ୍ଷ ଟିମ୍‌ ପାଇଁ କାଠିକର ପାଠ ହେବ। ତେଣୁ ଆଜିର ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ଚଳିତ ଶ୍ରୀଲଙ୍କା ସିରିଜରେ କ୍ଲିନ୍‌ ସୁଇପ୍‌ କରିବାକୁ ଚେଷ୍ଟା କରିବ। ସେପଟେ ଶ୍ରୀଲଙ୍କା ନିଜର ଆତ୍ମରକ୍ଷା ପାଇଁ ଶେଷ ମ୍ୟାଚ୍‌ ଜିତିବାକୁ ସମ୍ପୂର୍ଣ୍ଣ ଚେଷ୍ଟାକରିବ। ଏଥିପାଇଁ ଟିମ୍ ଇଣ୍ଡିଆ ବିପକ୍ଷରେ ନୂଆ ରଣକୌଶଳ ସହ ପଡିଆକୁ ଓହ୍ଲାଇବ ଶ୍ରୀଲଙ୍କା।

ଅନ୍ୟପଟେ ଏହି ଏକମାତ୍ର ଟି-ଟ୍ୱେଣ୍ଟି ପାଇଁ ଆଜି ବର୍ଷା ବାଧକ ସାଜିବାର ସମ୍ଭାବନା ରହିଛି। କଲୋମ୍ବରେ ମଙ୍ଗଳବାର ବର୍ଷା ହେବା କରାଣରୁ ଏହି ଦୁଇ ଟିମ୍‌ ଅଭ୍ୟାସ୍‌ କରିପାରିନଥିଲେ। ଆଜି ଯଦି ସନ୍ଧ୍ୟା ସୁଦ୍ଧା ବର୍ଷା ନ ହୁଏ ତେବେ ମ୍ୟାଚ୍‌ ଖେଳାଯାଇପାରିବ ବୋଲି କୁହାଯାଇଛି।