ବିଶ୍ୱକପ ପାଇଁ ପ୍ରସ୍ତୁତ ନୁହେଁ ଭାରତ, ଆହୁରି ଅନେକ ପରିଶ୍ରମ କରିବାକୁ ହେବ: ଶାସ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ୬ଟିକିଆ ଦିନିକିଆ ସିରିଜକୁ ୫-୧ରେ ଜିତିବା ପରେ ଟିମ୍‌ର ମନୋବଳ ଦୃଢ ହୋଇଛି। ଗତ କାଲି ଖେଳାଯାଇଥିବା ଶେଷ ଦିନିକିଆକୁ ମଧ୍ୟ ଭାରତ ୮ ୱିକଟରେ ଜିତିନେଇଛି। ଦକ୍ଷିଣ ଆଫ୍ରିକାର ୨୦୫ ରନର ଟାର୍ଗେଟକୁ ଟିମ୍ ଇଣ୍ଡିଆ ୩୨ ଓଭର୍‌ ଗୋଟିଏ ବଲରେ ୨ ଓ୍ୱିକେଟ ହରାଇ ହାସଲ କରିନେଇଥିଲା। ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତ ଆକର୍ଷଣୀୟ ଫର୍ମରେ ରହିଛି। କିନ୍ତୁ ଟିମ୍ ଇଣ୍ଡିଆର କୋଚ୍‌ ରବି ଶାସ୍ତ୍ରୀଙ୍କୁ ଏହା ପ୍ରଭାବିତ କରିପାରିନାହିଁ। ସେ କହିଛନ୍ତି ୨୦୧୯ ବିଶ୍ୱକପ ପାଇଁ ଭାରତ ଏପର୍ଯ୍ୟନ୍ତ ତୟାର ହୋଇନାହିଁ। ଟିମ୍‌କୁ ଆହୁରି ଅନେକ କିଛି କରିବାକୁ ହେବ। ଭାରତୀୟ ଟିମ୍‌ ଆଗକୁ ଇଂଲଣ୍ଡ ଗସ୍ତରେ ଯିବାକୁ ଅଛି , ତେଣୁ ଏହି ପରିବେଷରେ ଟିମ୍‌ କିପରି ପ୍ରଦର୍ଶନ କରୁଛି ତାହା ଦେଖିବାକୁ ବାକି ରହିଛି। ଲଂଲଣ୍ଡ ଗସ୍ତ ପରେ ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଆ କେତେମାତ୍ରାର ପ୍ରସ୍ତୁତ ତାହା ଜଣାପଡ଼ିବ। କାରଣ ୨୦୧୯ ବିଶ୍ୱକପ ଇଂଲଣ୍ଡରେ ହିଁ ହେବାକୁ ଯାଉଛି। ତେଣୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୨୦୧୮ରେ ହେବାକୁ ଥିବା ଦ୍ୱିପାକ୍ଷିକ ସିରିଜ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କୋଚ୍‌ କହିଛନ୍ତି। ଦକ୍ଷିଣ ଆଫ୍ରିକାରେ ଭାରତର ପ୍ରଦର୍ଶନକୁ ନେଇ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି କୋଚ୍। ବିଶେଷ କରି ଅଧିନାୟକ କୋହଲି, ଦୁଇ ସ୍ପିନର ଚହଲ ଓ କୁଲଦୀପଙ୍କୁ ବେଶ ପ୍ରଶଂସା କରିଛନ୍ତି ଶାସ୍ତ୍ରୀ।