ଘୋର ସଙ୍କଟରେ ଭାରତୀୟ କ୍ରିକେଟ୍‌ ଟିମ୍‌: କାଠଗଡ଼ାରେ କୋହଲି

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ୍‌ ଟିମ୍‌ ଏକ ଘୋର୍ ସଙ୍କଟ ସମୟ ଦେଇ ଗତି କରୁଛି। ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଠାରୁ ଲଜ୍ଜାଜନକ ପରାଜୟ ପରେ ଦଳ ଭିତରେ କିଛି ଠିକ୍ ଚାଲି ନ ଥିବା ଜଣାପଡିଛି। ଠିକ୍ ଏହି ସମୟରେ ଟିମ୍‌ର ମୁଖ୍ୟ କୋଚ୍‌ ଥିବା ଅନିଲ କୁମ୍ବଲେ ପଦ ଛାଡିବା ଘଟଣା ବେଶ ଚର୍ଚ୍ଚା ସୃଷ୍ଟି କରିଛି। ତାଙ୍କ ପଦ ଛାଡିବା ପଛରେ ଅଧିନାୟକ କୋହଲିଙ୍କୁ ସେ ଦାୟୀ କରିଛନ୍ତି। ଯେଉଁଥିପାଇଁ କୋହଲି ଏବେ କାଠଗଡ଼ାରେ।

ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଟିମ୍‌ ଇଣ୍ଡିଆର ଆଗାମୀ ପ୍ରଦର୍ଶନକୁ ନେଇ ଆଶଙ୍କା ଦେଖାଦେଇଛି। ଅନେକ ପୂର୍ବତ୍ତନ କ୍ରିକେଟର୍‌ ଟିମ୍‌ ଇଣ୍ଡିଆର ବର୍ତ୍ତମାନର ପରିସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। କାରଣ ଆସନ୍ତା ୨୩ ତାରିଖ ଠାରୁ ୱେଷ୍ଟଇଣ୍ଡିଜ୍‌ ସହ ଆରମ୍ଭ ହେଉଥିବା ୫ଟି ଦିନିକିଆ ଓ ଗୋଟିଏ ଟି-ଟୋଣ୍ଟି ସିରିଜ ଖେଳିବା ପାଇଁ ଟିମ୍‌ ଇଣ୍ଡିଆ ବିନା କୋଚ୍‌ରେ ଯାତ୍ରା କରିଛି। ଏହା ପୂର୍ବରୁ ଅର୍ଥ କାରବାରକୁ ନେଇ ସୁପ୍ରିମକୋର୍ଟ ବିସିସିଆଇ ଉପରେ ଖପ୍ପା ଥିଲେ। ଫଳରେ ଚାମ୍ପିୟନ୍ସ ଟ୍ରଫିକୁ ବିସିସିଆଇ ଟିମ୍ ନ ପଠାଇବାକୁ ପ୍ରଥମେ ସଙ୍କେତ ଦେଇଥିଲା। ପରେ ଟିମ୍‌ ଚାମ୍ପିୟନ୍ସ ଟ୍ରଫିକୁ ଖେଳିବା ପାଇଁ ଯାଇଥିଲା। ଏଭଳି ପରିସ୍ଥିତିରେ ଏବେ ଟିମ୍ ଇଣ୍ଡିଆର ଭବିଷ୍ୟତ କଣ ହେବ ତାହାକୁ ନେଇ ପ୍ରଶ୍ନ।