ଯୋଗୀଙ୍କ ବେଶରେ ରଙ୍ଗିନ୍‌ ହେଲା ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ଟିମ୍: ଗେରୁଆ ପିନ୍ଧି ହୋଟେଲରେ ପ୍ରବେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ନ୍ୟୁଜିଲାଣ୍ଡ ଓ ଇଣ୍ଡିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ୟୁପିର କାନପୁର ଠାରେ ଖେଳାଯିବ। ଏନେଇ ଆଜି କାନପୁର ଠାରେ ନ୍ୟୁଜିଲାଣ୍ଡ ଓ ଟିମ୍‌ ଇଣ୍ଡିଆର ଖେଳାଳି ପହଞ୍ଚିଛନ୍ତି। କାନପୁରରେ ଦେଶର ଖେଳାଳି ପହଞ୍ଚିବା ପରେ ସେମାନଙ୍କୁ ଗେରୁଆ ବସ୍ତ୍ରରେ ସୁସଜ୍ଜିତ କରାଯାଇଥିଲା। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁଭଳି ଗେରୁଆ ବସ୍ତ୍ର ପରିଧାନ କରନ୍ତି ଖେଳାଳିଙ୍କୁ ସେହି ବସ୍ତ୍ରରେ ଦେଖିବାକୁ ମିଳିଥିଲା। ଏହାସହ ପାରମ୍ପରିକ ଭାବେ ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା। କେବଳ ଏତିକି ନୁହେଁ ଖେଳାଳି ରହୁଥିବା ହୋଟେଲକୁ ମଧ୍ୟ ଦୀପ ଦ୍ୱାରା ସଜ୍ଜିତ କରାଯାଇଛି। ଏହାସହ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ବନାରସି ପାନ ଦିଆଯାଇଥିଲା। ଆସନ୍ତା ରବିବାର ଦିନ ସିରିଜର ଶେଷ ମ୍ୟାଚ୍‌ ଖେଳାଯିବ। ବର୍ତ୍ତମାନ ଉଭୟ ଟିମ୍‌ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିବା ସହ ସିରିଜ ୧-୧ରେ ବରାବର ରହିଛି। ମୁମ୍ବାଇ ଠାରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟ ହୋଉଥିବା ବେଳେ ପୁନେ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା।