ବିଶ୍ୱକପ୍‌: ୪ନଂ ସ୍ଥାନକୁ ନେଇ ପୁଣି ଦ୍ୱନ୍ଦ୍ୱରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍‌ ଭଳି ବଡ଼ ଇଭେଣ୍ଟରେ ଟିମ୍‌ ଇଣ୍ଡିଆର ପ୍ରମୁଖ ଓପନର ଶିଖର ଧୱନ ଆହତ ହେବା ପୂରା ମ୍ୟାନେଜମେଣ୍ଟକୁ ଝଟକା ଦେଇଛି। ବିଶେଷ କରି ଟିମ୍‌ ଇଣ୍ଡିଆର ୪ ନଂରେ କିଏ ବ୍ୟାଟିଂ କରିବ, ତା’କୁ ନେଇ ପୁଣିଥରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବିଶ୍ୱକପ୍‌ ପୂର୍ବରୁ ଏହି ସ୍ଥାନକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ହେଲେ କେଏଲ୍‌ ରାହୁଲ ଅଭ୍ୟାସ୍‌ ମ୍ୟାଚ୍‌ରେ ଏହି ଦ୍ୱନ୍ଦ୍ୱକୁ ଦୂର କରିଥିଲେ। ସେ ହିଁ ଭାରତ ବିଶ୍ୱକପ୍‌ରେ ଖେଳିଥିବା ୨ଟି ଯାକ ମ୍ୟାଚ୍‌ରେ ୪ ନଂ ସ୍ଥାନରେ ବ୍ୟାଟିଂ କରିଥିଲେ।

କିନ୍ତୁ ଏବେ ଧୱନ ଆହତ ହୋଇଥିବାରୁ ରାହୁଲ ହିଁ ରୋହିତ ଶର୍ମାଙ୍କ ସହ ଇନିଂସ୍‌ ଆରମ୍ଭ କରିବା ଏକ ପ୍ରକାରର ନିଶ୍ଚତ। ତେଣୁ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ପକ୍ଷରୁ କିଏ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ୪ନଂରେ ବ୍ୟାଟିଂ କରିବ, ତା’କୁ ନେଇ ସନ୍ଦେହ ପ୍ରକାଶ ପାଇଛି। ପୂର୍ବରୁ ଏହି ସ୍ଥାନ ପାଇଁ ବିଜୟ ଶଙ୍କର ଦାବିଦାର ଥିଲେ। ହେଲେ ଅଭ୍ୟାସ ମ୍ୟାଚ୍‌ରେ ସେ କୌଣସି କରିସ୍ମା ଦେଖାଇ ପାରିନାହାନ୍ତି। ଏପରି ସ୍ଥିତିରେ ବିଶ୍ୱକପ୍‌ ଭଳି ଇଭେଣ୍ଟରେ ଦଳ ତାଙ୍କ ପାଇଁ ରିସ୍କ ନେବାକୁ ଚାହିଁବ ନାହିଁ। ଅନ୍ୟଜଣେ ଖେଳାଳି ହେଲେ ଦୀନେଶ କାର୍ତ୍ତିକ। ଆଗରୁ ଏହି ୪ନଂ ସ୍ଥାନରେ ବ୍ୟାଟିଂ କରି ସେ ଟିମ୍‌ ଇଣ୍ଡିଆକୁ ଏକାଧିକ ମ୍ୟାଚ୍‌ ଜିତାଇଛନ୍ତି। ଅଭିଜ୍ଞତା ଦୃଷ୍ଟିରୁ ଶଙ୍କରଠାରୁ କାର୍ତ୍ତିକ ଯଥେଷ୍ଟ ଆଗରେ ରହିଛନ୍ତି। ତେଣୁ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା କରିପାରେ। କାର୍ତ୍ତିକ ଆଇପିଏଲ୍‌ରେ ମଧ୍ୟ କୋଲକାତା ନାଇଟ୍‌ ରାଇର୍ଡସ ପକ୍ଷରୁ ୪ନଂରେ ହିଁ ବ୍ୟାଟିଂ କରୁଥିଲେ।

ଯଦି ଭାରତ ଏହି ଦୁଇ ଜଣଙ୍କ ମଧ୍ୟରୁ କାହାକୁ ସୁଯୋଗ ନ ଦିଏ, ତା’ହେଲେ ଧୱନଙ୍କୁ ରିପ୍ଲେସ କରିବାକୁ ଥିବା ଶ୍ରେୟସ ଆୟର କିମ୍ବା ରିଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ଏହି ସ୍ଥାନରେ ଖେଳିବାକୁ ପଡ଼ିବ। କ୍ରିକେଟ୍‌ ପଣ୍ଡିତଙ୍କ ମତରେ ୪ନଂ ସ୍ଥାନ ପାଇଁ ଶ୍ରେୟସ ଆୟର ହିଁ ପ୍ରବଳ ଦାବିଦାର। କାରଣ ପୂର୍ବରୁ ମଧ୍ୟ ସେ ଟିମ୍‌ ଇଣ୍ଡିଆ ପାଇଁ ଏହି ସ୍ଥାନରେ ବ୍ୟାଟିଂ କରୁଥିଲେ।

ଆଇପିଏଲ୍‌ରେ ମଧ୍ୟ ସେ ଜବରଦସ୍ତ ଫର୍ମରେ ରହିଥିଲେ। ତେଣୁ ତାଙ୍କୁ ୪ନଂରେ ଖେଳାଇଲେ, ତାହା ଟିମ୍‌ ଇଣ୍ଡିଆ ପାଇଁ ଶୁଭଙ୍କର ହେବ। ଅନ୍ୟଥା କେଦାର ଯାଦବଙ୍କୁ ପ୍ରମୋସନ ଦେଇ ଟିମ୍‌ ଇଣ୍ଡିଆ ୪ ନଂରେ ଖେଳାଇ ପାରିବ। ଦୀନେଶ କାର୍ତ୍ତିକ ୬ ନଂ ସ୍ଥାନରେ ରହି ‘ଫିନିଶର’ର ଭୂମିକା ତୁଲାଇ ପାରିବେ। ନିଦାଶ ଟ୍ରଫିରେ ସେ ୬ ନଂ ସ୍ଥାନରେ ବ୍ୟାଟିଂ କରି ଭାରତକୁ ଶେଷ ବଲ୍‌ରେ ଛକା ମାରି ବିଜୟୀ କରାଇଥିଲେ।

ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ ନଟିଂହାମରେ ଖେଳିବ। ତେଣୁ ପିଚ୍‌କୁ ଦେଖି ଚୂଡ଼ାନ୍ତ ଏକାଦାଶ ଚୟନ କରାଯିବ ବୋଲି ଜଣାପଡ଼ିଛି।