ନ୍ୟୁଜିଲ୍ୟାଣ୍ଡକୁ ପଛରେ ପକାଇଲା ବିରାଟ ବାହିନୀ, ଟେଷ୍ଟରେ ବନିଲା ନଂ ୧

ଅହମଦାବାଦ: ଇଂଲଣ୍ଡକୁ ଗୋଟିଏ ଇନିଂସ୍‌ ଓ ୨୫ ରନ୍‌ରେ ହରାଇ ଟିମ୍‌ ଇଣ୍ଡିଆ କେବଳ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିନାହିଁ ବରଂ ବିଶ୍ୱର ୧ନଂ ଟେଷ୍ଟ ଟିମ୍‌ ମଧ୍ୟ ବନି ଯାଇଛି। ଏହି ବିଜୟ ପରେ ବିରାଟ ବାହିନୀ ନ୍ୟୁଜିଲ୍ୟାଣ୍ଡକୁ ପଛରେ ପକାଇ ଆଇସିସି ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ଆଜି ଟିମ୍‌ ଇଣ୍ଡିଆ ୪ର୍ଥ ଟେଷ୍ଟରେ ଇଂଲଣ୍ଡକୁ ପରାସ୍ତ କରି ୩-୧ରେ ସିରିଜ୍‌ ମଧ୍ୟ ଦଖଲ କରିଛି।

ଆଜିର ବିଜୟ ପୂର୍ବରୁ ଟିମ୍‌ ଇଣ୍ଡିଆ ଟେଷ୍ଟ ରାଙ୍କିଙ୍ଗର ଦୁଇ ନମ୍ବର ସ୍ଥାନରେ ଥିଲା। ନ୍ୟୁଜିଲ୍ୟାଣ୍ଡ ୧୧୮ ପଏଣ୍ଟ ସହ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଥିଲା। ତେବେ ଆଜି ଭାରତ ୧୨୨ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡକୁ ଦ୍ୱିତୀୟକୁ ଠେଲି ୧ନଂ ସ୍ଥାନରେ ପହଞ୍ଚି ଯାଇଛି।

ଆଜିର ବିଜୟ ପରେ ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୧ନଂ ସ୍ଥାନ ମଧ୍ୟ ଦଖଲ କରିଛି। ଏବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ଲର୍ଡସରେ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ମ୍ୟାଚ୍ ଖେଳାଯିବ। ଗତମାସରେ ଅଷ୍ଟ୍ରେଲିଆ କରୋନା ଯୋଗୁ ତା’ର ଦକ୍ଷିଣ ଆଫ୍ରିକା ଟୁର୍‌ ବାତିଲ କରିଥିଲା। ଫଳରେ ନ୍ୟୁଜିଲ୍ୟାଣ୍ଡ ୧୧ଟି ଟେଷ୍ଟରୁ ୭ଟି ବିଜୟ ଓ ୪ଟି ପରାଜୟ ସହ ୪୨୦ ପଏଣ୍ଟ ପାଇ ପ୍ରଥମ ଦଳ ଭାବେ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଟିକେଟ୍‌ ହାସଲ କରିଥିଲା।

ଭାରତ ଟେଷ୍ଟ ଚାମ୍ପିୟନଶିପ୍‌ର ୧୭ଟି ମ୍ୟାଚ୍‌ରୁ ୧୨ଟିରେ ବିଜୟ ଲାଭ କରିଥିବା ବେଳେ ୪ଟିରେ ପରାସ୍ତ ହୋଇଛି। ସେହିପରି ଗୋଟିଏ ମ୍ୟାଚ୍‌ ଡ୍ର ରଖି ୪୯୦ ପଏଣ୍ଟ ପାଇଛି। ଫଳରେ ଦଳ ଚାମ୍ପିୟନଶିପ୍‌ ତାଲିକାର ୧ନଂ ସ୍ଥାନରେ ପହଞ୍ଚି ଯାଇଛି।

ଅନ୍ୟପକ୍ଷରେ ଆଇସିସି ଟେଷ୍ଟ ରାଙ୍କିଙ୍ଗ କଥା ଦେଖିଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପଛକୁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ଆଫଗାନିସ୍ତାନ ଓ ବାଂଲାଦେଶ ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।