୨୦୧୯ କ୍ରିକେଟ୍‌ ବିଶ୍ୱକପ୍‌ ଏହି ୫ ଦଳ ଜିତିବାର ସମ୍ଭାବନା ବେଶୀ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୯କୁ ସାରା କ୍ରିକେଟ ଜଗତ ଚାତକ ଭଳି ଅପେକ୍ଷା କରିଛି। ୪ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା କ୍ରିକେଟ୍‌ର ଏହି ମହାକୁମ୍ଭ ଆସନ୍ତା ବର୍ଷ ମେ’ ୩୦ ତାରିଖରୁ ଆରମ୍ଭ ହେବ। ବିଶ୍ୱର ଶ୍ରେଷ୍ଠ ଟିମ୍‌ମାନେ ଏହି ଗ୍ରେଟ୍‌ ଇଭେଣ୍ଟରେ ପରସ୍ପର ସହ ଲଢ଼େଇ କରି ଟ୍ରଫି ଜିତିବାକୁ ଚେଷ୍ଟା କରିବେ। ୧୯୭୫ରୁ କ୍ରିକେଟ୍‌ ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ତେବେ ଏଯାଏ କେବଳ ୱେଷ୍ଟଇଣ୍ଡିଜ, ଭାରତ, ଅଷ୍ଟ୍ରେଲିଆ,ପାକିସ୍ତାନ ଓ ଶ୍ରୀଲଙ୍କାକୁ […]

e5

e5

Hemant Lenka
  • Published: Saturday, 10 November 2018
  • Updated: 10 November 2018, 10:23 AM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୯କୁ ସାରା କ୍ରିକେଟ ଜଗତ ଚାତକ ଭଳି ଅପେକ୍ଷା କରିଛି। ୪ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା କ୍ରିକେଟ୍‌ର ଏହି ମହାକୁମ୍ଭ ଆସନ୍ତା ବର୍ଷ ମେ’ ୩୦ ତାରିଖରୁ ଆରମ୍ଭ ହେବ। ବିଶ୍ୱର ଶ୍ରେଷ୍ଠ ଟିମ୍‌ମାନେ ଏହି ଗ୍ରେଟ୍‌ ଇଭେଣ୍ଟରେ ପରସ୍ପର ସହ ଲଢ଼େଇ କରି ଟ୍ରଫି ଜିତିବାକୁ ଚେଷ୍ଟା କରିବେ।

୧୯୭୫ରୁ କ୍ରିକେଟ୍‌ ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ତେବେ ଏଯାଏ କେବଳ ୱେଷ୍ଟଇଣ୍ଡିଜ, ଭାରତ, ଅଷ୍ଟ୍ରେଲିଆ,ପାକିସ୍ତାନ ଓ ଶ୍ରୀଲଙ୍କାକୁ ଛାଡ଼ି ଦେଲେ ଅନ୍ୟ କୌଣସି ଦେଶ କେବେ ହେଲେ ବିଶ୍ୱ ବିଜେତା ହୋଇପାରି ନାହାନ୍ତି। କିନ୍ତୁ ଏଥର ଇଂଲଣ୍ଡର ବାଉନ୍ସିଂ ପିଚ୍‌ରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବାରୁ ବ୍ୟାଟ୍‌ ଓ ବଲ୍‌ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ଏଥିପାଇଁ ସବୁ ଦଳ ସେମାନଙ୍କର ବେଷ୍ଟ ଇଲେଭେନ୍‌ ଚୟନ କରିବାରେ ଲାଗି ପଡ଼ିଛନ୍ତି।

ତଥାପି କ୍ରିକେଟ୍‌ ବିଶେଷଜ୍ଞ ଓ ପଣ୍ଡିତଙ୍କ ମତରେ କେବଳ ଏହି ୫ଟି ଦଳ ୨୦୧୯ ବିଶ୍ୱକପ୍‌ ଜିତିବାର ପ୍ରବଳ ଦାବିଦାର ଭାବେ ଉଭା ହୋଇଛନ୍ତି।

୧: ଇଂଲଣ୍ଡ: କ୍ରିକେଟର ଜନ୍ମ ଇଂଲଣ୍ଡରୁ ହୋଇଥିଲେ ହେଁ ଦଳ କେବେ ହେଲେ ୫୦ ଓଭର୍‌ ବିଶିଷ୍ଟ ବିଶ୍ୱକପ୍‌ ନିଜ ନାଁରେ କରିପାରି ନାହିଁ। ବିଶ୍ୱକପ୍‌ର ସବୁ ସଂସ୍କରଣରେ ଦଳ ଅନ୍ୟମାନଙ୍କ ତୁଳନାରେ ଭଲ ପ୍ରଦର୍ଶନ କରୁଥିଲେ ହେଁ ଠିକଣା ସମୟରେ ସୁଯୋଗର ଫାଇଦା ଉଠାଇ ପାରିନାହିଁ। ତେବେ ବର୍ତ୍ତମାନର ଇୟାନ୍‌ ମୋର୍ଗାନଙ୍କ ଇଂଲଣ୍ଡ ଟିମ୍‌ ବେଷ୍ଟ ଫର୍ମରେ ରହିଛି। ଦିନିକିଆ କ୍ରିକେଟ୍‌ରେ ଇଂଲଣ୍ଡ ବିଶ୍ୱର ୧ ନଂ ଦଳ।

ଇଂଲଣ୍ଡ ପାଖରେ ଅଧିନାୟକ ମୋର୍ଗାନଙ୍କ ସମେତ ଜୋ ରୁଟ୍‌, ଜନ୍ନି ବେୟାରଷ୍ଟୋ ଓ ଜୋସ୍‌ ବଟଲର୍‌ଙ୍କ ଭଳି ବ୍ୟାଟସ୍‌ମ୍ୟାନ୍‌ ରହିଛନ୍ତି। ଏଥିସହ ବେନ୍‌ ଷ୍ଟୋକ୍ସଙ୍କ ଭଳି ଅଲରାଉଣ୍ଡର ଯେକୌଣସି ମୁହୂର୍ତ୍ତରେ ମ୍ୟାଚ୍‌କୁ ଓଲଟ୍‌ପାଲଟ୍‌ କରିବାର କ୍ଷମତା ମଧ୍ୟ ରଖିଛନ୍ତି। ଏହାବାଦ୍‌ ଦଳ ଏଥର ଘରୋଇ ପରିବେଶରେ ଖେଳ ଥିବାରୁ ଟ୍ରଫି ଜିତିବାର ସମ୍ଭାବନା ଅଧିକ ବଢ଼ିଯାଇଛି।

୨: ଟିମ୍‌ ଇଣ୍ଡିଆ: ଦିନିକିଆ କ୍ରିକେଟ୍‌ରେ ବିଶ୍ୱର ସବୁଠାରୁ ସନ୍ତୁଳିତ ଦଳ ଭାବେ ଯଦି କାହାକୁ ଗଣାଯାଏ, ତା’ହେଲେ ବିରାଟ୍‌ କୋହଲିଙ୍କ ଟିମ୍‌ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିବ। ନିକଟରେ ଶେଷ ହୋଇଥିବା ଏସିଆ କପ୍‌ ଓ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ଭାରତର ଜବରଦସ୍ତ ପ୍ରଦର୍ଶନ ମେନ୍‌ ଇନ୍‌ ବ୍ଲ୍ୟୁକୁ ୨୦୧୯ ବିଶ୍ୱକପ୍‌ ଜିତିବାର ଅନ୍ୟତମ ଦାବିଦାର ଭାବେ ଉଭା କରିଛି।

ଭାରତ ପାଖରେ ରୋହିତ ଶର୍ମା, ଶିଖର ଧୱନ ଓ ବିରାଟ୍‌ କୋହଲିଙ୍କ ଭଳି ବ୍ୟାଟସ୍‌ମ୍ୟାନ୍‌ ରହିଛନ୍ତି। ବିରାଟ୍‌ ଓ ରୋହିତ ଏବେ ଯଥାକ୍ରମେ ବିଶ୍ୱର ୧ ନଂ ଓ ୨ ନଂ ବ୍ୟାଟସ୍‌ମ୍ୟାନ୍‌। ସେହିଭଳି ଧଳା ବଲ କ୍ରିକେଟ୍‌ରେ ଟିମ୍‌ ଇଣ୍ଡିଆର ଦୁଇ ରିଷ୍ଟ ସ୍ପିନର୍‌ କୁଲଦୀପ ଯାଦବ ଓ ୟୁଜବେନ୍ଦର ଚହଲ ଅନେକ ଶକ୍ତିଶାଳୀ ଟିମ୍‌ର ବ୍ୟାଟିଂ ଲାଇନ୍‌କୁ ଭୁଶୁଡ଼ାଇ ଦେବାର କ୍ଷମତା ରଖିଛନ୍ତି।

ପେସ୍‌ ବାହିନୀରେ ବିଶ୍ୱର ୧ ନଂ ବୋଲର୍‌ ଯଶପ୍ରୀତ ବୁମ୍ରା ରହିଛନ୍ତି। ତାଙ୍କୁ ଭରପୂର ସହଯୋଗ କରିବାକୁ ସୁଇଂ ମାଷ୍ଟର ଭୁବନେଶ୍ୱର କୁମାରଙ୍କ ଭଳି ଅସ୍ତ୍ର ମଧ୍ୟ ଭାରତ ପାଖରେ ରହିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଇଂଲଣ୍ଡ ଭଳି ବାଉନ୍ସି ଟ୍ରାକ୍‌ରେ ବେଶ ଉପଯୋଗୀ ସାବ୍ୟସ୍ତ ହେବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଳ ପାଖରେ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଜଣେ କୁଲ୍‌ ମିଜାଜ୍‌ର କ୍ରିକେଟ୍‌ର ତଥା ଭାରତକୁ ୨୦୧୧ରେ ବିଶ୍ୱ ବିଜେତା କରାଇବାର ନାୟକ ମଧ୍ୟ ରହିଛନ୍ତି।

ଏତ୍‌ଦବ୍ୟତୀତ ଦିନିକିଆରେ ଭାରତର ସ୍ଥିର ୱିନିଂ ଶୈଳୀ ଦଳକୁ ଆହୁରି ଶକ୍ତିଶାଳୀ ହେବାକୁ ମନୋବଳ ଯୋଗାଇଛି। ତେଣୁ ଟିମ୍‌ ଇଣ୍ଡିଆ ଏଥର ଓଲଟ୍‌ ପାଲଟ୍‌ କରିବାର କ୍ଷମତା ରଖିବ।

୩: ଟିମ୍‌ ଅଷ୍ଟ୍ରେଲିଆ: ୫ଥର ବିଶ୍ୱକପ୍‌ ବିଜେତା ତଥା ଡିଫେଣ୍ଡିଂ ଚାମ୍ପିୟନ୍‌ ଅଷ୍ଟ୍ରେଲିଆ ବର୍ତ୍ତମାନ ଖରାପ ସମୟ ଦେଇ ଗତି କରୁଛି। ଅବଶ୍ୟ ଦଳର ଦୁଇ ଷ୍ଟାର ଖେଳାଳି ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ୍‌ ୱାର୍ଣ୍ଣର ବାସନ୍ଦ ହୋଇଥିବାରୁ ଦଳର ସନ୍ତୁଳନ ବିଗିଡ଼ି ଯାଇଛି। ଦଳ ଲଗାତର ୭ଟି ଦିନିକିଆ ହାରିବା ପରେ ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ଜିତିଛି। ତଥାପି ଦଳ ବିଶ୍ୱକପ୍‌ ଜିତିବାର ଯଥେଷ୍ଟ କ୍ଷମତା ରଖିଛି।

ଦଳ ପାଖରେ ମିଚେଲ୍‌ ଷ୍ଟାର୍କ, ଜୋସ୍‌ ହେଜେଲଉଡ୍‌ ଓ ପ୍ୟାଟ୍‌ କମିନ୍ସଙ୍କ ଭଳି ଦ୍ରୁତ ବୋଲର ଅଛନ୍ତି। ଏମାନେ ଇଂଲଣ୍ଡ ଭଳି ପେସ୍‌ ଟ୍ରାକ୍‌ରେ ଘାତକ ସାବ୍ୟସ୍ତ ହେବା ଏକ ପ୍ରକାର ନିଶ୍ଚିତ। ସେହିପରି ସ୍ମିଥ ଓ ୱାର୍ଣ୍ଣର କମ୍‌ବ୍ୟାକ୍‌ କରିବା ପରେ ଦଳର ବ୍ୟାଟିଂ ଲାଇନ୍‌ ଅପ୍‌ ମଧ୍ୟ ଶକ୍ତିଶାଳୀ ହୋଇଯିବ। ତେଣୁ ଦଳ ୨୦୧୯ ବିଶ୍ୱକପ୍‌ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି।

୪: ଦକ୍ଷିଣ ଆଫ୍ରିକା: ଜ୍ୟାକ କ୍ୟାଲିସ୍‌, ଶନ୍‌ ପୋଲକ୍‌ ଓ ଆଲାନ୍‌ ଡୋନାଲଡ ଭଳି ଖେଳାଳିଙ୍କୁ ବିଶ୍ୱ କ୍ରିକେଟ୍‌କୁ ଦେଇଥିବା ଦଳ କିନ୍ତୁ ଆଜି ଯାଏ ବିଶ୍ୱକପ୍‌ ଜିତିପାରିନାହିଁ। ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ର ୩ଟି ଯାକ ଫର୍ମାଟ ଅର୍ଥାତ ଟେଷ୍ଟ, ଦିନିକିଆ ଓ ଟି-୨୦ରେ ନିଜର ଦବଦବା ପ୍ରଦର୍ଶନ କରିଆସିଛି। ହେଲେ ଦଳ ବିଶ୍ୱକପ୍‌ ଜିତିବାରେ ସବୁବେଳେ ଝୁଣ୍ଟିଛି।

ତେଣୁ ୨୦୧୯ରେ ଦଳ ନିଶ୍ଚିତ ସୁଯୋଗ ହାତେଇବାକୁ ଚେଷ୍ଟା କରି ଦକ୍ଷିଣ ଆଫ୍ରିକା ଏକ ଚାମ୍ପିୟନ୍‌ ଟିମ୍‌ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିବ। ଦଳ ପାଖରେ ହାସିମ ଆମଲା, ଫାଫ୍‌ ଡୁପ୍ଲେସିସ୍‌, ଆଡେନ୍‌ ମାର୍କମ ଓ ଜେପି ଡୁମିନିଙ୍କ ଭଳି ବ୍ୟାଟସ୍‌ମ୍ୟାନ୍‌ ଅଛନ୍ତି। ଏମାନେ ବିଶ୍ୱର ଯେକୌଣସି ଦଳର ବୋଲିଂ ୟୁନିଟ୍‌କୁ ଧ୍ୱସ୍ତବିଧ୍ୱସ୍ତ କରିବାର କ୍ଷମତା ରଖିଛନ୍ତି।

ସେହିପରି ଇଂଲିଶ କଣ୍ଡିସନ୍‌ରେ କାଗିସୋ ରାବେଡା, ଲୁଇଙ୍ଗି ଏନ୍‌ଗିଡି ଓ କ୍ରିସ୍‌ ମୋରିସ୍‌ ବେଶ ଶାଣିତ ବୋଲିଂ କରିବାର କ୍ଷମତା ମଧ୍ୟ ରଖିଛନ୍ତି। ଯଦି ଭାଗ୍ୟ ସାଥ ଦେଲା, ତା’ହେଲେ ବିଶ୍ୱ ଏଥର ନୂଆ ବିଜେତାକୁ ପାଇବ।

୫: ପାକିସ୍ତାନ: ସର୍ଫରାଜ ଅହମ୍ମଦଙ୍କ ପାକିସ୍ତାନ ଟିମ୍‌ ଏବେ ଦିନିକିଆରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଆସୁଛି। ଦଳ ୨୦୧୭ ଆଇସିସି ଚାମ୍ପିୟନସ ଟ୍ରଫିରେ ଭାରତକୁ ପରାସ୍ତ କରି ନିଜର ଶକ୍ତି ସମସ୍ତଙ୍କୁ ଦେଖାଇ ସାରିଛି। ଇଂଲଣ୍ଡ ପରିବେଶରେ ପାକିସ୍ତାନ ଏଭଳି କୀର୍ତ୍ତିମାନ ସ୍ଥାପନ କରିଥିବାରୁ ଏଥର ବିଶ୍ୱକପ୍‌ରେ ଏହାର ପୁନରାବୃତ୍ତି ଘଟାଇବାକୁ ଦଳ ଲକ୍ଷ୍ୟ ରଖିବା ସ୍ୱଭାବିକ।

ହାସନ ଅଲ୍ଲୀ, ମହମ୍ମଦ ଆମୀର ଓ ଶେହେନ୍‌ ଶାହ ଆଫ୍ରିଦ୍‌ଙ୍କ ଭଳି ଦ୍ରୁତ ବୋଲରଙ୍କୁ ଇଂଲଶ ପିଚ୍‌ ବେଶ ସୁହାଇବ। ସେହିପରି ଦଳରେ ଅଭିଜ୍ଞ ଶୋଏବ ମାଲିକ ଓ ଅଧିନାୟକ ସର୍ଫରାଜ ଅହମ୍ମଦ ମିଡିଲ୍‌ ଅର୍ଡର ବ୍ୟାଟିଂ ଲାଇନ୍‌ ଅପ୍‌କୁ ଅଧିକ ରୁଦ୍ଧିମନ୍ତ କରିବେ।

ଶାହାବାଦ ଖାନ୍‌ ଓ ଇମାଦ୍‌ ୱାସିମ ନିଜର ସ୍ପିନ୍‌ ବୋଲିଂରେ ୱିକେଟ୍‌ ନେବାର ଯଥେଷ୍ଟ କ୍ଷମତା ରଖିଛନ୍ତି। ତେଣୁ ଦଳ ଏଥର ବିଶ୍ୱକପ୍‌ ଜିତିବାର ପ୍ରବଳ ଦାବିଦାର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos