ଟି-୨୦ ବିଶ୍ୱକପ: ଟିମ ଇଣ୍ଡିଆ ଆଗରେ ୬ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ୨୦୨୦ର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଆସନ୍ତାକାଲି ଖେଳିବ। ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଟି-୨୦ ସିରିଜ୍‌ରୁ ଭାରତର ୨୦୨୦ ଅନ୍ତର୍ଜାତୀୟ ଅଭିଯାନ ଆରମ୍ଭ ହେବ। ତେବେ ଚଳିତ ବର୍ଷ ଓ ଆସନ୍ତା ବର୍ଷ ଦୁଇ ଦୁଇଟି ବିଶ୍ୱକପକୁ ଦୃଷ୍ଟିରେ ରଖି ଭାରତ ତା’ର ଟି-୨୦ ମ୍ୟାଚ୍‌ ଖେଳିବ। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଓ ଆସନ୍ତାବର୍ଷ ଭାରତରେ ଟି-୨୦ ବିଶ୍ୱକପ ହେବ। ଏହି ଦୁଇ ବିଶ୍ୱକପ ମଧ୍ୟରୁ ଭାରତ ଗୋଟିଏ ଜିତିବାକୁ ଲକ୍ଷ୍ୟ ରଖିଛି। […]

se

se

Hemant Lenka
  • Published: Saturday, 04 January 2020
  • Updated: 04 January 2020, 03:59 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ୨୦୨୦ର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଆସନ୍ତାକାଲି ଖେଳିବ। ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଟି-୨୦ ସିରିଜ୍‌ରୁ ଭାରତର ୨୦୨୦ ଅନ୍ତର୍ଜାତୀୟ ଅଭିଯାନ ଆରମ୍ଭ ହେବ। ତେବେ ଚଳିତ ବର୍ଷ ଓ ଆସନ୍ତା ବର୍ଷ ଦୁଇ ଦୁଇଟି ବିଶ୍ୱକପକୁ ଦୃଷ୍ଟିରେ ରଖି ଭାରତ ତା’ର ଟି-୨୦ ମ୍ୟାଚ୍‌ ଖେଳିବ। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଓ ଆସନ୍ତାବର୍ଷ ଭାରତରେ ଟି-୨୦ ବିଶ୍ୱକପ ହେବ।

ଏହି ଦୁଇ ବିଶ୍ୱକପ ମଧ୍ୟରୁ ଭାରତ ଗୋଟିଏ ଜିତିବାକୁ ଲକ୍ଷ୍ୟ ରଖିଛି। ଆମେ କହିପାରିବା ଯେ ଟି-୨୦ରେ ଭାରତ ସେତେଟା ସଫଳତା ପାଇନାହିଁ। ୨୦୦୭ରେ ଭାରତ ପ୍ରଥମ ତଥା ଶେଷଥର ପାଇଁ ଦକ୍ଷିଣ ଆଫ୍ରିକାରେ ଟି-୨୦ ବିଶ୍ୱକପ ଜିତିଥିଲା। ହେଲେ ଏହାପରେ ଦଳ ଟି-୨୦ ଆଦୌ ଆଶାଜନକ ପ୍ରଦର୍ଶନ କରିପାରିନାହିଁ।

ତେବେ ବିଶ୍ୱକପ ପୂର୍ବରୁ ଭାରତ ଆଗରେ ଏସବୁ ଚ୍ୟାଲେଞ୍ଜ ରହିଛି

୧: ଶିଖର ଧୱନଙ୍କ ବିକଳ୍ପ: ଟି-୨୦ରେ ଶିଖର ଧୱନଙ୍କ ଷ୍ଟ୍ରାଇକ ରେଟ୍ ବହୁତ ଖରାପ। ଏହା ଭାରତ ପାଇଁ ଏକ ସମସ୍ୟା ହୋଇ ଉପୁଜିଛି। ସେ ଆହତ ହେଲେ କେଏଲ ରାହୁଲଙ୍କୁ ଓପନ କରିବାର ସୁଯୋଗ ମିଳୁଛି। ଧୱନ ଦିନିକିଆରେ ଜଣେ ମ୍ୟାଚ୍ ୱିନର। ହେଲେ ଟି-୨୦ରେ ସେ ଆଦୌ ନିଜର ପ୍ରତିଭା ପ୍ରଦର୍ଶନ କରିପାରି ନାହାନ୍ତି। ୨୦୧୯ରେ ଧୱନ ୧୨ଟି ଇନିଂସରେ ମାତ୍ର ୨୭୨ ରନ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ଆଭରେଜ ୨୨.୬୬ ଓ ଷ୍ଟ୍ରାଇକ ରେଟ ୧୧୦.୫୬ ରହିଛି। ଆଗକୁ ବିଶ୍ୱକପ ଥିବାରୁ ଏବେଠାରୁ ହିଁ ଚୟନକର୍ତ୍ତା ଜଣେ ସ୍ଥାନୀୟ ତୃତୀୟ ଓପନରଙ୍କ ସନ୍ଧାନ କରିବା ଦରକାର। ଚୟନକର୍ତ୍ତା ସଞ୍ଜୁ ସାମସନଙ୍କୁ ମଧ୍ୟକ୍ରମରେ ଖେଳାଇ ରାହୁଲ ଓ ରୋହିତ ଶର୍ମାଙ୍କୁ ଓପନ କରିବାକୁ ଦେବା ଉଚିତ ବୋଲି ବିଶେଷଜ୍ଞମାନେ କହିଛନ୍ତି।

୨: ମଧ୍ୟକ୍ରମରେ ପରୀକ୍ଷା ନୀରିକ୍ଷା: ଟିମ୍‌ ଇଣ୍ଡିଆର ଦିନିକିଆ ଓ ଟି-୨୦ରେ ସର୍ବାଦା ଟପ୍‌ ୩ ଜଣ ବ୍ୟାଟସମ୍ୟାନଙ୍କ ଉପରେ ନିର୍ଭର କରୁଛି। ରୋହିତ ଶର୍ମା, କେଏଲ ରାହୁଲ/ଶିଖର ଧୱନ ଓ ବିରାଟ କୋହଲି ସର୍ବଦା ଦଳର ବ୍ୟାଟିଂ ମଙ୍ଗ ସମ୍ଭାଳୁଛନ୍ତି। ବିଶ୍ୱକପ ସେମି ଫାଇନାଲରେ ଭାରତର ଟପ୍‌ ଅର୍ଡର ଫ୍ଲପ ହେବାରୁ ମଧ୍ୟକ୍ରମ ମଧ୍ୟ ଭୁଶୁଡ଼ି ପଡ଼ିଥିଲା।

ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପରେ ମଧ୍ୟ ସମାନ ସ୍ଥିତି ଉପୁଜି ପାରେ। ଶ୍ରେୟସ ଆୟର, ମନୀଷ ପାଣ୍ଡେ ଓ ରିଷଭ ପନ୍ତ ଏଯାଏ ଟି-୨୦ରେ ନିଜର ଦକ୍ଷତା ଦେଖାପାରି ନାହାନ୍ତି। ଏବେ ଏହି ମଧ୍ୟକ୍ରମକୁ ବିଶ୍ୱକପ ପୂର୍ବରୁ ଉପଯୁକ୍ତ ପରୀକ୍ଷା ନୀରିକ୍ଷା କରିବାର ଅଛି। ଥିରୁଭନନ୍ତପୁରମରେ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ମ୍ୟାଚରେ ଶିବମ ଦୁବେଙ୍କୁ ୩ ନଂରେ ବ୍ୟାଟିଂ କରିବାକୁ ଛାଡ଼ିଥିଲା। ତେଣୁ ଏବେ ଏଭଳି କିଛି ପଦକ୍ଷେପ ନେବାକୁ ପଡ଼ିବ।

୩: କୁଲଦୀପ-ଚହଲ ଯୋଡ଼ିଙ୍କୁ ପୁଣି ଏକାଠି କରିବା: ସବୁ ଦଳ ଏମିତି ଜଣେ ବୋଲରଙ୍କୁ ଖେଳାଇବାକୁ ଚାହାନ୍ତି, ଯିଏ ବ୍ୟାଟିଂ କରିପାରୁଥିବ। ସେହିପରି ବ୍ୟାଟିଂ କରିପାରୁଥିବା ଖେଳାଳି ଜଣଙ୍କ ୱିକେଟ ନେବାର ଦକ୍ଷତା ମଧ୍ୟ ରଖିଥିବ। ଗତ ଚାମ୍ପିୟନସ ଟ୍ରଫି ପରେ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଯୋଡ଼ିଙ୍କୁ ଅଲଗା କରି ଦେଇଥିଲା।

ଏହାପରେ କୁଲଦୀପ ଯାଦବ ଓ ୟୁଜବେନ୍ଦର ଚହଲଙ୍କୁ ଏକାଠି ଖେଳାଇ ଥିଲା। ଉଭୟ ଏକାଠି ଖେଳିଥିବା ୧୦ଟି ଟି-୨୦ରୁ ଭାରତ ୮ଟିରେ ଜିତିଥିଲା। ତେଣୁ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଏହି ଯୋଡ଼ି ପୁଣି କମାଲ କରିପାରନ୍ତି। କାରଣ ଅଷ୍ଟ୍ରେଲିଆର ବଡ଼ ଗ୍ରାଉଣ୍ଡ ଓ ହାଲୁକା ପବନର ଏହି ଦୁଇ ରିଷ୍ଟ ସ୍ପିନର ଫାଇଦା ଉଠାଇ ପାରିବେ। ବ୍ୟାଟିଂକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦରଙ୍କୁ ଖେଳାଉଛି। ହେଲେ ଟି-୨୦ରେ ରିଷ୍ଟ ସ୍ପିନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ନଜିର ରହିଛି।

୪: ବୁମ୍ରାଙ୍କ ବୋଲିଂ ପାର୍ଟନର: ବିଶ୍ୱକପରେ ଯଶପ୍ରୀତ ବୁମ୍ରାଙ୍କ ବୋଲିଂ ପାର୍ଟନର କିଏ ହେବ, ତା’କୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏବେ ଭୁବନେଶ୍ୱର କୁମାର ଓ ଦୀପକ ଚହର ଆହତ ହୋଇଛନ୍ତି। ତେଣୁ ବୁମ୍ରାଙ୍କ ସହ ନୂଆ ବଲରେ କିଏ ବୋଲିଂ କରିବ? କ’ଣ ନବଦୀପ ସାଇନି ଦବଦବା ଦେଖାଇପାରିବେ? ସାଇନି ପ୍ରଥମ ସ୍ପେଲରେ ଭଲ ପକାଉଛନ୍ତି, ହେଲେ ଡେଥ ଓଭରରେ ସେ ଏଯାଏ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଖଲୀଲ ଅହମ୍ମଦ ମଧ୍ୟ ଖରାପ ଫର୍ମ କାରଣରୁ ବାଦ ପଡ଼ିଛନ୍ତି। ଏବେ ବିଶ୍ୱକପ ୯ ମାସ ପୂର୍ବରୁ ଦଳ ଦ୍ରୁତ ବୋଲିଂ ମଙ୍ଗ କାହାକୁ ଦେଉଛି, ଦେଖିବାକୁ ବାକି ରହିଲା।

୫: ପନ୍ତଙ୍କୁ ପ୍ରସ୍ତୁତ କରିବା: ରିଷଭ ପନ୍ତଙ୍କ ଦକ୍ଷତା ସମସ୍ତେ ଜାଣିଛନ୍ତି। ହେଲେ ସେ ବାରମ୍ବାର ଫେଲ ମାରିବା, ସମସ୍ତଙ୍କୁ ଚିନ୍ତାରେ ପକାଇଛି। କେବଳ ବ୍ୟାଟିଂ ନୁହେଁ ଡିଆରଏସ ନେବା ଓ ୱିକେଟ କିପିଂ କରିବାରେ ମଧ୍ୟ ସେ ଏଯାଏ ସଫଳ ହୋଇନାହାନ୍ତି। ଟିମ ମ୍ୟାନେଜମେଣ୍ଟ ତାଙ୍କୁ ସମର୍ଥନ କରୁଛି। ହେଲେ ବିଶ୍ୱକପ ପୂର୍ବରୁ ରିଷଭଙ୍କୁ ପ୍ରସ୍ତୁତ କରିବାକୁ ପଡ଼ିବ।

୬: ପାୱାର ହିଟର: ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ନଥିବାରୁ ଦଳ ପାଖରେ ପାୱାର ହିଟର ନାହାନ୍ତି କହିଲେ ଚଳେ। ଯଦି ଶ୍ରେୟସ ଆୟରଙ୍କୁ ୪ନଂରେ ଖେଳା ଯାଉଛି, ତା’ହେଲେ ମନୀଷ ପାଣ୍ଡେଙ୍କୁ ଫିନିଶିଂ ଭୂମିକା ପାଇଁ ପ୍ରସ୍ତୁତ କରିବାକୁ ପଡ଼ିବ।

ଶିବମ ଦୁବେ ନିଜର ଦକ୍ଷତା ଦେଖାଇଥିଲେ। ହେଲେ ସେ ୩ନଂରେ ହିଁ ବ୍ୟାଟିଂ କରିବାକୁ ଆସି ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ଭାଗରେ ବଡ଼ ଶଟ ମାରିବା ପାଇଁ ଖେଳାଳି ଏବେ ଭାରତ ପାଖରେ ନାହାନ୍ତି। ଭାରତକୁ ୬ ନଂରେ ଇଂଲଣ୍ଡର ଜୋଶ ବଟଲର ଭଳି ଖେଳାଳି ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos