ନିରାଶ କଲେ ଦୂତୀ, ଅଲିମ୍ପିକ କୋଟା ହାସଲରୁ ବାଦ ପଡ଼ିଲେ

ଦୋହା: ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ସମସ୍ତଙ୍କୁ ନିରାଶ କରିଛନ୍ତି ଓଡ଼ିଶା ତଥା ଭାରତର ଷ୍ଟାର ଧାବିକା ଦୂତୀ ଚାନ୍ଦ। କାତାରର ଦୋହା ଠାରେ ଚାଲିଥିବା ବିଶ୍ୱ ଦୌଡ଼କୁଦର ୧୦୦ ମିଟର ମହିଳା ଟ୍ରାକ୍‌ ଇଭେଣ୍ଟରେ ଦୂତୀ ଭାଗ ନେଇଥିଲେ। ହେଲେ ସେ ୭ମ ସ୍ଥାନରେ ରହି ସେମି ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଏଥିସହ ୨୦୨୦ ଟୋକିଓ ଅଲିମ୍ପିକକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାରେ ମଧ୍ୟ ଦୂତୀ ଫେଲ ମାରିଛନ୍ତି।

ଆଜି ସନ୍ଧ୍ୟାରେ ଅନୁଷ୍ଠିତ ୧୦୦ ମିଟ୍‌ର ଦୌଡ଼ର ତୃତୀୟ ହିଟ୍ସରେ  ଦୂତୀ ଭାଗ ନେଇଥିଲେ। ତାଙ୍କ ଠାରୁ ଭାରତ ବେଶ ଆଶା ରଖିଥିଲା। କାରଣ ଭାରତର ଅନ୍ୟତମ ଷ୍ଟାର ଧାବିକା ହୀମା ଦାସ ବିଶ୍ୱ ଦୌଡ଼କୁଦରେ ଭାଗ ନେଇ ନାହାନ୍ତି। ତେଣୁ ଦୂତୀଙ୍କ ଉପରେ ସାରା ଭାରତର ନଜର ରହିଥିଲା।

ହେଲେ ସେ ୧୦୦ ମିଟିର ରନିଂକୁ ୧୧.୪୮ ସେକେଣ୍ଡରେ ଶେଷ କରି ଦୂତୀ ୭ମ ସ୍ଥାନରେ ରହିଥିଲେ। ଏଥିପାଇଁ ସେ ସେମିଫାଇନାଲରେ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଦୂତୀଙ୍କ ୧୦୦ ମିଟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୧୧.୨୬ ସେକେଣ୍ଡ। ହେଲେ ଆଜି ଦୂତୀ ସେତିକି ସମୟକୁ ମଧ୍ୟ ଛୁଇଁ ପାରିନାହାନ୍ତି।

ସେହିପରି ୧୦୦ ମିଟିର ଦୌଡ଼ରେ ଭାଗ ନେଇଥିବା ସମସ୍ତ ମହିଳା ପ୍ରତିଯୋଗୀଙ୍କ ମଧ୍ୟରେ ଦୂତୀ ୩୭ତମ ସ୍ଥାନରେ ରହିଛନ୍ତି। ୨୦୨୦ ଅଲିମ୍ପିକକୁ ସିଧାସଳଖ ଯୋଗ୍ୟତା ଅର୍ଜନ ପାଇଁ ୧୧.୧୫ ସେକେଣ୍ଡ ସମୟ ଧାର୍ଯ୍ୟ କରାଯାଇଥିଲା।

ଦୂତୀଙ୍କ ସହ ଆଜି ଟ୍ରାକ୍‌ରେ ଅଲିମ୍ପିକ ଚାମ୍ପିୟନ ତଥା ଜାମାଇକା ଷ୍ଟାର ଇଲାଇନେ ଥୋମ୍ପସନ୍‌ ଦୌଡ଼ିଥିଲେ। ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ ପାଇଁ ୧୧.୩୧ ସେକେଣ୍ଡ ମଧ୍ୟରେ ୧୦୦ ମିଟର ଦୌଡ଼ ଶେଷ କରିବାର ଥିଲା।

ଦୂତୀଙ୍କ ୧୦୦ ମିଟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୧୧.୨୬ ସେକେଣ୍ଡ ଥିବାରୁ ସେ ବେଶ ଆରାମରେ ସେମିକୁ ଯୋଗ୍ୟତା ଅର୍ଜନ କରିପାରିବେ ବୋଲି ଆଶା କରାଯାଉଥିଲା। ଦୂତୀ ହିଟ୍ସ ଆରମ୍ଭରୁ ଦ୍ରୁତ ଗତିରେ ଦୌଡ଼ିଥିଲେ। ହେଲେ ଅଧା ଦୌଡ଼ ପରେ ଦୂତୀ ସଂପୂର୍ଣ୍ଣ ପଛରେ ପଡ଼ି ଯାଇଥିଲେ।

ଦୂତୀଙ୍କ ହିଟ୍ସରେ ଇଲାଇନେ(୧୧.୧୪ ସେକେଣ୍ଡ) ପ୍ରଥମ ସ୍ଥାନରେ ରହି ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।