ଟିମ୍‌ ଇଣ୍ଡିଆକୁ ଏମିତି ଶୁଭେଚ୍ଛା ଜଣାଇଲେ ବିରାଟ୍‌

ନୂଆଦିଲ୍ଲୀ: ଏସିଆ କପ୍‌ରୁ ବିଶ୍ରାମ ପାଇଥିବା ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍‌ କୋହଲି ଏବେ ସୋଶାଲ୍‌ ମିଡିଆରେ ବେଶ ସକ୍ରିୟ ଅଛନ୍ତି। ଏଥିସହ ନିଜ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସମୟ ମଧ୍ୟ ବିତାଉଛନ୍ତି। ଏହି ଫଟୋକୁ ସୋଶାଲ୍‌ ମିଡିଆରେ ବିରାଟ୍‌ ଛାଡ଼ିବାକୁ ଆଦୌ ଭୁଲୁ ନାହାନ୍ତି। ଏହିକ୍ରମରେ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରି ଦମ୍‌ଦାର ବିଜୟ ହାସଲ କରିବା ପରେ ସୋଶାଲ୍‌ ମିଡିଆରେ ବିରାଟ୍‌ ଏମିତି କିଛି କଥା ଉଲ୍ଲେଖ କରିଛନ୍ତି।

ପାକିସ୍ତାନର ୨୩୮ ରନ୍‌ର ଟାର୍ଗେଟକୁ ମାତ୍ର ୩୯.୩ ଓଭର୍‌ରେ ହାସଲ କରି ନେଇଥିବା ଟିମ୍‌ ଇଣ୍ଡିଆକୁ ସୋଶାଲ୍‌ ମିଡିଆରେ ଅନେକ ବ୍ୟକ୍ତି ପ୍ରଶଂସାରେ ପୋତି ପକାଇଛନ୍ତି। ଏବେ ଏହି ତାଲିକାରେ ବିରାଟ୍‌ କୋହଲି ମଧ୍ୟ ନିଜକୁ ସାମିଲ କରିଛନ୍ତି।

ସେ ଟିମ୍‌ ଇଣ୍ଡିଆର ପ୍ରଦର୍ଶନକୁ ପ୍ରଶଂସା କରିବା ସହ ଏଭଳି ଖେଳ ଦେଖିବାକୁ ବେଶ ଆନନ୍ଦ ଲାଗୁଛି ବୋଲି କହିଛନ୍ତି। ଏଥିସହ ଏହି ବିଜୟ ଆମ ପାଇଁ ବେଶ ଗୁରୁତ୍ୱ ବହନ କରେ ବୋଲି ବିରାଟ୍‌ ଟ୍ୱିଟ୍‌ କରି କହିଛନ୍ତି।

ଗତକାଲି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୨୩୭ ରନ୍‌ କରିଥିଲା। ଏହାର ଜବାବ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ଅପରାଜିତ ୧୧୧ ଓ ଶିଖର ଧୱନ୍‌ଙ୍କ ବିସ୍ଫୋରକ ୧୧୪ ବଳରେ ଟିମ୍‌ ଇଣ୍ଡିଆ ୩୯.୩ ଓଭର୍‌ରେ ମ୍ୟାଚ୍‌କୁ କବଜା କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।