ଜାଫର ଯୁଗର ଶେଷ, କ୍ରିକେଟର ସବୁ ଫର୍ମାଟକୁ କଲେ ଅଲବିଦା

ମୁମ୍ବାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର ୱାସିମ ଜାଫର ଶେଷରେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ନିଜ ବ୍ୟାଟ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିପାରିଥିବା ୱାସିମ ଜାଫର ରଣଜୀ ଟ୍ରଫି ଓ ଇରାନୀ ଟ୍ରଫିରେ ଏମିତି କିଛି ରେକର୍ଡ କରିଛନ୍ତି ଯେ ଯାହାକୁ ସମ୍ଭବତଃ ଭାଙ୍ଗିବା କୌଣସି ବ୍ୟାଟସମ୍ୟାନ ପାଇଁ କାଠିକର ପାଠ ହୋଇପାରେ। ୧୯୯୬/୯୭ରେ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଡେବ୍ୟୁ କରିଥିବା ୪୨ ବର୍ଷୀୟ ଜାଫର ରଣଜୀ ଟ୍ରଫି ଓ ଇରାନୀ ଟ୍ରଫିରେ […]

q

q

Hemant Lenka
  • Published: Saturday, 07 March 2020
  • Updated: 07 March 2020, 03:11 PM IST

Sports

Latest News

ମୁମ୍ବାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର ୱାସିମ ଜାଫର ଶେଷରେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ନିଜ ବ୍ୟାଟ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିପାରିଥିବା ୱାସିମ ଜାଫର ରଣଜୀ ଟ୍ରଫି ଓ ଇରାନୀ ଟ୍ରଫିରେ ଏମିତି କିଛି ରେକର୍ଡ କରିଛନ୍ତି ଯେ ଯାହାକୁ ସମ୍ଭବତଃ ଭାଙ୍ଗିବା କୌଣସି ବ୍ୟାଟସମ୍ୟାନ ପାଇଁ କାଠିକର ପାଠ ହୋଇପାରେ।

୧୯୯୬/୯୭ରେ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଡେବ୍ୟୁ କରିଥିବା ୪୨ ବର୍ଷୀୟ ଜାଫର ରଣଜୀ ଟ୍ରଫି ଓ ଇରାନୀ ଟ୍ରଫିରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର। ଭାରତ ପାଇଁ ଟେଷ୍ଟରେ ଓପନ କରୁଥିବା ଜାଫର ୫ଟି ଶତକ ହାସଲ କରିଛନ୍ତି।

ଜାଫର ନିଜର ଅବସର ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ଦୀର୍ଘ ବର୍ଷ ଧରି କ୍ରିକେଟ ଖେଳିବା ପରେ ଏବେ ଦିଗ ବଦଳାଇବାର ସମୟ ଆସି ଯାଇଛି। ରେଡ ବଲ କ୍ରିକେଟକୁ ବହୁତ ଭଲ ପାଏ। ତେଣୁ ଆଜିର ଅବସର କେବଳ ମୋର ପ୍ରଥମ ଇନିଂସକୁ ଶେଷ କରିଛି। ମୁଁ ଏବେ ମୋର କ୍ଷମତା ଅନୁସାରେ ସେକେଣ୍ତ ଇନିଂସ କୋଚିଂ କିମ୍ବା ଭାଷ୍ୟକାର ଭାବେ ଆରମ୍ଭ କରିବି।  କ୍ରିକେଟ ମୋତେ ବହୁତ କିଛି ଦେଇଛି। ତେଣୁ କ୍ରିକେଟ ସହ ମୁଁ ସର୍ବଦା ଜଡ଼ିତ ହୋଇ ରହିବି। ସ୍କୁଲ ବେଳ ଠାରୁ ପ୍ରଫେସନାଲ କ୍ରିକେଟ ଖେଳିବା ଯାଏ ମୋତେ ଗାଇଡ୍ କରିଥିବା ସମସ୍ତ କୋଚିଂ ଷ୍ଟାଫଙ୍କୁ ମୁଁ ସ୍ୱତନ୍ତ୍ର ଭାବେ କୃତଜ୍ଞତା ଜଣାଉଛି। ମୋ ଉପରେ ବିଶ୍ୱାସ ଦେଖାଇଥିବା ଚୟନକର୍ତ୍ତାମାନଙ୍କୁ ହୃଦୟରୁ ଧନ୍ୟବାଦ।”

ମୁମ୍ବାଇର ଏହି ବ୍ୟାଟସମ୍ୟାନ ପ୍ରଥମ ଖେଳାଳି ଯିଏ ରଣଜୀ ଟ୍ରଫିରେ ୧୨ ହଜାର ରନ କରିଛନ୍ତି। ଜାଫରଙ୍କ ନାଁରେ ପ୍ରଥମ ଶ୍ରେଣୀରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଭାରତ ପାଇଁ ଜାଫର ୩୧ଟି ଟେଷ୍ଟ ମ୍ୟାଚ୍‌ ଖେଳି ୩୪.୧୧ ହାରରେ ୧୯୪୪ ରନ କରିଛନ୍ତି। ୫ଟି ଶତକ ବ୍ୟତୀତ ଜାଫର ୧୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ୨୧୨। ସେ ପାକିସ୍ତାନ ବିପକ୍ଷରେ ୨୦୨ ରନ୍‌ର ଇନିଂସ ମଧ୍ୟ ଖେଳିଥିଲେ। ୨୦୦୦ ମସିହାରେ ଭାରତ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାଫର ଡେବ୍ୟୁ କରିଥିଲେ। ଯେଉଁ କେତେ ଜଣ ହାତ ଗଣତି କ୍ରିକେଟର ୱେଷ୍ଟଇଣ୍ଡିଜ୍‌ରେ ଦୁଇ ଶତକ ହାସଲ କରିଛନ୍ତି, ସେମାନଙ୍କ ମଧ୍ୟରେ ଜାଫର ରହିଛନ୍ତି।

ରଣଜୀ ଟ୍ରଫିରେ ଜାଫର ପ୍ରଥମ ଖେଳାଳି ଭାବେ ୧୫୦ଟି ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ବ୍ୟାଟିଂ ବଳରେ ମୁମ୍ବାଇ ୩୮ ଓ ୩୯ତମ ରଣଜୀ ସଂସ୍କରଣ ଜିତି ଥିଲା। ବିର୍ଦ୍ଦଭ ପାଇଁ ମଧ୍ୟ ଜାଫର ରଣଜୀ ଟ୍ରଫି ଖେଳିଛନ୍ତି। ଶେଷ ୩ଟି ସଂସ୍କରଣରୁ ଜାଫରଙ୍କ ଉପସ୍ଥିତିରେ ବିର୍ଦ୍ଦଭ ୨ଟିରେ ଚାମ୍ପିୟନ ହୋଇଛି। ରଣଜୀ ଟ୍ରଫି ଓ ଇରାନୀ ଟ୍ରଫିରେ ଜାଫର ମୋଟ ୨୬୦ଟି ମ୍ୟାଚ୍‌ ଖେଳି ୧୯,୪୧୦ ରନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos