ଦକ୍ଷିଣ ଆଫ୍ରିକାକୁ ଚକ୍‌ମା ଦେଲା ବାଂଲାଦେଶ

ଲଣ୍ଡନ: ଚଳିତ ବିଶ୍ୱକପର ରବିବାର ଖେଳାଯାଇଥିବା ମୁକାବିଲାରେ ଦକ୍ଷିଣ ଆଫ୍ରିକା ଅପେକ୍ଷାକୃତ ଦୁର୍ବଳ ବାଂଲାଦେଶ ନିକଟରୁ ୨୧ ରନରେ ପରାସ୍ତ ହୋଇଛି। ଏହି ରୋମାଞ୍ଚକର ମୁକାବିଲାରେ ବାଂଲାଦେଶ ଜବରଦସ୍ତ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୦ ରନ୍ କରିଥିଲା। ଦିନିକିଆ କ୍ରିକେଟରେ ବାଂଲାଦେଶର ଏହା ସର୍ବାଧିକ ସ୍କୋର। ଏହା ପୂର୍ବରୁ ବାଂଲାଦେଶ ୨୦୧୫ରେ ପାକିସ୍ତାନ ବିପକ୍ଷରେ ୬ ୱିକେଟ୍ ହରାଇ ୩୨୯ ରନ୍ କରିଥିଲା। ବାଂଲାଦେଶ ପକ୍ଷରୁ ସାକିବ୍ ୮୪ ବଲରେ […]

bb

bb

Hemant Lenka
  • Published: Sunday, 02 June 2019
  • Updated: 02 June 2019, 11:03 PM IST

Sports

Latest News

ଲଣ୍ଡନ: ଚଳିତ ବିଶ୍ୱକପର ରବିବାର ଖେଳାଯାଇଥିବା ମୁକାବିଲାରେ ଦକ୍ଷିଣ ଆଫ୍ରିକା ଅପେକ୍ଷାକୃତ ଦୁର୍ବଳ ବାଂଲାଦେଶ ନିକଟରୁ ୨୧ ରନରେ ପରାସ୍ତ ହୋଇଛି। ଏହି ରୋମାଞ୍ଚକର ମୁକାବିଲାରେ ବାଂଲାଦେଶ ଜବରଦସ୍ତ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୦ ରନ୍ କରିଥିଲା। ଦିନିକିଆ କ୍ରିକେଟରେ ବାଂଲାଦେଶର ଏହା ସର୍ବାଧିକ ସ୍କୋର। ଏହା ପୂର୍ବରୁ ବାଂଲାଦେଶ ୨୦୧୫ରେ ପାକିସ୍ତାନ ବିପକ୍ଷରେ ୬ ୱିକେଟ୍ ହରାଇ ୩୨୯ ରନ୍ କରିଥିଲା।

ବାଂଲାଦେଶ ପକ୍ଷରୁ ସାକିବ୍ ୮୪ ବଲରେ ୮ ଚୌକା ଓ ୧ ଛକା ସହ ୭୫ ଓ ରହିମ୍ ୮୦ ବଲରେ ୮ ଚୌକା ସହ ସର୍ବାଧିକ ୭୮ ରନ୍ କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୯ ରନ୍ କରିବାକୁ ସକ୍ଷମ ହୋଇଛି। ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶର ଏହା ଦ୍ୱିତୀୟ ବିଜୟ। ଏହା ପୂର୍ବରୁ ୨୦୦୭ ବିଶ୍ୱକପରେ ବାଂଲାଦେଶ ୬୭ ରନରେ ବିଜୟୀ ହୋଇଥିଲା। ସେହିପରି ଓଭରଅଲ୍ ଦେଖିବାକୁ ଗଲେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶର ଏହା ଚତୁର୍ଥ ବିଜୟ।

କେନିଙ୍ଗଟନ୍ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପକ୍ଷରୁ ଦୁଇ ଓପ୍ନର ତମିମ୍ ଇକବାଲ୍ ଓ ସୌମ୍ୟ ସରକାର ଟିମକୁ ଭଲ ଷ୍ଟାର୍ଟ ଦେଇଥିଲେ। ଦୁହେଁ ଆରମ୍ଭରୁ ଦ୍ରୁତ ରନ୍ କରି ପ୍ରଥମ ୱିକେଟ୍ ପାଇଁ ୬୦ ରନ୍ ଯୋଡ଼ିଥିଲେ। ତମିମ୍ ୧୬ ରନ୍ କରିଥିବା ବେଳେ ଆଣ୍ଡିଲେ ଫେଲୁକୱାୟୋଙ୍କ ବଲରେ ଆଉଟ୍ ହୋଇଥିଲେ। ସୌମ୍ୟ ୩୦ ବଲରେ ଦ୍ରୁତ ୪୨ (୯ ଚୌକା) ରନ୍ କରି କ୍ରିସ୍ ମୋରିସଙ୍କ ଶିକାର ହୋଇଥିଲେ।

ଦୁଇ ୱିକେଟ୍ ହରାଇଥିବା ବାଂଲାଦେଶକୁ ସଙ୍କଟରୁ ରକ୍ଷା କରିଥିଲେ ସାକିବ୍ ଓ ରହିମ୍। ଦୁହେଁ ଦକ୍ଷିଣ ଆଫ୍ରିକାର ମଜଭୁତ୍ ବୋଲିଂ ଆକ୍ରମଣକୁ ଦୃଢ଼ତାର ସହ ମୁକାବିଲା କରିଥିଲେ। ସାକିବ୍ ୫୪ ବଲରେ ଏବଂ ରହିମ୍ ୫୨ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୪୨ ରନର ଶତକୀୟ ଭାଗୀଦାର କରି ଟିମକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ। ଟିମ୍ ସ୍କୋର ୨୧୭ ଥିବା ବେଳେ ସାକିବଙ୍କୁ ଇମ୍ରାନ୍ ତାହିର୍ କ୍ଲିନ୍ ବୋଲ୍ଡ କରିଥିଲେ।

ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମହମ୍ମଦ ମିଥୁନ୍ (୨୧) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେଟ୍ ବ୍ୟାଟ୍ସମ୍ୟାନ୍ ରହିମଙ୍କୁ ଫେଲୁକୱାୟୋ ପ୍ୟାଭିଲିୟନ୍ ପଠାଇ ବାଂଲାଦେଶ ରନରେ ଅଙ୍କୁଶ ଲଗାଇଥିଲେ। କିନ୍ତୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମହମ୍ମଦୁଲ୍ଲା ଓ ଯୁବ ତାରକା ମୋସାଡେକ୍ ହୁସେନ୍ ଚମତ୍କାର ବ୍ୟାଟିଂ କରି ନିଜ ଟିମର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ।

ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୬୬ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ହୁସେନ୍ ୨୦ ବଲରେ ୨୬ ରନ୍ କରି ଆଉଟ୍ ହୋଇଥିବା ବେଳେ ମହମଦୁଲ୍ଲା ୪୬ (୩୩ ବଲ୍, ୩ ଚୌକା, ୧ ଛକା) ଓ ମେହିଦି ହାସନ୍ ମିରାଜ ୫ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଫେଲୁକୱାୟୋ, କ୍ରିସ୍ ମୋରିସ ଓ ଇମ୍ରାନ୍ ତାହିର୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

୩୩୧ ରନର କଷ୍ଟସାଧ୍ୟ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଧିମା ଆରମ୍ଭ କରିଥିଲେ। ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଅର୍ଦ୍ଧଶତକ ମାରିଥିବା କ୍ୱିଣ୍ଟନ୍ ଡି'କକ୍ ୨୩ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ଅନ୍ୟତମ ଓପ୍ନର ଆଇଡେନ୍ ମର୍କରାମ ଭଲ ଖେଳିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ସେ ୪୫ ରନ୍ କରି ସାକିବଙ୍କ ବଲରେ ବୋଲ୍ଡ ହୋଇଥିଲେ।

ମଧ୍ୟକ୍ରମରେ କ୍ୟାପଟେନ୍ ଡ୍ୟୁପ୍ଲେସିସ୍ ଅର୍ଦ୍ଧଶତକ ମାରିବା ପରେ ପ୍ୟାଭିଲିୟନ୍ ଫେରିଥିଲେ । ସେ ୫୩ ବଲରେ ୫ ଚୌକା ଓ ୧ ଛକା ସହ ୬୨ ରନ୍ କରିଥିଲେ। ଡେଭିଡ୍ ମିଲର୍ (୩୮) ଓ ଭାନ୍ ଡର୍ ଡୁସେନ୍ (୪୧) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଦୁଇ ଅଲରାଉଣ୍ଡର ଆଣ୍ଡିଲେ ଫେଲୁକୱାୟୋ (୮) ଓ କ୍ରିସ୍ ମୋରିସ୍ (୧୦) ନିରାଶ କରିଥିଲେ।

ଜେପି ଡୁମିନି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ, ଟିମକୁ ଜିତାଇପାରି ନଥିଲେ। ଡୁମିନି ୪୫ ରନ୍ କରି ମୁସ୍ତାଫିଜୁର ରେହମାନଙ୍କ ବଲରେ ବୋଲ୍ଡ ହୋଇଥିଲେ। କାଗିସୋ ରବାଡା ୧୩ ଓ ଇମ୍ରାନ୍ ତାହିର୍ ୧୦ ରନ୍ କରି ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ୩ଟି ଓ ମହମ୍ମଦ ସୈଫୁଦ୍ଦିନ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos