ଟିମ୍‌ ଇଣ୍ଡିଆର କେଉଁ ଖେଳାଳିଙ୍କ ସହ ଅଧିକ ସମୟ ବିତାନ୍ତି ଚହଲ? ବିରାଟ, ଧୋନି ନା ରୋହିତ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଖେଳାଳିମାନେ ପଡ଼ିଆରେ ବେଶ ଗମ୍ଭୀରତାର ସହ କ୍ରିକେଟ ଖେଳୁଛନ୍ତି। ହେଲେ ଡ୍ରେସିଂ ରୁମ୍‌ରେ ବା ଫାଙ୍କା ସମୟରେ ସେମାନେ କ’ଣ କରନ୍ତି? କ’ଣ ସେମାନେ ଥଟ୍ଟା ମଜା କରନ୍ତି କି? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ତେବେ ଖେଳାଳିମାନେ ଡ୍ରେସିଂ ରୁମ୍‌ କିମ୍ବା ଅନ୍ୟାନ୍ୟ ସ୍ଥାନରେ ଏକାଠି ଥିଲା ବେଳେ କ’ଣ କରନ୍ତି, ସେକଥା ଟିମ୍‌ ଇଣ୍ଡିଆର ଯୁବ ରିଷ୍ଟ ସ୍ପିନର ୟୁଜବେନ୍ଦର ଚହଲ ଖୁଲାସା କରିଛନ୍ତି। ଜାତୀୟ ଗଣାମଧ୍ୟମ ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଚହଲ କହିଛନ୍ତି, “ମୁଁ ଜଣେ ଜୁନିୟର ଖେଳାଳି ହୋଇଥିଲେ ହେଁ ଟିମ୍‌ ଇଣ୍ଡିଆରେ ଥିବା ବରିଷ୍ଠ ଖେଳାଳିମାନେ କେବେ ହେଲେ ଏକଥା ମୋତେ ଅନୁଭବ କରିବାକୁ ଦିଅନ୍ତି ନାହିଁ।

କାରଣ ଯୁବ ଖେଳାଳି ହୋଇଥିଲେ ହେଁ ଆମ ଉପରେ କୌଣସି କଟକଣା ଲାଗୁ କରାଯାଏ ନାହିଁ। ମାହି ଭାଇ(ମହେନ୍ଦ୍ର ସିଂହ ଧୋନି)ଙ୍କ ସହ ଆମେ ଯେତେବେଳେ ପବଜି ଖେଳୁ କିମ୍ବା କଥା ହେଉ, ସେତେବେଳେ ଆମକୁ କେବେ ହେଲେ ବି ଜଣେ ବଡ଼ ଖେଳାଳିଙ୍କ ସହ କଥା ହେଉଛୁ ବୋଲି ଜଣାପଡ଼େ ନାହିଁ। ସେ ଜଣେ ମଜାଦାର ବ୍ୟକ୍ତି।

ରୋହିତ ଭାଇ(ରୋହିତ ଶର୍ମା) ମଧ୍ୟ ସର୍ବଦା ଥଟ୍ଟା ମଜା କରନ୍ତି। ଆମେ ସର୍ବଦା ଗୀତ ଶୁଣିଥାଉ। ବିରାଟ ଭାଇ(ବିରାଟ କୋହଲି) ଓ ଶଖର ଭାଇ(ଶିଖର ଧୱନ) ପଞ୍ଜାବୀ ଗୀତ ଶୁଣିଥାଆନ୍ତି। ମୁଁ ସବୁଠାରୁ ଅଧିକ ସୟମ ରୋହିତ ଭାଇଙ୍କ ସହ ଅତିବାହିତ କରେ।

ଆମେ ଏକାଠି ମଜା କରୁ ଏବଂ ଅନେକ କଥା ଶେୟାର କରିଥାଉ। ମୁଁ ଭାଉଜ(ରିତିକା)ଙ୍କୁ ଚଡ଼ାଇ ଥାଏ। ସେ ଯେଉଁ ପର୍ଯ୍ୟନ୍ତ ନ ରାଗିଛନ୍ତି, ମୁଁ ତାଙ୍କୁ ଥଟ୍ଟା କରିଚାଲେ। ବିରାଟ ଭାଇ ଅଧିକ ପରିଶ୍ରମ କରନ୍ତି। ସେ ୭-୮ ଘଣ୍ଟାର ଶୁଟିଂ ପରେ ମଧ୍ୟ ସବୁବେଳେ ଜିମ ଯାଆନ୍ତି। ତାଙ୍କ ଫିଟନେଶର ୩୦% ପ୍ରତିଶତ ଯଦି ଆମ ପାଖରେ ରହିଥାଆନ୍ତା, ତା’ହେଲେ ଆମେ ଆହୁରି ଅଧିକ ଭଲ ଖେଳ ପ୍ରଦର୍ଶନ କରିପାରିବୁ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।