କରୋନା କାଳରେ ଅଲିମ୍ପିକ୍ସ, କେତେ ଅଲଗା ଏଥରର ଆୟୋଜନ?

ନୂଆଦିଲ୍ଲୀ: ଦୁଇ ଦିନ ପରେ ଆରମ୍ଭ ହେବ କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ। ଏଥର ଅଲିମ୍ପିକ୍ସ କରୋନା ମହାମାରୀ ସମୟରେ ଖେଳାଯିବ। ମହାମାରୀ କାରଣରୁ ଅଲିମ୍ପିକ୍ ପାଇଁ କିଛି ନିୟମ କରାଯାଇଛି। ଏପରିକି ଭାଇରସର ବିପଦକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ପାଇଁ ମଧ୍ୟ ଅନେକ ନିୟମ ଧାର୍ଯ୍ୟ କରାଯାଇଛି। ପୂର୍ବ ସଂସ୍କରଣ ତୁଳନାରେ ଏଥର ଅଲିମ୍ପିକ୍ସ ବହୁତ ଅଲଗା ହେବାକୁ ଯାଉଛି। ଅଲିମ୍ପିକ୍ସର ଶୁଭାରମ୍ଭ ଜୁଲାଇ ୨୩ ତାରିଖରୁ ହେବ ଏବଂ ଅଗଷ୍ଟ ୮ ତାରିଖ ଯାଏ ଆୟୋଜିତ ହେବ। ଜାପାନରେ ବର୍ତ୍ତମାନ କରୋନା ମାମଲା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଆୟୋଜକ କିଛି ନିୟମ ଧାର୍ଯ୍ୟ କରିଛନ୍ତି। ଆସନ୍ତୁ ଜାଣିବା ଏଥର ଅଲିମ୍ପିକ୍ସ କେତେ ଖାସ୍ ହେବ।

ଉଦଘାଟନୀ ଓ ଉଦଯାପନୀ ସମାରୋହ ଉପରେ ରୋକ୍: ଓପନିଂ ସେରେମନୀରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ପରିଚିତ ଅଲିମ୍ପିକ୍ସରେ ଏଥର କରୋନା ମହାମାରୀ ପାଇଁ ସେଭଳି କିଛି ବି ଝଲକ ଦେଖିବାକୁ ମିଳିବ ନାହିଁ। ରିଓ, ଲଣ୍ଡନ ଓ ବେଜିଂ ଅଲିମ୍ପିକ୍ସର ଝଲକ ପୂରା ଦୁନିଆ ଦେଖଥିଲା। ଦମଦାର କୋରିଓଗ୍ରାଫୀ ପୂରା ଦୁନିଆକୁ ମତୁଆଲା କରିଥିଲା, ଯେଉଁଥିରେ ହଜାର ହଜାର କଳାକାର ହାଉସଫୁଲ୍ ଷ୍ଟାଡିୟମରେ କଳା ନୈପୁଣ୍ୟତା ଦେଖାଇଥିଲେ। ଏଥର ଅଲିମ୍ପିକ୍ସର ଉଦଘାଟନୀ ଓ ଉଦଯାପନୀ ସମାରୋହରେ ସୀମିତ ଲୋକଙ୍କୁ ଅନୁମତି ମିଳିବ। ଜାନୁଆରୀରେ ଆୟୋଜକ କହିଥିଲେ ଯେ ସମାରୋହରେ ୧୧ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ କେବଳ ୬ହଜାର ସାମିଲ୍‌ ହେବେ।

ନିଜେ ନିଜକୁ ପିନ୍ଧାଇବେ ମେଡାଲ୍: ଏଥର ଅଲିମ୍ପିକ୍ସରେ ଆଥଲେଟମାନଙ୍କୁ ନିଜେ ପଦକ ପିନ୍ଧିବାକୁ ପଡ଼ିବ। ଏହା ବ୍ୟତୀତ ଆଥଲେଟମାନେ ସେମାନଙ୍କର ପଦକକୁ ଚୁମ୍ବନ ଦେଇ ପାରିବେ ନାହିଁ। ପୋଡିୟମରେ ଖେଳାଳିମାନଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଅଲିମ୍ପିକ୍ସରେ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ସତର୍କତା ଅବଲମ୍ବନ କରାଯିବ।

ବିନା ଦର୍ଶକରେ ଅଲିମ୍ପିକ୍ସ: କୋଭିଡ-୧୯ ମାମଲାକୁ ନିୟନ୍ତ୍ରଣରେ ରଖିବା ପାଇଁ ଜାପାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କୋଭିଡ୍-୧୯ ମହାମାରୀ କାରଣରୁ ବର୍ଷକ ପାଇଁ ସ୍ଥଗିତ ଥିବା ଟୋକିଓ ଅଲିମ୍ପିକ୍ସରେ ଏଥର ସ୍ଥାନୀୟ ଦର୍ଶକଙ୍କୁ ମଧ୍ୟ ଅନୁମତି ଦିଆଯିବ ନାହିଁ।

ଆଥଲେଟଙ୍କ ପାଇଁ କଡ଼ା ନିୟମ: ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଖେଳାଳିଙତକ ପାଇଁ ନିୟମ କଡ଼ାକଡ଼ି କରାଯାଇଛି। ପ୍ରତିଦିନ ଖେଳାଳିଙ୍କର କରୋନା ଟେଷ୍ଟ କରାଯିବ। ଏପରିକି ଖେଳାଳିମାନେ ପରସ୍ପର ସହ ହାତ ମଧ୍ୟ ମିଳାଇପାରିବେ ନାହିଁ।

ନିୟମ ଭାଙ୍ଗିଲେ ବିଦା ହେବେ: ଟୋକିଓ ଅଲିମ୍ପିକ୍ସରେ ଆଥଲେଟ୍ସ, ମିଡିଆ ଏବଂ ଅନ୍ୟ ଅଧିକାରୀ ଯଦି କୋଭିଡ୍ ପ୍ରୋଟୋକଲ ଭାଙ୍ଗିବେ, ତାହେଲେ ସେମାନଙ୍କୁ କ୍ରୀଡ଼ାରୁ ବାହାର କରିଦିଆଯିବ। ଏମିତିକି ସେମାନଙ୍କୁ ଜାପାନରୁ ନିର୍ବାସନ କରାଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।