ଗୁରୁବାର ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା: ଧୋନିଙ୍କୁ ନେଇ ଚିନ୍ତାରେ ଟିମ୍ ଇଣ୍ଡିଆ

ମ୍ୟାଞ୍ଚେଷ୍ଟର୍: ଭାରତୀୟ ଟିମ୍ ଆଇସିସି ବିଶ୍ୱକପରେ ତା’ର ଷଷ୍ଠ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ମ୍ୟାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଖେଳାଯିବ, ଯେଉଁଠାରେ ଭାରତ ପାକିସ୍ତାନକୁ ଜୁନ୍ ୧୬ ତାରିଖରେ ହରାଇଥିଲା। ମ୍ୟାଞ୍ଚେଷ୍ଟରରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଥିଲା, ଯେଉଁକାରଣରୁ ମ୍ୟାଚରେ ବର୍ଷାର ପ୍ରଭାବ ପଡ଼ିବା ନେଇ ଆଶଙ୍କା ଦେଖା ଦେଇଛି। କିନ୍ତୁ ପାଣିପାଗ ବିଭାଗ ଅନୁଯାୟୀ, ଗୁରୁବାର ଏଠାରେ ବର୍ଷାର ସମ୍ଭାବନା ନାହିଁ। ବର୍ତ୍ତମାନ ଭାରତ ପାଇଁ ବଡ଼ ସମସ୍ୟା ହେଉଛି ଭେଟେରାନ୍ […]

ms

ms

Hemant Lenka
  • Published: Wednesday, 26 June 2019
  • Updated: 26 June 2019, 05:51 PM IST

Sports

Latest News

ମ୍ୟାଞ୍ଚେଷ୍ଟର୍: ଭାରତୀୟ ଟିମ୍ ଆଇସିସି ବିଶ୍ୱକପରେ ତା'ର ଷଷ୍ଠ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ମ୍ୟାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଖେଳାଯିବ, ଯେଉଁଠାରେ ଭାରତ ପାକିସ୍ତାନକୁ ଜୁନ୍ ୧୬ ତାରିଖରେ ହରାଇଥିଲା। ମ୍ୟାଞ୍ଚେଷ୍ଟରରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଥିଲା, ଯେଉଁକାରଣରୁ ମ୍ୟାଚରେ ବର୍ଷାର ପ୍ରଭାବ ପଡ଼ିବା ନେଇ ଆଶଙ୍କା ଦେଖା ଦେଇଛି। କିନ୍ତୁ ପାଣିପାଗ ବିଭାଗ ଅନୁଯାୟୀ, ଗୁରୁବାର ଏଠାରେ ବର୍ଷାର ସମ୍ଭାବନା ନାହିଁ।

ବର୍ତ୍ତମାନ ଭାରତ ପାଇଁ ବଡ଼ ସମସ୍ୟା ହେଉଛି ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଖରାପ ଫର୍ମ। ଲିଗ୍ ପର୍ଯ୍ୟାୟ ଧୀରେ ଧୀରେ ଶେଷ ହେବାରେ ଲାଗିଛି ଏବଂ ଭାରତ ଆଉ ଏକ ବିଜୟ ସହ ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ଚାହିଁବ। ତେବେ ଏହା କହିବା ସଜର, କିନ୍ତୁ କରିବା ବହୁତ କଷ୍ଟ। ୱେଷ୍ଟଇଣ୍ଡିଜ୍ ଟିମ୍ ପାଖରେ ହରାଇବା ପାଇଁ ଆଉ କିଛି ନାହିଁ। କ୍ୟାରିବିୟାନ୍ ଟିମ୍ କେବଳ ବାକି ଟିମର ସମୀକରଣ ବିଗାଡ଼ିବାର ପ୍ରୟାସ କରିବ।

ପାକିସ୍ତାନ ବିପକ୍ଷ ଦମଦାର ବିଜୟ ପରେ ଭାରତକୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଜିତିବା ପାଇଁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ଏହି ମ୍ୟାଚରେ କ୍ୟାପଟେନ୍ ବିରାଟ କୋହଲିଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ପ୍ରଭାବ ପକାଇପାରି ନଥିଲେ। ଖାସ୍ କରି ଏହି ମ୍ୟାଚରେ ଧୋନିଙ୍କ ଧିମା ବ୍ୟାଟିଂ ସମସ୍ତଙ୍କୁ ନିରାଶ କରିଥିଲା।

ଦ୍ୱିତୀୟ ପାୱାରପ୍ଲେ'ର ମହତ୍ତ୍ୱପୂର୍ଣ୍ଣ ଓଭରରେ ଧୋନିଙ୍କ ବିଫଳତା ଏବେ କୋହଲିଙ୍କ ଚିନ୍ତା ବଢ଼ାଇ ଦେଇଛି। ଧୋନି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ୫୨ ବଲରେ ମାତ୍ର ୨୮ ରନ୍ କରିଥିଲେ, ଯେଉଁକାରଣରୁ ସେ କଡ଼ା ସମାଲୋଚନାର ଶିକାର ହୋଇଥିଲେ। ଏପରିକି ସର୍ବଦା ଶାନ୍ତ ରହୁଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଧୋନିଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଥିଲେ।

ସଚିନ କହିଥିଲେ ଯେ, ଧୋନିଙ୍କ ଭିତରେ ସକାରାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳୁନି। ତେବେ ଟିମ୍ ମ୍ୟାନେଜମେଣ୍ଟ ଏହା ଉପରେ ସମ୍ପୂର୍ଣ୍ଣ ଅବଗତ ଅଛି। ଯେହେତୁ ଭାରତକୁ ଆଉ ୪ଟି ଲିଗ୍ ମ୍ୟାଚ୍ ଖେଳିବାକୁ ବାକି ଅଛି, ତେଣୁ ବର୍ତ୍ତମାନ ଏକମାତ୍ର ବିକଳ୍ପ ଭାବେ ଧୋନିଙ୍କ ବ୍ୟାଟିଂକ୍ରମରେ ପରିବର୍ତ୍ତନ କରିବାର ସମୟ ଆସିଯାଇଛି। ସମ୍ଭବତଃ କେଦାର ଯାଦବଙ୍କୁ ଅଧିକ ଭଲ ଖେଳିବାର ସୁଯୋଗ ମିଳିପାରେ, ଯିଏ ନିଜର ଶଟ୍ ଚୟନରେ ନୂତନତ୍ୱ ଆଣିବା ପାଇଁ ପରିଚିତ।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟବହାର ଏପର୍ଯ୍ୟନ୍ତ ଏକ ଫ୍ଲୋଟର୍ ଭାବେ ହୋଇଛି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଯଦି ତାଙ୍କୁ ଅନ୍ୟପଟୁ ସହଯୋଗ ମିଳିନଥାନ୍ତା, ତାହେଲେ ତାଙ୍କ ଉପରେ ଅତିରିକ୍ତ ଚାପ ପଡ଼ିଥାନ୍ତା। କୋହଲି ଓ କୋଚ୍ ରବି ଶାସ୍ତ୍ରୀ ଏପର୍ଯ୍ୟନ୍ତ ଋଷଭ ପନ୍ତଙ୍କ ବ୍ୟବହାର କରିବା ନେଇ ଆଦୌ ଇଚ୍ଛୁକ ନୁହନ୍ତି। ଟିମ୍ ମ୍ୟାନେଜମେଣ୍ଟ ଯଦି ବିଜୟ ଶଙ୍କରଙ୍କୁ ବାହାର କରିବା ପାଇଁ ନିଷ୍ପତ୍ତି ନିଅନ୍ତି, ତାହେଲେ ପନ୍ତଙ୍କୁ ଟିମରେ ସ୍ଥାନ ମିଳିପାରେ।

ୱେଷ୍ଟଇଣ୍ଡିଜ୍ ଟିମରେ ପେସ୍ ଆକ୍ରମଣ ଭରପୂର ଅଛନ୍ତି ଏବଂ ଏଭଳି ସ୍ଥିତିରେ ଧୋନିଙ୍କୁ ଷ୍ଟ୍ରାଇକ୍ ରୋଟେଟ୍ କରିବା ପାଇଁ ସହଜ ହୋଇପାରେ। କାରଣ ଧୋନି ସ୍ଲୋ' ବୋଲରଙ୍କ ବିପକ୍ଷରେ ସହଜ ହୋଇ ଖେଳିପାରନ୍ତି ନାହିଁ। ଗତ ମ୍ୟାଚରେ ଆଫଗାନିସ୍ତାନର ସ୍ଲୋ' ବୋଲରମାନେ ଏହାର ଭରପୂର ଫାଇଦା ଉଠାଇଥିଲେ। ଆଇପିଏଲରେ ଧୋନିଙ୍କ ବ୍ୟାଟିଂ ଓ ଭାରତ ପାଇଁ ୫୦ ଓଭର ଫର୍ମାଟରେ ତାଙ୍କ ପ୍ରଦର୍ଶନର ବ୍ୟବଧାନକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।

ଧୋନିଙ୍କ ବ୍ୟତୀତ ଲୋକେଶ ରାହୁଲଙ୍କ ପାଇଁ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟ ଚିନ୍ତିତ ଅଛି। ରାହୁଲ ଦୁଇଟି ଯାକ ମ୍ୟାଚରେ ଭଲ ଆରମ୍ଭ କରିଥିଲେ ହେଁ, ଏହାକୁ ସେ ବଡ଼ ସ୍କୋରରେ ପରିଣତ କରିପାରି ନାହାନ୍ତି। ଏହାଛଡ଼ା ତାଙ୍କର ଶଟ୍ ଚୟନକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ରାହୁଲ ଯେଉଁଭଳି ଶଟ୍ ଖେଳି ଆଉଟ୍ ହେଲେ, ତାହା ସମସ୍ତଙ୍କୁ ନିରାଶ କରିଛି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିବା ଓପ୍ନର ରୋହିତ୍ ଶର୍ମା ନିଜର ଭଲ ଫର୍ମକୁ ଫେରିବା ନେଇ ଆଶାୟୀ ଅଛନ୍ତି।

ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଦମଦାର ଶୁଭାରମ୍ଭ ସତ୍ତେ୍ୱ ୱେଷ୍ଟଇଣ୍ଡିଜ୍ ଟିମ୍ ବିଶ୍ୱକପ୍ ସେମିଫାଇନାଲ୍ ଦୌଡ଼ରୁ ବାହାର ହୋଇଛି। କିନ୍ତୁ ଟିମ୍ ସକାରାତ୍ମକ ଭାବେ ବିଶ୍ୱକପ୍ ଅଭିଯାନ ଶେଷ କରିବାକୁ ଚାହିଁବ। ଆନ୍ଦ୍ରେ ରସେଲ ଆହତ କାରଣରୁ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି, ଯଦ୍ଦ୍ୱାରା ଟିମକୁ ବଡ଼ ଝଟକା ଲାଗିଛି। ତେବେ ଟିମର ପେସ୍ ଆକ୍ରମଣ ଭଲ ପ୍ରଦର୍ଶନ କରିଛନ୍ତି।

ଇଣ୍ଡିଜ୍ ଟିମର ଯୁବ ପେସ୍ ବୋଲର ଶେଲଡନ୍ କଟ୍ଟରେଲ୍ ଓ ଓଶାନି ଟମାସ ଖୁବ୍ ପ୍ରଭାବିତ କରିଛନ୍ତି। କୋହଲି ଓ ଉପଅଧିନାୟକ ରୋହିତ ଭଲ ଫର୍ମରେ ଅଛନ୍ତି। ଏଭଳି ସ୍ଥିତିରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଓ ଇଣ୍ଡିଜ୍ ବୋଲରଙ୍କ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିପାରେ। 'ୟୁନିଭର୍ସାଲ୍ ବସ୍' କ୍ରିସ୍ ଗେଲ୍ ଏବେବି ବଡ଼ ଇନିଂସ୍ ଅପେକ୍ଷାରେ ଅଛନ୍ତି। ଗେଲଙ୍କ ବିପକ୍ଷରେ ଯଶପ୍ରୀତ ବୁମ୍ରାଙ୍କ ପ୍ରାରମ୍ଭିକ ସ୍ପେଲ୍ ମ୍ୟାଚର ରୂପରେଖ ପ୍ରସ୍ତୁତ କରିପାରେ।

ସେହିପରି ଇଣ୍ଡିଜର ମଧ୍ୟକ୍ରମକୁ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ କାର୍ଲସ୍ ବ୍ରାଥୱେଟ୍ ଦମଦାର ଶତକୀୟ ଇନିଂସ୍ ଖେଳି ଇଣ୍ଡିଜକୁ ବିଜୟ ନିକଟରେ ପହଞ୍ଚାଇଥିଲେ, କିନ୍ତୁ ଜିତାଇପାରି ନଥିଲେ। ସ୍ଲୋ' ବୋଲିଂ ବିପକ୍ଷରେ ବ୍ରାଥୱେଟଙ୍କ ପ୍ରଦର୍ଶନ ଭଲ ରହିନାହିଁ। ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ, ୱେଷ୍ଟଇଣ୍ଡିଜ୍ ତୁଳନାରେ ଭାରତ ଏହି ମ୍ୟାଚ୍ ପାଇଁ ଫେଭରିଟ୍।

ଭାରତୀୟ ଦଳ: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), କେଦାର ଯାଦବ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ରବୀନ୍ଦ୍ର ଜାଡେଜା, ଦିନେଶ କାର୍ତ୍ତିକ, ଋଷଭ ପନ୍ତ।

ୱେଷ୍ଟଇଣ୍ଡିଜ୍ ଦଳ: ଜେସନ୍ ହୋଲ୍ଡର୍ (କ୍ୟାପଟେନ୍), କ୍ରିସ୍ ଗେଲ୍, ଶାଇ ହୋପ୍, ଶିମରନ୍ ହେଟମେୟର୍, କାର୍ଲସ୍ ବ୍ରାଥୱେଟ୍, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ, କେମାର ରୋଚ୍, ଆଶଲେ ନର୍ସ, ନିକୋଲାସ ପୁରାନ୍, ସୁନୀଲ ଅମ୍ବ୍ରିସ୍, ଏଭିନ୍ ଲୁଇସ୍, ଶ୍ୟାନନ୍ ଗାବ୍ରିଏଲ୍, ଡାରେନ୍ ବ୍ରାଭୋ, ଫାବିଆନ୍ ଆଲେନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos