ଆଇସିସି ବିଶ୍ୱକପ: ବାଂଲାଦେଶକୁ ହରାଇ ଶୀର୍ଷରେ ଅଷ୍ଟ୍ରେଲିଆ

ନଟ୍ଟିଂହାମ୍: ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ଧୂଆଁଧାର ଶତକ ଓ ଉସମାନ୍ ଖୱାଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ବିଶ୍ୱକପର ଗୁରୁବାର ଖେଳାଯାଇଥିବା ମ୍ୟାଚରେ ୪୮ ରନରେ ପରାସ୍ତ କରିଛି। ଏଥିସହ ଅଷ୍ଟ୍ରେଲିଆ ୧୦ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡକୁ ହଟାଇ ଟେବୁଲର ଶୀର୍ଷ ସ୍ଥାନକୁ ଉଠିଛି।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୫ ୱିକେଟ୍ ହରାଇ ୩୮୧ ରନ୍ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୧୬୬ (୧୪୭ ବଲ୍, ୧୪ ଚୌକା, ୫ ଛକା) ରନ୍ କରିଥିବା ବେଳେ ଖୱାଜା ଦ୍ରୁତ ୮୯ (୭୨ ବଲ୍, ୧୦ ଚୌକା) ରନ୍ କରିଥିଲେ। ଜବାବରେ ମୁଶଫିକର ରହିମଙ୍କ ଲଢ଼ୁଆ ଶତକ ସତ୍ତେ୍ୱ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୩୩ ରନ୍ କରିବାକୁ ସକ୍ଷମ ହୋଇଛି।

ବାଂଲାଦେଶ ପକ୍ଷରୁ ରହିମ୍ ଓ ମହମଦୁଲ୍ଲା ଲଢ଼ିଥିଲେ ହେଁ, ଟିମକୁ ଜିତାଇପାରି ନଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୧୫୮ ରନର ଭାଗୀଦାରୀ କରିଥିଲେ । ରହିମ୍ ସର୍ବାଧିକ ୧୦୨ (୯୭ ବଲ୍, ୯ ଚୌକା, ୧ ଛକା) ରନ୍ ଏବଂ ମହମଦୁଲ୍ଲା ୫୦ ବଲରେ ୫ ଚୌକା ଓ ୩ ଛକା ସହ ୬୯ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ତମିମ୍ ଇକବାଲ୍ ୬୨, ସାକିବ୍ ଅଲ୍ ହାସନ୍ ୪୧, ଲିଟନ୍ ଦାସ ୨୦ ଓ ସୌମ୍ୟ ସରକାର ୧୦ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ଓ ନେଥନ କୁଲ୍ଟର-ନାଇଲ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫିଞ୍ଚଙ୍କ ସହ ଓପନ୍ କରିବାକୁ ଆସିଥିବା ୱାର୍ଣ୍ଣର ଆରମ୍ଭରୁ ଧିମା ଖେଳିଥିଲେ। ଦୁହେଁ ୧୬.୩ ଓଭରରେ ଟିମ୍ ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ।

ଫିଞ୍ଚ୍ ୪୭ ବଲରେ ଏବଂ ୱାର୍ଣ୍ଣର ୫୮ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ ଫିଞ୍ଚ୍ ନିଜ ୱିକେଟ୍ ହରାଇ ବସିଥିଲେ। ସେ ୫୧ ବଲରେ ୫ ଚୌକା ଓ ୨ ଛକା ସହ ୫୩ ରନ୍ କରି ସୌମ୍ୟ ସରକାରଙ୍କ ବଲରେ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ୱାର୍ଣ୍ଣରଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୧୨୧ ରନ୍ ଯୋଡ଼ିଥିଲେ। ଏହା ପରେ ୱାର୍ଣ୍ଣରଙ୍କୁ ସାଥ୍ ଦେଇଥିଲେ ଖୱାଜା।

ଖୱାଜା ଭଲ ବ୍ୟାଟିଂ କରି ଅଷ୍ଟ୍ରେଲିଆର ରନ୍ ଗତି ବଢ଼ାଇବାରେ ସହାୟକ ହୋଇଥିଲେ। ଏହା ମଧ୍ୟରେ ୱାର୍ଣ୍ଣର ୧୧୦ ବଲରେ କ୍ୟାରିୟରର ୧୬ତମ ଶତକ ପୂରଣ କରିଥିଲେ। ଶତକ ମାରିବା ପରେ ୱାର୍ଣ୍ଣର ଦ୍ରୁତ ରନ୍ ସଂଗ୍ରହ କରି ୪୩.୩ ଓଭରରେ ଟିମ୍ ସ୍କୋରକୁ ୩୦୦ ରନରେ ପହଞ୍ଚାଇଥିଲେ। ଶତକ ପରେ ୱାର୍ଣ୍ଣର ନିଜର ପରବର୍ତ୍ତୀ ୫୦ ରନ୍ ମାତ୍ର ୨୯ ବଲରେ ହାସଲ କରିଥିଲେ।

ଅଷ୍ଟ୍ରେଲିଆର ସ୍କୋର ୩୧୩ ଥିବା ବେଳେ ୱାର୍ଣ୍ଣରଙ୍କୁ ସୌମ୍ୟ ଆଉଟ୍ କରି ବାଂଲାଦେଶକୁ ବଡ଼ ସଫଳତା ଦେଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଗ୍ଲେନ୍ ମ୍ୟାକ୍ସୱେଲ୍ ଆସିବା ମାତ୍ରକେ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରି ବାଂଲାଦେଶକୁ ବୋଲରଙ୍କୁ ନିର୍ଧୁମ୍ ଛେଛିଥିଲେ। ତେବେ ସେ ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଥିଲେ, ଯାହା ପରେ ଅଷ୍ଟ୍ରେଲିଆର ରନ୍ ଗତି ହ୍ରାସ ପାଇଥିଲା।

ମ୍ୟାକ୍ସୱେଲ୍ ମାତ୍ର ୧୦ ବଲରେ ୨ ଚୌକା ଓ ୩ ଛକା ସହ ୩୨ ରନ୍ କରିଥିଲେ। ଏହା ପରେ ଖୱାଜାଙ୍କୁ ମଧ୍ୟ ସୌମ୍ୟ ନିଜର ଶିକାର ବନାଇଥିବା ବେଳେ ଷ୍ଟିଭ୍ ସ୍ମିଥ୍ (୧)ଙ୍କୁ ମୁସ୍ତାଫିଜୁର ପ୍ୟାଭିଲିୟନ୍ ପଠାଇଥିଲେ। ମାର୍କସ୍ ଷ୍ଟୋଇନିସ୍ ୬ ଓ ଆଲେକ୍ସ କ୍ୟାରି ୯ ରନ୍ କରି ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ସୌମ୍ୟ ୩ଟି ଓ ମୁସ୍ତାଫିଜୁର ଗୋଟିଏ ୱିକେଟ୍ ନେଇଥିଲେ।