ଓଭରଥ୍ରୋ’ ବିବାଦ: ଅମ୍ପାୟାରଙ୍କୁ ଏହି କଥା କହିଥିଲେ ଷ୍ଟୋକ୍ସ

ଲଣ୍ଡନ: ବିଶ୍ୱକପ୍ ଫାଇନାଲାରେ ଓଭର୍ ଥ୍ରୋ’କୁ ନେଇ ବିବାଦ ଥମିବାର ନାଁ ନେଉନି। ପୂରା ଦୁନିଆର କ୍ରିକେଟ୍ ପ୍ରଶଂସକ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଅଙ୍ଗୁଳି ଉଠାଇଛନ୍ତି। ତେଣୁ ଏଥିରୁ ଜଣାପଡ଼ିଛି ଯେ, ଅମ୍ପାୟାରଙ୍କ ଭୁଲ୍ ଯୋଗୁ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ବିଶ୍ୱ ଚାମ୍ପିଅନ୍ ହେବାରୁ ଅଳ୍ପକେ ବଞ୍ଚିତ ରହିଲା। ଏବେ ଓଭରଥ୍ରୋ’ ବିବାଦକୁ ନେଇ ଏକ ନୂଆ ସୂଚନା ମିଳିଛି।

ଇଂଲଣ୍ଡର ଟେଷ୍ଟ ଟିମ୍ ସଦସ୍ୟ ଜେମ୍ସ ଆଣ୍ଡରସନଙ୍କ ମୁତାବକ, ବିଶ୍ୱକପ୍ ଟିମରେ ବିଜୟର ହିରୋ ସାଜିଥିବା ଷ୍ଟୋକ୍ସ ରବିବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଫାଇନାଲ୍ ମୁକାବିଲା ବେଳେ ଅମ୍ପାୟାରଙ୍କୁ ଓଭର୍ ଥ୍ରୋ’ର ୪ ରନ୍ ହଟାଇବାକୁ କହିଥିଲେ, ଯାହା ଶେଷରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ୍ ଫିଲ୍ଡର ମାର୍ଟିନ୍ ଗପ୍ଟିଲଙ୍କ ଥ୍ରୋ’ ଷ୍ଟୋକ୍ସଙ୍କ ବ୍ୟାଟରେ ବାଜି ୪ ରନ୍ ହୋଇଥିଲା। ଷ୍ଟୋକ୍ସ ଏହି ସମୟରେ ଦ୍ୱିତୀୟ ରନ୍ ନେବା ପାଇଁ ପ୍ରୟାସ କରୁଥିଲେ। ଦୌଡ଼ିକି ଦୁଇ ରନ୍ ନେଇଥିଲେ ଏବଂ ଓଭରଥ୍ରୋ’ର ବାଉଣ୍ଡ୍ରୀ ଦ୍ୱାରା ଷ୍ଟୋକ୍ସଙ୍କୁ ୬ ରନ୍ ମିଳିଥିଲା, କିନ୍ତୁ କିଛି ବିଶେଷଜ୍ଞଙ୍କ ମତରେ ଏହାକୁ ୫ ରନ୍ ଦିଆଯିବାର ଆବଶ୍ୟକତା ଥିଲା।

ଆଣ୍ଡରସନ୍ କହିଛନ୍ତି, କ୍ରିକେଟରେ ଶିଷ୍ଟାଚାର ମଧ୍ୟ ରହିଥାଏ। ଯଦି ବଲ୍ ଷ୍ଟମ୍ପ ଆଡ଼କୁ ଥ୍ରୋ’ କରାଯାଇଛି ଏବଂ ଏହା ବ୍ୟାଟ୍ସମ୍ୟାନଙ୍କ ଶରୀରକୁ ସ୍ପର୍ଶ କରି ଯଦି ଗ୍ୟାପରେ ଯାଏ, ତାହେଲେ ଜଣେ ରନ୍ ନେବ ନାହିଁ। କିନ୍ତୁ ଯଦି ଏହା ବାଉଣ୍ଡ୍ରୀକୁ ଚାଲିଯାଏ, ତାହେଲେ ନିୟମ ଅନୁଯାୟୀ, ଏହା ଚୌକା ହେବା ଦରକାର ଏବଂ ଆପଣ ଏହି ମାମଲାରେ କିଛି ବି କରିପାରିବେ ନାହିଁ।

ଆଣ୍ଡରସନ୍ ଆହୁରି କହିଛନ୍ତି, ଓଭରଥ୍ରୋ’ ବାଉଣ୍ଡ୍ରୀ ପରେ ଷ୍ଟୋକ୍ସ ଅମ୍ପାୟାରଙ୍କୁ ନିକଟକୁ ଯାଇ ଏହି ଓଭରଥ୍ରୋ’ ଚାରି ରନ୍ ହଟାଇବାକୁ କହିଥିଲେ ଏବଂ ଏହି ରନ୍ ଆମର ଆବଶ୍ୟକ ନାହିଁ। କିନ୍ତୁ ଅମ୍ପାୟାର ଏହାକୁ ନିୟମ ଅନ୍ତର୍ଗତ କହି ଇଂଲଣ୍ଡ ସପକ୍ଷରେ ୪ ରନ୍ ଦେଇଥିଲେ।

ପୂର୍ବତନ ଅମ୍ପାୟାର ସାଇମନ୍ ଟଫେଲ୍ ଅମ୍ପାୟାରଙ୍କ ଦ୍ୱାରା ଦିଆଯାଇଥିବା ୬ ରନ୍ ନିଷ୍ପତ୍ତିକୁ ଭୁଲ ବୋଲି କହିଛନ୍ତି। ସେ କହିଥିଲେ, ଏହା ୬ ରନ୍ ବଦଳରେ ୫ ରନ୍ ଦେବାର ଥିଲା, କାରଣ ବ୍ୟାଟ୍ସମ୍ୟାନ୍ ଦ୍ୱିତୀୟ ରନ୍ ପୂରଣ କରିନଥିଲା।