କାଲି ଟିମ୍‌ ଇଣ୍ଡିଆ ପାଇଁ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍‌   

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ହକି ଫିଭିର୍‌। କଳିଙ୍ଗ ଷ୍ଟାଡିୟମରେ ଚାଲିଛି ହକି ବିଶ୍ୱ ଲିଗ୍ ଫାଇନାଲ୍। ଶୁକ୍ରବାର ନିଜର ପ୍ରଥମ ଲିଗ୍‌ ମ୍ୟାଚରେ ଟିମ୍ ଇଣ୍ଡିଆ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ୧-୧ ଗୋଲରେ ମ୍ୟାଚ ଡ୍ର ରଖିଥିଲା। କିନ୍ତୁ ଗତକାଲି ନିଜର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡଠାରୁ ୨-୩ ଗୋଲରେ ପରାସ୍ତ ହୋଇଛି ଭାରତ।  ପ୍ରଥମ ଦୁଇଟି କ୍ୱାର୍ଟରରେ ବଲ୍ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖି ଇଂଲଣ୍ଡ ଦଳ ୨-୦ରେ ଆଗୁଆ ଥିଲା।  ତୃତୀୟ କ୍ୱାର୍ଟରର ଗୋଲ ସ୍କୋର ହୋଇ ପାରି ନ ଥିଲା ତେବେ ଚତୁର୍ଥ କ୍ୱାର୍ଟର ଆରମ୍ଭରୁ ଲଗାତର ଦୁଇଟି ଗୋଲ୍ ଦେଇ ଭାରତ ସ୍ଥିତିକୁ ବରାବର କରିଥିଲା। ହେଲେ ଖେଳ ଶେଷ ହେବାର ଠିକ୍  ୩ ମିନିଟ୍ ପୂର୍ବରୁ ତୃତୀୟ ଗୋଲ୍ ଦେଇ ଇଂଲଣ୍ଡ ମ୍ୟାଚକୁ ନିଜ ସପକ୍ଷରେ ନେଇଥିଲା। ଆସନ୍ତା କାଲି ଭାରତ ତାର ଶେଷ ଲିଗ୍‌ ମ୍ୟାଚ୍‌ ଜର୍ମାନୀ ସହିତ ଖେଳିବ। ଏହା ସନ୍ଧ୍ୟା ୭.୩୦ ମିନିଟରେ ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ସଫଳତା ପାଇ ନଥିବା ଟିମ୍‌ ଇଣ୍ଡିଆ ଘରୋଇ ଦର୍ଶକଙ୍କ ଗହଣରେ ଶେଷ ମ୍ୟାଚ୍‌କୁ ଜିତିବାକୁ ଚେଷ୍ଟା କରିବ। ଏଥିପାଇଁ ଏକ ନୂତନ ରଣକୌଶଳ ସହ ଟିମ୍‌ ଇଣ୍ଡିଆ କାଲି ପଡିଆକୁ ଓହ୍ଲାଇବ ବୋଲି ଜଣାପଡିଛି।