ଯୁବରାଜ କ୍ୟାରିୟର୍‌ର ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି: ଟପ୍‌-୭୪ କ୍ରିକେଟର୍‌ ଲିଷ୍ଟରେ ନାହାଁନ୍ତି

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଇଣ୍ଡିଆର ବିସ୍ଫୋରକ ଖେଳାଳି ଯୁବରାଜ ସିଂ ଏବେ ତାଙ୍କ କ୍ୟାରିୟରର ଖରାପ ସମୟ ଦେଇ ଗତି କରୁଛନ୍ତି। ଦିନ ଥିଲା ଯୁବରାଜଙ୍କୁ ଦୁନିଆର ସବୁଠୁ ଭୟଙ୍କର ବୋଲର ବି ବୋଲିଂ କରିବାକୁ ଡରୁଥିଲେ। ଯୁବରାଜ ପ୍ରଥମ ଖେଳାଳି ଭାବେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୬ଟି ବଲରୁ ୬ଟି ଛକା ମାରି କ୍ରିକେଟ୍‌ ଜଗତରେ ଚହଳ ସୃଷ୍ଟି କରିଥିଲେ, ଯାହ ବିଶ୍ୱରେକର୍ଡ ହୋଇ ରହିଛି। ଏହାସହ ଭାରତରେ ଖେଳାଯାଉଥିବା ଆଇପିଏଲ୍‌ରେ ବି ସେ ଅନେକ ଥର ସବୁଠୁ ଦାମୀ ଖେଳାଳି ଭାବେ କିଣାଯାଇଛନ୍ତି।

ହେଲେ ଏବେ ସେ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିବା ଲକ୍ଷ୍ୟ କରାଯାଉଛି। ଯଦିଓ ଫିଟ୍‌ନେସ କାରଣରୁ ସେ ଶ୍ରୀଲଙ୍କା ସିରିଜରୁ ବାଦ ପଡିଥିଲେ। ତଥାବି ଆଗାମୀ ଅଷ୍ଟ୍ରେଲିଆ ସିରିଜ ପାଇଁ ସେ ଦଳରେ ସ୍ଥାନ ପାଉଛନ୍ତି କି ନାହିଁ ତାହା ଏବେ ଆଶଙ୍କା ମଧ୍ୟରେ ରହିଛି। ସେହିପରି ଦଲୀପ ଟ୍ରଫିରେ ମଧ୍ୟ ତାଙ୍କୁ କୌଣସି ଟିମ୍‌ରେ ସାମିଲ କରାଯାଇନାହିଁ। ଖବର ମୁତାବିକ ଏବେ ପ୍ରକାଶ ପାଇଥିବା ଟପ୍‌-୭୪ କ୍ରିକେଟର୍‌ ଲିଷ୍ଟରେ ତାଙ୍କ ନାଁ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।