ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ରହସ୍ୟ ଓ ଗୁମର ଲାଗିରହିଛି। ଘଟଣାର ତଦନ୍ତ ଜିଆରପି କରୁଥିବା ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ କୁହାଯାଉଥିବା ଜବତ ଡାଏରୀର ହାତଲେଖାର ଫରେନସିକ୍ ରିପୋର୍ଟକୁ ସମସ୍ତେ ଅପେକ୍ଷା କରିଥିଲେ। ରିପୋର୍ଟ ଆସିବା ପରେ ଆଦିତ୍ୟ ହିଁ ମୃତ୍ୟୁ ପୂର୍ବରୁ ଡାଏରୀରେ ନିଜ ଶେଷ କଥା ଲେଖିଥିଲେ ବୋଲି ସ୍ପଷ୍ଟ ହୋଇଯାଇଛି। ଏ ନେଇ ରେଲଓ୍ୱେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ଫରେନ୍ସିକ ରିପୋର୍ଟରେ ସ୍ପଷ୍ଟ ଲେଖାଯାଇଛି ଯେ ନିଜେ ଆଦିତ୍ୟ ଏହା ଲେଖିଛନ୍ତି। ଏହାପରେ ଜିଆରପି ଏହି ଦିଗରେ ତଦନ୍ତ ଆଗକୁ ନେବ।
ସୂଚନା ଥାଉ କି, ଗତ 7 ତାରିଖ ସକାଳେ ସାମାଜିକ କର୍ମୀ ତଥା ମୋଟିଭେସନାଲ ସ୍ପିକର ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ସ୍ଥାନୀୟ ଲିଙ୍ଗରାଜ ରେଳଲାଇନରୁ ଉଦ୍ଧାର କରାଯାଇଥିଲା। ଏହାପରେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ସସ୍ପେନ୍ସ ଲାଗିରହିଥିଲା। ଏହା ପରେ ଜବତ ଡାଏରୀରେ ଲେଖାଥିବା ଆଦିତ୍ୟଙ୍କ ଶେଷ କଥାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପ୍ରକୃତରେ ସେ ହାତଲେଖା ଆଦିତ୍ୟଙ୍କର କି ନୁହେଁ ଏହା ଜାଣିବାକୁ ଡାଏରୀକୁ ଫରେନ୍ସିକ ଟେଷ୍ଟ ପାଇଁ ପଠାଗଲା। ତେବେ ଆଜି ଏହା ସ୍ପଷ୍ଟ ହୋଇଯାଇଛି ଯେ, ମୃତ୍ୟୁ ପୂର୍ବରୁ ଆଦିତ୍ୟ ହିଁ ନିଜ ଶେଷ କଥା ଲେଖିଛନ୍ତି।
ଆଦିତ୍ୟ ଏହି ଡାଏରୀରେ ନିଜ ବାପା, ମାଆଙ୍କ ପାଇଁ ବାର୍ତ୍ତା ଦେବା ସହ ସ୍ତ୍ରୀଙ୍କୁ ସ୍ନେହ ଜଣାଇଥିଲେ। ଏହାସହ ଆଶ୍ରମ ଜମି ବାବଦର ତଥ୍ୟ ଓ ଟଙ୍କା କାରବାର ନେଇ ସହଯୋଗୀ ପପୁ ଓ ବିକାଶଙ୍କ ଦାୟିତ୍ୱ ବିଷୟରେ ଉଲ୍ଲେଖ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ମଦ ବିରୋଧୀ କାର୍ଯ୍ୟ ତଥା ସରକାରଙ୍କ ସହ ପଙ୍ଗା ନେବାକୁ ହେଲେ ନିଜକୁ ମଜବୁତ୍ କରିବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ। ହେଲେ ଆତ୍ମବତ୍ୟାର କାରଣ ନେଇ ଚିଠିରେ କିଛି ବି ଲେଖି ନାହାନ୍ତି ଆଦିତ୍ୟ।
ସିସିଟିଭି ଫୁଟେଜରେ ଲିଙ୍ଗରାଜ ଷ୍ଟେସନ ରୋଡ଼ରେ ଆଦିତ୍ୟ ଚାଲି ଚାଲି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ବୋଲି ପୁଲିସ କହିଛି। ତେବେ ପୁଲିସ ଏହା ମଧ୍ୟ କହିଛି ଯେ, ପୁରୁଷୋତ୍ତମ ଏକ୍ସପ୍ରେସରେ ଧକ୍କା ହୋଇ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।
ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସମସ୍ତେ ହତବାକ ହୋଇ ରହିଥିବା ବେଳେ, ସୋଶାଲ ମିଡିଆରେ ପ୍ରଶଂସକମାନେ ଲଗାତର ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହା ପରେ ପୁଲିସ ନିଜ ତଦନ୍ତ ପ୍ରକ୍ରିୟାରେ ଆଉ ପାଦେ ଆଗେଇ ଆଜି ସିସିଟିଭି ଫୁଟେଜ୍ ଜାରି କରିଛି।
ଏହାବ୍ୟତୀତ, ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଆଦିତ୍ୟଙ୍କ ସହ ଲିଙ୍କ୍ ଥିବା 20ରୁ ଅଧିକ ଲୋକଙ୍କୁ ପୁଲିସ ଜେରା କରିସାରିଥିବା କହିଛି। ଏହାସହ ଆଦିତ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଏବଂ ସହଯୋଗୀ ପପୁ ଓ ବିକାଶଙ୍କ ଫୋନ କଲ୍ ଯାଞ୍ଚ ଚାଲିଛି। ସେପଟେ ମିଳିଥିବା ଆତ୍ମହତ୍ୟା ଚିଠିକୁ ମଧ୍ୟ ଫୋରେନସିକ୍ ତଦନ୍ତ ପାଇଁ ପଠାଯାଇଛି। ଚିଠିରେ ଲେଖାଥିବା ଅକ୍ଷର ଆଦିତ୍ୟଙ୍କ ହସ୍ତାକ୍ଷର ସହ ମେଳ ଖାଉଛି କି ନାହିଁ ତାହା ଜଣାପଡ଼ିବା ପରେ ମାମଲାର ପ୍ରକୃତ ମୋଡ଼ କେଉଁଆଡ଼େ ଯିବ ତାହା ସ୍ପଷ୍ଟ ହୋଇଯିବ।
ଏଠାରେ ପ୍ରକାଶ ଥାଉ କି, ପୁଲିସ ସୂଚନା ଅନୁସାରେ ଆଦିତ୍ୟଙ୍କ ମୃତ୍ୟୁ ପୁରୁଷୋତ୍ତମ ଏକ୍ସପ୍ରେସରେ ଧକ୍କା ହେବା ଫଳରେ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଘଟଣା ସମୟରେ ମୋଟ 3ଟି ଟ୍ରେନ୍ ଲିଙ୍ଗରାଜ ରେଳଧାରଣା ଦେଇ ଯାଇଛି। ଏଠାରେ କହିରଖୁଛୁ ଯେ, ନିୟମାନୁସାରେ କୌଣସି ବ୍ୟକ୍ତି କିମ୍ୱା ପଶୁ ଚଳନ୍ତା ଟ୍ରେନ ସମ୍ମୁଖରେ ଆସିଗଲେ, ହଠାତ୍ ଡ୍ରାଇଭର ବ୍ରେକ୍ ଲଗାଇପାରିବେ ନାହିଁ। ଏଣୁ ସେ ଆଗାମୀ ଷ୍ଟେସନରେ ଏଭଳି କିଛି ଦୂର୍ଘଟଣା ଘଟିଥିବା ନେଇ ରିପୋର୍ଟ କରିଥାନ୍ତି।
ଏଣୁ ଆଶା କରାଯାଉଛି, ପୁରୁଷୋତ୍ତମ ଏକ୍ସପ୍ରେସର ଡ୍ରାଇଭର ଦୂର୍ଘଟଣା ବାବଦରେ ମଧ୍ୟ ରିପୋର୍ଟ କରିଥିବେ ନିଶ୍ଚୟ। କିମ୍ୱା ଯଦି ଅନ୍ୟକୌଣସି ମାଲବାହୀ ଟ୍ରେନରେ ଧକ୍କା ହୋଇ ଆଦିତ୍ୟଙ୍କ ମତ୍ୟୁ ଘଟିଛି, ସେହି ପରିସ୍ଥିତିରେ ମଧ୍ୟ ଡ୍ରାଇଭର ଏନେଇ ରିପୋର୍ଟ କରିଥିବେ। ଏଣୁ ଏ ଦିଗରେ ପୁଲିସ ସଠିକ୍ ତଦନ୍ତ କରି ସଠିକ୍ ତଥ୍ୟ ଜନସାଧାରଣଙ୍କ ଆଗରେ ରଖିବା ଆବଶ୍ୟକ ରହିଛି।
ବର୍ତ୍ତମାନ ସୁଦ୍ଧା ଆଦିତ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଜିଆରପିର ହସ୍ତଗତ ହୋଇସାରିଛି। ଆଦିତ୍ୟଙ୍କ ସଂଗଠନ କର୍ମୀମାନଙ୍କ ଅଭିଯୋଗକ୍ରମେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଆଉ ଜବତ ଆତ୍ମହତ୍ୟା ଚିଠିର ଅକ୍ଷର ଆଦିତ୍ୟଙ୍କ ହସ୍ତାକ୍ଷର କି ନୁହେଁ, ସେ ନେଇ ଯାଞ୍ଚ କରାଯାଉଛି।
ଏସବୁ ଭିତରେ ଜିଆରପିର ତଦନ୍ତକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏକ ଗଣମାଧ୍ୟମ ରିପୋର୍ଟ ପୁଲିସ ତଦନ୍ତ ବିଭ୍ରାନ୍ତିକର ବୋଲି ବିଚାରକୁ ନେବାକୁ ବାଧ୍ୟ କରୁଛି। ଏସବୁ ଭିତରେ ଆଦିଙ୍କ ମୃତ୍ୟୁ ଗୁମରର ଜଟିଳତା ଆହୁରି ବଢ଼ିଯାଇଛି।
ସୂଚନାଯୋଗ୍ୟ, ଏକ ଛାପା ଗଣମାଧ୍ୟମର ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଦିତ୍ୟ ଟ୍ରେନ ସାମ୍ନାରେ ଠିଆ ହୋଇ ଆତ୍ମହତ୍ୟା କରିଛନ୍ତି। ଆଦିତ୍ୟ ଆତ୍ମହତ୍ୟା କରିଥିବା ନେଇ ରେଳବାଇ ପୁଲିସ ସ୍ପଷ୍ଟ କରିଛି।
ରିପୋର୍ଟ ଅନୁଯାୟୀ, "ଗତ ୬ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ପାଖାପାଖି ଶ୍ରୀଲିଙ୍ଗରାଜ ଷ୍ଟେସନ ନିକଟରେ ଆଦିତ୍ୟ ବସିଥିବା ନେଇ କାରଗିଲ ବସ୍ତିର ୨ ମହିଳା ଦେଖିଥିଲେ। ସେମାନେ ଏପରିକି କାହିଁକି ଏଠାରେ ବସିଛ ବୋଲି ଆଦିତ୍ୟଙ୍କୁ ପଚାରିଥିଲେ ବୋଲି ମାମାଲି ସ୍ୱାଇଁ ବୋଲି ଜଣେ ମହିଳା ପୁଲିସକୁ ବୟାନ ଦେଇଛନ୍ତି। କାରଗିଲ ବସ୍ତିର ଆଉ ଜଣେ ମହିଳା ଆଦିତ୍ୟ ଟ୍ରେନ୍ ସାମ୍ନାରେ ଛିଡ଼ି ହୋଇଥିବା ଦେଖିଛନ୍ତି। ଉକ୍ତ ମହିଳାଙ୍କ ସମ୍ପର୍କରେ ସୂଚନା ପାଇବା ପରେ ରେଳବାଇ ପୁଲିସ ଗୁରୁବାର ରାତିରେ ତାଙ୍କୁ ପଚରାଉଚରା କରିଛି। ଏସବୁ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଦିତ୍ୟ ଆତ୍ମହତ୍ୟା କରିଥିବା ରେଳବାଇ ପୁଲିସ ଜାଣିବାକୁ ପାଇଛି। ପ୍ରାୟ ୧ ଘଣ୍ଟା ଧରି ଆଦିତ୍ୟ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ....."
କିଛି ଏଭଳି ତଥ୍ୟ ସହ ଆଦିତ୍ୟଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଘୋଷଣା କରାଯାଇଛି। ତେବେ ଏଠାରେ ଆଲୋକପାତ କରିବା ଜରୁରୀ ଯେ, ଆଦିତ୍ୟଙ୍କୁ ନେଇ ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ପାଇବା ସହ ପୁଲିସର ତଦନ୍ତ ପ୍ରକ୍ରିୟାରେ ମଧ୍ୟ ସ୍ପଷ୍ଟତା ନ ଥିବା ବୋଧ ହେଉଛି।
୧-ଘଟଣା ଦିନ ଅର୍ଥାତ ୭ ତାରିଖ ସକାଳେ ମୃତଦେହ ମିଳିବା ପରେ ପରେ ପୁଲିସ ତଦନ୍ତ ପ୍ରକ୍ରିୟା କରିବା ପୂର୍ବରୁ ଏହାକୁ ଆତ୍ମହତ୍ୟା ବୋଲି କାହିଁକି କହିଲା?
୨- ସଂଗଠନ କର୍ମୀମାନେ ହତ୍ୟା ଅଭିଯୋଗ ଆଣି, ଧାରଣାରେ ବସିବା ପରେ ଯାଇ ପୁଲିସ ହତ୍ୟା ମାମଲା ରୁଜୁ କଲା।
୩-ମୃତଦେହ ଉଦ୍ଧାର ପରେ ଆଦିତ୍ୟଙ୍କ ଆତ୍ମହତ୍ୟା ଚିଠି ପ୍ରଥମେ ପୁଲିସକୁ ନ ମିଳି ବିକାଶକୁ ମିଳିଲା କାହିଁକି? ପୁଲିସ ଏତେ ଗୁଡ଼ିଏ ସମୟ କାହିଁକି ଢ଼ିଲା ଛାଡ଼ିଲା?
୪-ମୃତଦେହ ମିଳିବା ପରେ ଆଖପାଖରେ ପୁଲିସ ପଚରାଉଚରା କରିଥିଲା କି? ଯଦି କରିଥିଲା, ତେବେ ପ୍ରାୟ ୩ ଦିନ ପରେ ପ୍ରତ୍ୟକ୍ଷଦର୍ଶୀ ସାମ୍ନାକୁ ଆସିଲେ କାହିଁକି?
୫-ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ, ସେମାନେ ଏକ ଘଣ୍ଟା ଧରି ଟ୍ରେନକୁ ଅପେକ୍ଷା କରିଥିବା ଆଦିତ୍ୟଙ୍କୁ ନେଇ ଆଂଶିକ ସନ୍ଦେହ ପ୍ରକଟ କରି ନ ଥିଲେ ଯେ?
୬-ଯଦି ସନ୍ଦେହ କରି ତାଙ୍କୁ ପ୍ରଶ୍ନ ଆଦିତ୍ୟଙ୍କୁ ପ୍ରଶ୍ନ ବି ପଚାରିଥିଲେ, ତେବେ ଆଦିତ୍ୟଙ୍କ ମୃତ୍ୟୁ ଖବର ପ୍ରଘଟ ହେବା ପରେ ପୁଲିସକୁ ତୁରନ୍ତ ଜଣାଇଲେନି କାହିଁକି?
୭-ଆଦିତ୍ୟଙ୍କ ହାବଭାବ ପ୍ରତ୍ୟକ୍ଷଦର୍ଶୀଙ୍କୁ ପ୍ରଭାବିତ କରି ନ ଥିଲା?
୮- ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ-"ଆଦିତ୍ୟ ପ୍ରାୟ ସାଢ଼େ ୭ଟା ପାଖାପାଖି ସମୟରେ ଟ୍ରେନକୁ ଅପେକ୍ଷା କରିଥିଲେ।" ଏ କଥା ଏବେ ପୁଲିସର ତଦନ୍ତ ପ୍ରକ୍ରିୟାରେ ସନ୍ଦେହ ସୃଷ୍ଟି କରିବାକୁ ବାଧ୍ୟ କରୁଛି। କାରଣ ଆଦିତ୍ୟ ୬ ତାରିଖ ୧୯.୧୪ ଘଣ୍ଟାରେ ଅର୍ଥାତ୍ ସନ୍ଧ୍ୟା ୭.୧୪ ବେଳେ ନିଜ ଫେସବୁକରେ ଶେଷ ଷ୍ଟାଟସ୍ ଅପଡେଟ୍ କରିଥିଲେ। ଅନ୍ୟପଟେ ସାଢ଼େ ସାତଟା ବେଳେ ପ୍ରତ୍ୟକ୍ଷଦର୍ଶୀ ତାଙ୍କୁ ଟ୍ରେନକୁ ଅପେକ୍ଷା କରିଥିବା ଦେଖିଥିଲେ। ଆଦିତ୍ୟଙ୍କ ଘରଠାରୁ (ଏକାମ୍ର ଭିଲା ପାଖରେ) ଲିଙ୍ଗରାଜ ରେଳଷ୍ଟେସନ ପ୍ରାୟ ୨ କି.ମିରୁ ଅଧିକ ହୋଇପାରେ।
ଆଦିତ୍ୟ ନିଜ ଫୋନ ଓ ଚାବି ଫ୍ରିଜରେ ରଖିଥିଲେ। ସେ ଗାଡ଼ି ଛାଡ଼ି ନେଇ ଯାଇନାହାନ୍ତି। ତେବେ ୭.୧୪ରେ ଷ୍ଟାଟସ ଅପଡେଟ୍ କରି ଲିଙ୍ଗରାଜ ଷ୍ଟେସନରେ ପ୍ରାୟ ୭.୩୦ରେ ଆଦିତ୍ୟ ପହଞ୍ଚିଲେ କେମିତି?
୯- (ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଯଦି ସତ) ଆଦିତ୍ୟ କଣ ୧୬ ମିନିଟ ଭିତରେ ଫେସବୁକରେ ଷ୍ଟାଟସ ଅପଡେଟ୍ କଲେ, ଫୋନକୁ ଫ୍ରିଜରେ ରଖିଲେ, ଘର ଚାବି ପକାଇଲେ ଆଉ ଷ୍ଟେସନରେ ବି ପହଞ୍ଚିଗଲେ (ପ୍ରାୟ ଅଢ଼େଇ କି.ମି), ଯେଉଁଠି ପହଞ୍ଚୁ ପହଞ୍ଚୁ ପ୍ରତ୍ୟକ୍ଷଦର୍ଶୀ ଦେଖିବାକୁ ଅପେକ୍ଷା କରିଥିଲେ? ଆଉ ଦେଖୁ ଦେଖୁ କାହିଁକି ଏଠାରେ ବସିଛ ବୋଲି ପ୍ରଶ୍ନ ମଧ୍ୟ କରିଦେଲେ?
୧୦- ଯଦି ବାଇକ୍ ନେଇ ନ ଥିଲେ ଆଦିତ୍ୟ କେମିତି ଷ୍ଟେସନରେ ପହଞ୍ଚିଲେ? ଚାଲି ଚାଲି କ’ଣ ଏତେ ବାଟ ଏତେ କମ ସମୟ ଭିତରେ ଆଦିତ୍ୟ ପହଞ୍ଚିଗଲେ? ନା କାହାକୁ ଲିଫ୍ଟ ମାଗିଥିଲେ? କ୍ୟାବ୍ ବା ଅଟୋ କରି ଯାଇଥିଲେ କି? କାରଣ ଏତେ କମ ସମୟ ଭିତରେ ଏତେ ବାଟ ଚାଲି ଚାଲି ଯିବା ସାଧାରଣତଃ ମାନସିକ ଅବସାଦରେ ଥିବା ଲୋକ କ୍ଷେତ୍ରରେ ସମ୍ଭବ ବୋଲି ଜଣାପଡ଼ୁନାହିଁ। ଏପରି ବି ହୋଇପାରେ, ନା ଷ୍ଟେସନରେ ଫେସବୁକ ଷ୍ଟାଟସ ଅପଡେଟ୍ କରି ଆଦିତ୍ୟ ଘରକୁ ଫେରିଆସି ଫୋନ ଫ୍ରିଜରେ ରଖିଲେ। ଆଉ ଆତ୍ମହତ୍ୟା କରିବାକୁ ପୁଣି ଷ୍ଟେସନକୁ ଯାଇଥିଲେ।
୧୧- ଏ ସମସ୍ତ ଦିଗକୁ ନ ବିଚାରି ପୁଲିସ କିଭଳି ଭାବେ ଗଣମାଧ୍ୟମକୁ ଆଦିତ୍ୟଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ତଥ୍ୟ ଦେଇଛି?
୧୨- ପ୍ରତ୍ୟକ୍ଷଦର୍ଶୀଙ୍କୁ ଗୁରୁତ୍ୱ ଦେବା ପୂର୍ବରୁ ସିସିଟିଭି ଫୁଟେଜ୍ ବିଷୟ ପୁଲିସ ସ୍ପଷ୍ଟ କାହିଁକି କରୁନାହିଁ?
୧୩- କେଉଁ କେଉଁ ଟ୍ରେନ୍ ସେହି ରେଳଲାଇନ ଦେଇ ଯାଇଛି ପୁଲିସ ତଥ୍ୟ ଦେବା ପୂର୍ବରୁ ଆତ୍ମହତ୍ୟା ବୋଲି ଘୋଷଣା କରିବା କ’ଣ ନିରପେକ୍ଷ ତଦନ୍ତର ନିଦର୍ଶନ?
ସୋଶାଲ ମିଡିଆରେ ଖୁବ୍ ସକ୍ରିୟ ମୋଟିଭେସନାଲ ସ୍ପିକର ତଥା ସମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶ ଆଉ ନାହାନ୍ତି। ଘଟଣା ଜଣାପଡ଼ିବା ପରେ ଆଦିତ୍ୟଙ୍କ ହଜାର ହଜାର ପ୍ରଶଂସକଙ୍କୁ ଗଭୀର ଆଘାତ ଲାଗିଛି। ଜୁଲାଇ ୭ ଅର୍ଥାତ୍ ଆଜି (ମଙ୍ଗଳବାର) ସକାଳେ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନିଜ ଫେସବୁକ୍ ପେଜରେ ଶେଷ ପୋଷ୍ଟ କରି ଆଦିତ୍ୟ କାଳେ ଆତ୍ମହତ୍ୟା କରିଥିବା କୁହାଯାଉଛି।
ଆଦିତ୍ୟ ଦାଶ ଓରଫ୍ ମାନବପ୍ରେମୀ ସୋଶାଲ ମିଡିଆରେ ଖୁବ୍ ସକ୍ରିୟ ଥିଲେ। ତାଙ୍କର ଗୋଟିଏ ଗୋଟିଏ ଭିଡିଓ ହଜାର ହଜାର ଲୋକଙ୍କୁ ପ୍ରେରଣା ଯୋଗାଉଥିଲା। ଗତ ଜୁନ୍ ମାସରେ ସେ ବିଦ୍ୟାଶ୍ରୀଙ୍କୁ ବିବାହ କରିଥିଲେ। ସୁନ୍ଦରପଦାରେ ଏକ ବୃଦ୍ଧାଶ୍ରମ ମଧ୍ୟ ଚଲାଉଥିଲେ ଆଦିତ୍ୟ। ଏହାସହ ପିପୁଲ ଫର୍ ସେବା (People For Seva) ନାମକ ଏକ ସଂଗଠନ ଜରିଆରେ ସେ ସାମାଜିକ ସେବା କାର୍ଯ୍ୟ ମଧ୍ୟ କରୁଥିଲେ। ଆଜି ସକାଳ ପ୍ରାୟ ୬.୩୦ ସମୟରେ ଲିଙ୍ଗରାଜ ଷ୍ଟେସନସ୍ଥ ରେଳଲାଇନରେ ଆଦିତ୍ୟଙ୍କ ମୃତଦେହ ଠାବ କରାଯାଇଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଦେଇଛି।
ଆଦିତ୍ୟ ମୃତ୍ୟୁ ପୂର୍ବ ପର୍ଯ୍ୟନ୍ତ ସୋଶାଲ ମିଡିଆରେ ସକ୍ରିୟ ଥିଲେ। ବିବାହ ପରେ ନିଜ ପତ୍ନୀଙ୍କ ସହ 'ଉତ୍ତମ ସମ୍ପର୍କରେ ଭୁଲ ବୁଝାମଣା' ବିଷୟରେ ଏକ ଭିଡିଓ କରି ସେ ଫ୍ୟାନମାନଙ୍କ ସହ ଶେୟାର କରିଥିଲେ। ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ଆତ୍ମୀୟ ଓ ପ୍ରଶଂସକମାନେ। ଅନେକଙ୍କ କହିବା ହେଲା ଆଦିତ୍ୟ ଆତ୍ମହତ୍ୟା କରିନାହାନ୍ତି, ତାଙ୍କର ହତ୍ୟା କରାଯାଇଛି।
ଆଶ୍ଚର୍ଯ୍ୟର କଥା ହେଲା, କିଛି ଦିନ ପୂର୍ବରୁ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଏ ନେଇ ଆଦିତ୍ୟ ମଧ୍ୟ ଆତ୍ମହତ୍ୟା କେବେ ସମାଧାନ ନୁହେଁ ବୋଲି ଏକ ପୋଷ୍ଟ ଶେୟାର କରିଥିଲେ। ଅନ୍ୟପଟେ ତାଙ୍କ ପେଜ୍ ପୋଷ୍ଟଗୁଡ଼ିକୁ ଦେଖିଲେ ଆଦିତ୍ୟ କେବେ ଆତ୍ମହତ୍ୟା କରିଥିବେ ବୋଲି ସହଜରେ କେହି ବିଶ୍ୱାସ କରିବେ ନାହିଁ। ସେ ବିବାହ ପରେ ବେଶ୍ ଖିୁସି ଥିବା ତାଙ୍କ ପୋଷ୍ଟ ଦେଖିଲେ ଜଣାପଡ଼ୁଛି। ତେବେ ଆଦିତ୍ୟ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ବା ତାଙ୍କର ହତ୍ୟା ହୋଇଛି ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।