ଏହି ୪୮୮.୩୫ Mhz ଏୟାରଓ୍ୱେଭ୍ ମଧ୍ୟରୁ ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ଜିଓ ୮୦୦, ୧୮୦୦ ଏବଂ ୨୩୦୦ Mhz ବ୍ୟାଣ୍ଡ କରିଛି। ଏଥିପାଇଁ ୫୭୧୨୨ କୋଟି ଖର୍ଚ୍ଚ କରିବ ଜିଓ। ସେହିପରି ଏୟାରଟେଲ ୩୫୫.୪୫ Mhz ଏୟାରଓ୍ୱେଭ୍ ପାଇଁ ୧୮୬୯୯ କୋଟି ଏବଂ ଭିଆଇ ୧୧.୮୦ Mhz ଏୟାରଓ୍ୱେଭ୍ ପାଇଁ ୧୯୯୩ କୋଟି ଖର୍ଚ୍ଚ କରିବ। ଏଥିପାଇଁ ସରକାର ୭୭୮୧୪ କୋଟି ରାଜସ୍ୱ ପାଇବେ।
ତେବେ ସମସ୍ତଙ୍କ ପ୍ରଶ୍ନ ଜିଓ କାହିଁକି ଅଧିକ ଟଙ୍କା ଦେଇ ଏତେ ସ୍ପେକ୍ଟ୍ରମ କିଣିଲା? ଟେଲିକମ ଦୁନିଆରେ ପାଦ ଥାପିବା ପରେ ନିଜର ରାଜୁତି ଜାହିର କରୁଥିବା ଅମ୍ୱାନୀଙ୍କ ଏହି କମ୍ପାନୀର ଭବିଷ୍ୟତ ଯୋଜନାକୁ ନେଇ ମଧ୍ୟ ଟେଲିକମ ବଜାରରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।
ନିକଟରେ କେନ୍ଦ୍ର ସରକାରର ତିନି ଆଇନକୁ ବିରୋଧ କରିବା ବେଳେ ଜିଓ ଟେଲିକମ ପ୍ରଭାବିତ ହୋଇଛି। ଦୁଇ ମାସର ରିପୋର୍ଟ ଯଦି ଦେଖିବା ଜିଓ ତୁଳନାରେ ଏୟାରଟେଲର ଗ୍ରାହକ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଜିଓର ନେଟଓ୍ୱର୍କ ଏବଂ ଇଣ୍ଟରନେଟ ସମସ୍ୟା ଥିବା ସାମ୍ନାକୁ ଆସିଛି।
ଏହାପରେ ଜିଓ ପ୍ରତିଦ୍ୱନ୍ଦୀ ଏୟାରଟେଲକୁ ଟକ୍କର ଦେବା ପାଇଁ ଅଧିକ ସ୍ପେକ୍ଟ୍ରମ କିଣିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଜିଓ ପାଖରେ ଯେତିକି ସ୍ପେକ୍ଟ୍ରମ ଅଛି ସେ ତୁଳନାରେ ତାର ଗ୍ରାହକ ସଂଖ୍ୟା ଅଧିକ ରହିଛନ୍ତି। ତେଣୁ ଦୁର୍ବଳ ନେଟଓ୍ୱର୍କ ଓ ଧିମା ଇଣ୍ଟରନେଟର ଅଭିଯୋଗ ଆସୁଛି। ଏବେ ଅଧିକ ସ୍ପେକ୍ଟ୍ରମ କିଣିବା ପରେ ଆଗାମୀ ଦିନରେ ଏହି ସବୁ ସମସ୍ୟାର ସମାଧାନ ହୋଇପାରିବ। ଏମିତିକି ବଜାରରେ ପୂର୍ବପରି ନିଜର ରାଜୁତି ଦେଖାଇପାରିବ ବୋଲି ଜିଓ ବିଶ୍ୱାସ ରଖିଥିବା ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଇଛି।
ତେବେ ଚଳିତଥର ଅଧିକ ସ୍ପେକ୍ଟ୍ରମ୍ ଜିଓ କିଣିଥିଲେ ମଧ୍ୟ ଦେଶର ପ୍ରଥମ ଘରୋଇ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ୍ ପାଖରେ ଏବେ ବି ଅଧିକ ସ୍ପେକ୍ଟ୍ରମ୍ ରହିଛି। ଏବେ ନୂଆ ସ୍ପେକ୍ଟ୍ରମ କିଣିବା ପରେ ଜିଓ ପାଖରେ ମୋଟ୍ ୧୭୧୭ Mhz, ଏୟାରଟେଲ ପାଖରେ ୨୧୦୭ Mhz ଏବଂ ଭିଆଇ ପାଖରେ ୧୭୬୮ Mhz ସ୍ପେକ୍ଟ୍ରମ ରହିଛି।
ଟ୍ରାଇର ରିପୋର୍ଟ ଅନୁଯାୟୀ ଜୁଲାଇରେ ଗାଁରେ ଗ୍ରାହକଙ୍କ ସଂଖ୍ୟା ବଢ଼ିଥିଲା ହେଲେ ଅଗଷ୍ଟରେ ଏହି ସଂଖ୍ୟା କମିଥିଲା ବୋଲି ଜଣାପଡ଼ିଛି। କାଉଣ୍ଟର ପଏଣ୍ଟର ଗବେଷକ ତଥା ଉପସଭାପତି ନେଲ୍ ଶାହ କହିଛନ୍ତି, ଲକଡାଉନ୍ ବେଳେ ଅଧିକାଂଶ ଲୋକେ ଗାଁ ପଳାଇଆସିଥିଲେ। ଅନ୍ୟପଟେ ରୋଜଗାର ମଧ୍ୟ କମିଥିଲା। ତେଣୁ ଅନେକ ନିଜ ନିଜ ମୋବାଇଲ୍ ରିଚାର୍ଜ କରୁନଥିଲେ। କାରଣ ସମସ୍ତେ ଘରେ ଏକାଠି ଥିଲେ। ମୁଖ୍ୟତଃ ଗରିବ ଶ୍ରେଣୀର ଲୋକମାନେ ହିଁ ରିଚାର୍ଜ କରିବା ବନ୍ଦ କରି ଦେଇଥିଲେ ବୋଲି ସେ କହିଛନ୍ତି। ତେବେ ସେପ୍ଟେମ୍ୱର ପରଠୁ ଗ୍ରାହକ ସଂଖ୍ୟା ବଢ଼ିବ ବୋଲି ସେ ଆଶା ରଖିଛନ୍ତି।
ଟ୍ରାଇର ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ମାସ ଶେଷ ବେଳକୁ ଲକଡାଉନ୍ ହୋଇଥିଲା। ଏହି ସମୟରେ ୧୧୫.୭ କୋଟି ମୋଟ୍ ମୋବାଇଲ୍ ଗ୍ରାହକ ଥିଲେ। ଏହାପରେ କିନ୍ତୁ ଜୁନ୍ ମାସ ବେଳକୁ ୧.୭ କୋଟି ଗ୍ରାହକ କମି ଏହି ସଂଖ୍ୟା ୧୧୪ କୋଟି ହୋଇଥିଲା। ଜୁନରେ ଏହି ସଂଖ୍ୟା ୧୧୪.୪ କୋଟି ଥିବା ବେଳେ ଜୁଲାଇରେ ଏହି ସଂଖ୍ୟା ୧୧୪.୭ କୋଟି ଥିଲା। ଏହାପର ମାସ ଅଗଷ୍ଟର ରିପୋର୍ଟ ଟ୍ରାଇ ଜାରି କରିନାହିଁ।
ମାର୍ଚ୍ଚ ୨୦୨୦ ସୁଦ୍ଧା ଦେଶରେ ଜିଓର ଗ୍ରାହକ ସଂଖ୍ୟା ୩୩.୪୭ ପ୍ରତିଶତ ଥିବା ବେଳେ ଜୁନ ବେଳକୁ ଏହା ୩୪.୮ ପ୍ରତିଶତ ଥିଲା। ସେହିପରି ଏୟାରଟେଲ୍ ପାଖରେ ୨୮.୩୧ ପ୍ରତିଶତ ଥିବା ବେଳେ ଜୁନ୍ ବେଳକୁ ୨୭.୭୬ ପ୍ରତିଶତ ଥିଲା। ଭୋଡାଫୋନ୍ ୨୭.୫୧ରୁ ୨୬.୭୫ ପ୍ରତିଶତ ହୋଇଥିଲା। ସେହିପରି ବିଏସଏନଏଲ ୧୦.୩୫ରୁ ୧୦.୩୭ ପ୍ରତିଶତ ହୋଇଥିଲା। ତେବେ ଅଗଷ୍ଟରେ ଜିଓ, ଏୟାରଟେଲ୍ ଏବଂ ବିଏସଏନଏଲ ମିଶି ୩୭ ଲକ୍ଷ ଗ୍ରାହକ ପାଇଥିଲେ। ହେଲେ ଭୋଡାଫୋନ୍ ୧୨ ଲକ୍ଷ ଗ୍ରାହକ ହରାଇଥିଲା।